ଟମାଟୋ ଅଭାବୀ ବିକ୍ରିର ସମ୍ମୁଖୀନ ଚାଷୀ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ପ୍ରାୟ ମାସେ ପୂର୍ବରୁ ଅସ୍ତରଙ୍ଗ ମୁଖ୍ୟ ବଜାରରେ ପରିବା ଦର ଥିଲା ଆକାଶଛୁଆଁ। ଟମାଟୋ କିଲୋ ୬୦ରୁ ୭୦ଟଙ୍କାରେ ବିକ୍ରି ହେଉଥିଲା। ହେଲେ ବର୍ତମାନ ଟମାଟୋ ଦର ଖସିଛି। ଟମାଟୋ ଦର ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାର ରେ କିଲୋ ୨୫ଟଙ୍କାରୁ ୩୦ଟଙ୍କା ରେ ବିକ୍ରି ହେଉଛି। ୩କେଜି ଟମାଟୋ ନେଲେ ୭୦ଟଙ୍କାରେ ମିଳିଯାଉଛି। କିନ୍ତୁ ଅସ୍ତରଙ୍ଗ ମୁଖ୍ୟ ବଜାର ରୁ ମାତ୍ର ୫କିଲୋମିଟର ଦୂର ଖଣ୍ଡାସାହି ରୁ ବାଉରିଆକଣ ରାସ୍ତା ପାର୍ଶ୍ୱରେ ଚାଷୀ ଙ୍କ ବିଲରେ ଦର ରହିଛି ମାତ୍ର ୪ଟଙ୍କା। କେବଳ ଖଣ୍ଡାସାହି ନୁହେଁ, ବେଗୁନିଆବସ୍ତ ରେ ମଧ୍ୟ ସମାନ ସ୍ଥିତି। ବେପାରୀ ମାନେ ଚାଷୀଙ୍କ ଠାରୁ କମ୍ ରେ କିଣି ବଜାର ରେ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି।
ଦର ହ୍ରାସ କାରଣ ରୁ ଟମାଟୋ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀ କମ୍ ମୂଲ୍ୟରେ କଷ୍ଟ ଅର୍ଜିତ ଟମାଟୋ କୁ ବେପାରୀ ଙ୍କୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି। ସେପଟେ କମ୍ ଦରରେ ମିଳୁଥିବା ଖଣ୍ଡାସାହି ଅଂଚଳର ଉନ୍ନତକିସମର ଟମାଟୋ କିଣିବା ପାଈଁ ନାଉଗାଁ, ନିଆଳି, ଚାରିଛକ, ବାଲିକୁଦା ଅଂଚଳର ବ୍ୟବସାୟୀ ଙ୍କ ଧାଡି ଲମ୍ବୁଛି। କମ୍ ଦରରେ ମିଳୁଥିବା ଟମାଟୋ କୁ ବାହାର ବ୍ୟବସାୟୀ କିଣି ନେଇ କିଛି ଦିନ ଶୀତଳ ଭଣ୍ଡାର ରେ ଗଛିତ ରଖି ପୁଣି ଚଢା ଦରରେ ବିକ୍ରି କରିବେ। କିନ୍ତୁ ଚାଷୀ ଚାଷ ଖର୍ଚ୍ଚ ଦୂରର କଥା ତୋଳିବା ଖର୍ଚ୍ଚ ମଧ୍ୟ ପାଉନଥିବା କ୍ଷୋଭର ସହ ଖଣ୍ଡାସାହି ଗ୍ରାମର ଚାଷୀ ନରେନ୍ଦ୍ର ନାୟକ କହିଛନ୍ତି।
ସୂଚନା ମୁତାବକ, ଖରିଫ ଧାନ ପରେ ଅସ୍ତରଙ୍ଗ ବ୍ଲକ ଅଂଚଳର ଚାଷୀ ବିଭିନ୍ନ ପ୍ରକାର ଫସଲ କରିଥାନ୍ତି। ମୁଗ ସମେତ ଶୀତଦିନିଆଁ ପରିବା ଭାବେ ବାଇଗଣ, କୋବି, ଟମାଟୋ ଚାଷ ହୁଏ। ଖଣ୍ଡାସାହି ଓ ଓ଼ସିଆଁ ଲୋକେ ନଦୀ ପଠାରେ ଭଲ ପରିବା ଚାଷ କରିଥାନ୍ତି। କିନ୍ତୁ ଚାଷୀ ମାନେ କ୍ଷେତରୁ ଟମାଟୋ ଉତ୍ପାଦନ କରି ବେଶ ଦୁଇ ପଇସା ରୋଜଗାର କରି ଲାଭବାନ ହେବାକୁ ଆଶା ବାନ୍ଧି ଥିବା ବେଳେ ଦର ମାନ୍ଧା ସେମାନଙ୍କୁ ନିରାଶ କରିଛି। ସମ୍ପ୍ରତି ଟମାଟୋ ଟ୍ରେ ପିଛା ୧୧୦ଟଙ୍କା ଦରରେ ବିକ୍ରି କରାଯାଉଛି। ଗୋଟିଏ ଟ୍ରେ ୨୫କେଜି ଟମାଟୋ ରହୁଛି। ଅର୍ଥାତ କିଲୋ ପିଛା ଟମାଟୋ ଦର ୪ଟଙ୍କା ୪୦ପଇସା ପଡୁଛି। ବଜାର ରେ ଏହାକୁ ବେପାରୀ ମାନେ କେଜି ପ୍ରତି ୨୫ଟଙ୍କା ରୁ ୩୦ଟଙ୍କା ରେ ବିକ୍ରି କରୁଛନ୍ତି। ଖଣ୍ଡାସାହି ନଦୀ ପଠା ରେ ହୋଇଥିବା ଟମାଟୋ ଚାଷ ନିକଟରେ ପ୍ରତ୍ୟେକ ଦିନ ୨ ଟି କିମ୍ବା ୩ ଟି ପିକଅପ ଭ୍ୟାନ ରେ ଟମାଟୋ ପଠାଯାଉଛି। ମାତ୍ର ଦର ଦିନକୁ ଦିନ ତଳ ମୁହାଁ ହେଉଥିବା ବେଳେ ଚାଷୀ ଚିନ୍ତାରେ ପଡିଛି। ସଂରକ୍ଷଣ ପାଈଁ କୌଣସି ସୁବିଧା ନଥିବାରୁ ଲାଭ ପାଇବା ବଦଳରେ କ୍ଷତି ସହୁଥିବା ଖଣ୍ଡାସାହି ଗ୍ରାମର ରବୀନ୍ଦ୍ର ରାଉତ, ନରେନ୍ଦ୍ର ନାୟକ କହିଛନ୍ତି। ଚାଷୀ ହିଁ କେବଳ ଅଭାବୀ ବିକ୍ରିର ଶିକାର ହେଉଛି। ସରକାରୀ କଳ ଏ ଦିଗରେ ଦୃଷ୍ଟି ଦେଉନାହିଁ। ନିର୍ବାଚନ ଆସିଲେ ନେତା ମାନଙ୍କର ଶୀତଳ ଭଣ୍ଡାର ପ୍ରସଙ୍ଗ ମନେ ପଡେ। ନିର୍ବାଚନ ଜିତିଗଲା ପରେ ଏ ନେଇ କୌଣସି ଆନ୍ତରିକତା ଦେଖାଉନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ