ଜନ୍ମାଷ୍ଟମୀରେ ଚାଷୀଙ୍କୁ ମିଳିଲା ‘ସିଏମ୍ କିଷାନ’ର ୨୪ତମ କିସ୍ତି
ଛତ୍ରପୁର, (ଓ୍ବାଇଏନଏସ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ରବି ଋତୁ ୨୦୨୬-୨୭ ପାଇଁ ‘ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ୨୪ତମ କିସ୍ତି ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଯାଇଛି। ଗଞ୍ଜାମ ଜିଲ୍ଲାର ୨,୩୯,୨୨୦ ଚାଷୀ ପରିବାରଙ୍କୁ ମୋଟ ୪୮ କୋଟି ୨୧ ଲକ୍ଷ ୧୮ ହଜାର ଟଙ୍କା ମିଳିଛି। ଏଥିରେ ୨,୩୭,୪୯୭ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ୪୭ କୋଟି ୪୯ ଲକ୍ଷ ୯୪ ହଜାର ଟଙ୍କା ଏବଂ ୧,୭୨୫ ଭୂମିହୀନ ଚାଷୀ ପରିବାରଙ୍କୁ ୭୧ ଲକ୍ଷ ୨୪ ହଜାର ଟଙ୍କା ମିଳିଛି। ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ହିତାଧିକାରୀ ଚାଷୀଙ୍କୁ ଚେକ୍ ବଣ୍ଟନ କରାଯାଇଥିଲା। ଚାଷୀମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଦେଖିଥିଲେ। ସୂଚନାଯୋଗ୍ୟ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ମୋଟ ୪ ହଜାର ଟଙ୍କା ସହାୟତା ମିଳୁଛି। ସେହିପରି ଭୂମିହୀନ କୃଷି ପରିବାରଙ୍କୁ ଜୀବିକା ନିର୍ବାହ ପାଇଁ ତିନିଟି କିସ୍ତିରେ ମୋଟ ୧୨,୫୦୦ ଟଙ୍କା ପ୍ରଦାନ କରାଯାଉଛି। ଏହାସହ ‘ମୁଖ୍ୟମନ୍ତ୍ରୀ କିଷାନ’ ଯୋଜନା ଅଧୀନରେ କୃଷି ବିଦ୍ୟାନିଧି ଛାତ୍ରବୃତ୍ତିର ମଧ୍ୟ ବ୍ୟବସ୍ଥା ରହିଛି।


