ରାୟଗଡା ଜିଲ୍ଲାରୁ ଉଠୁନି ଖରିଫ ଚାଉଳ: ଗଞ୍ଜାମରୁ ଆଣିବା ପାଇଁ ଯୋଜନା
ଗୁଣପୁର,(ୱାଇଏନଏସ):ଚଳିତ ଖରିଫ ଋତୁର ୨୦୨୫-୨୬ ଅନୁସାରେ ରାୟଗଡା ଜିଲ୍ଲାରେ କ୍ରୟ କରାଯାଇଥିବା ଧାନକୁ ଚାଲୁ କରି ଚାଉଳ ଯୋଗାଣ ଅନୁମତି ପ୍ରଦାନ ନକରି ଓଲଟା ଗଞ୍ଜାମ ଜିଲ୍ଲାରୁ ରାୟଗଡାକୁ ଚାଉଳ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଜିଲ୍ଲା ମିଲର ସଂଘ ସହଜରେ ଗ୍ରହଣ କରିପାରୁନି। ଏହାର ପୁନର୍ବିଚାର କରି ରାୟଗଡା ଜିଲ୍ଲା ମିଲରଙ୍କ ନିକଟରେ ସରକାରଙ୍କ ଗଚ୍ଛିତ ଥିବା ଧାନକୁ ଚାଉଳ କରି ନେବା ନିମନ୍ତେ ରାୟଗଡା ଜିଲ୍ଲା ରାଇସ୍ ମିଲର୍ସ ଆସୋସିଏସନ୍ କର୍ମକର୍ତ୍ତା ମାନେ ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣିଙ୍କୁ ଭେଟି ଅନୁରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପିଡ଼ିଏସ ଓ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ଅନୁସାରେ ରାୟଗଡା ଜିଲ୍ଲାର ପ୍ରତିବର୍ଷ ପ୍ରାୟ ୬ ଲକ୍ଷ କୁଇଣ୍ଟାଲ ଚାଉଳ ଆବଶ୍ୟକତା ରହିଛି। ଚଳିତ ଖରିଫ ଋତୁରେ ଜିଲ୍ଲାରେ ପ୍ରାୟ ୧୦ ଲକ୍ଷ ୯୩ ହଜାର ୩୪୦ କ୍ୱିଣ୍ଟାଲ୍ ଧାନ କ୍ରୟ କରାଯାଇଛି। ଏଥିରୁ ପ୍ରାୟ ୭ ଲକ୍ଷ ୩୨ ହଜାର ୫୩୮ କ୍ୱିଣ୍ଟାଲ୍ ଚାଉଳ ଉତ୍ପାଦନ ହୋଇପାରିବ। ବର୍ତ୍ତମାନ ଆସନ୍ତା ଏପ୍ରିଲ୍ ପାଇଁ ଚାଉଳ ବଣ୍ଟନ ଅଲୋଟମେଣ୍ଟ ଜାରି ହୋଇଛି ଏବଂ ତାହାର ଉଠାଣ ଓ ବଣ୍ଟନ ପ୍ରକ୍ରିୟା ଚାଲୁ ରହିଛି। ଅପର ପକ୍ଷରେ ଖରିଫ ଋତୁରେ ୨୦୨୫-୨୬ ରେ ଧାନ କ୍ରୟ ପ୍ରକ୍ରିୟା ସମ୍ପନ୍ନ ହୋଇଛି ।କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କ୍ରୟ କରାଯାଇଥିବା ଧାନକୁ ଚାଲୁ କରି ତାହାରୁ ଉତ୍ପାଦିତ ଚାଉଳକୁ ଯୋଗାଣ କରିବାକୁ ଅନୁମତି ମିଳୁନାହିଁ, ଏଥର ଜିଲ୍ଲାରେ ପ୍ରଚୁର ଧାନ କ୍ରୟ କରାଯାଇଛି। ୧୭ ତମ ପ୍ରୁଡେଣ୍ଟ ପ୍ଲାନ୍ କମିଟି ଯୋଜନା ଅନୁସାରେ ରାୟଗଡା ଜିଲ୍ଲାକୁ ଏପର୍ଯ୍ୟନ୍ତ ନିଅଣ୍ଟିଆ ଜିଲ୍ଲା ଭାବରେ ଦର୍ଶାଯାଇଛି । ଏଥିପାଇଁ ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୮୮ ହଜାର ୮୫୦ କ୍ୱିଣ୍ଟାଲ୍ ଚାଉଳ ଆଣିବା ପ୍ରସ୍ତାବ ରହିଛି। ଏହା ସହିତ ସରକାରଙ୍କ ଚିଠି ନମ୍ବର ୨୬୧୫/୧୧.୨.୨୦୨୬ ଅନୁସାରେ ରେସନ୍ କାର୍ଡ୍ ରେ ପ୍ରତି ମାସ ୧୦ କିଲୋ ଅତିରିକ୍ତ ଚାଉଳ ଚାରି ମାସ ପାଇଁ ଡିସେମ୍ବର ୨୦୨୫ରୁ ମାର୍ଚ୍ଚ ୨୦୨୬ ଦିଆଯାଇଛି, ଯାହାର ପରିମାଣ ପ୍ରାୟ ୮୮,୮୫୦ କ୍ୱିଣ୍ଟାଲ୍ ହେବ।
ରାୟଗଡା ଜିଲ୍ଲାର କଷ୍ଟମ୍ ମିଲରମାନେ ସମ୍ପୂର୍ଣ୍ଣ ଭାବେ ଚାଉଳ ଯୋଗାଇବାକୁ ସକ୍ଷମ ଓ ପ୍ରସ୍ତୁତ ଅଛନ୍ତି ବୋଲି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଚଳିତ ଖରିଫ ଋତୁରେ ଚାଷୀଙ୍କ ଠାରୁ କ୍ରୟ କରାଯାଇଥିବା ଧାନକୁ ଚାଲୁ କରି ଚାଉଳ ଉତ୍ପାଦନ କରି ଆରଆରସିକୁ ଯୋଗାଣ କରିପାରିବେ। ଖରିଫ ଋତୁରେ କ୍ରୟ କରାଯାଇଥିବା ଧାନରୁ ପ୍ରାୟ ୭,୩୨,୫୩୮ କ୍ୱିଣ୍ଟାଲ୍ ଚାଉଳ ଉତ୍ପାଦନ ହେବ ଯାହା ଜିଲ୍ଲାର ୬ ଲକ୍ଷ କ୍ୱିଣ୍ଟାଲ୍ ବାର୍ଷିକ ଆବଶ୍ୟକତାକୁ ସହଜରେ ପୂରଣ କରିପାରିବ। ଯଦି ଅନ୍ୟ ଜିଲ୍ଲାରୁ ଚାଉଳ ଆଣିବା ପ୍ରକ୍ରିୟା ଚାଲୁକଲେ ରାୟଗଡା ଜିଲ୍ଲାରେ କ୍ରୟ ଧାନକୁ ଚାଲୁ କରିବାରେ ବିଳମ୍ବ ହେଲେ ବର୍ଷା ଓ ପାଣିପାଗ ପରିସ୍ଥିତିରେ ଧାନର ଗୁଣମାନ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିବା ନେଇ ଜିଲ୍ଲାପାଳ ଶ୍ରୀ କୁଳକର୍ଣ୍ଣିଙ୍କ ମିଲର ସଂଘ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି।ଯଦି ଉପଲବ୍ଧ ଗୋଦାମ ସ୍ଥାନକୁ ଅନ୍ୟ ଜିଲ୍ଲାରୁ ଆସୁଥିବା ଚାଉଳ ପାଇଁ ବ୍ୟବହାର କରାଯାଏ, ତେବେ ସ୍ଥାନୀୟ ଭାବେ ଉତ୍ପାଦିତ ଖରିଫ ଋତୁର ଯୋଗାଣରେ ବିଳମ୍ବ ହେବାର ସମ୍ଭାବନା ରହିଛି। ରାୟଗଡା ଜିଲ୍ଲାର ବିଭିନ୍ନ ଗୋଦାମ ରେ ପ୍ରାୟ ୧ ଲକ୍ଷ ୭୨ ହଜାର ୮୧୭- କ୍ୱିଣ୍ଟାଲ୍ ଚାଉଳ ମହଜୁଦ ଅଛି। ଏହି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାରୁ ରାୟଗଡାକୁ ପ୍ରାୟ ୮୮ ହଜାର ୮୫୦ କ୍ୱିଣ୍ଟାଲ୍ ଚାଉଳ ଆଣିବା କୌଣସି ଆବଶ୍ୟକତା ନାହିଁ। ଉକ୍ତ ପ୍ରସ୍ତାବକୁ ପୁନର୍ବିଚାର କରିବାକୁ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଏହା ଉପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲାପାଳ ଶ୍ରୀ କୁଳକର୍ଣ୍ଣି ରାୟଗଡା ଜିଲ୍ଲା ରାଇସ୍ ମିଲର୍ସ ଆସୋସିଏସନ୍ କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।


