ଧାନ ବିକ୍ରି ପାଇଁ ହୋଇ ପାରୁନି ନାମ ପଞ୍ଜିକରଣ: ଚାଷୀଙ୍କ ମଧ୍ୟରେ ଅସନ୍ତୋଷ
ହାଟଡିହି (ଓ୍ବାଇଏନଏସ): ଡ଼ଅଁର ସମବାୟ ସମିତିରେ ଚାଷୀମାନେ ଧାନ ବିକ୍ରୀ ପାଇଁ ନାମ ପଞ୍ଜିକରଣ କରିପାରୁ ନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ସରକାର ଗତ ୧୯ତାରିଖରୁ ନାମ ପଞ୍ଜିକରଣ ପାଇଁ ତାରିଖ ଧାର୍ଯ୍ୟ କରିବା ପରେ ସମବାୟ ସମିତି ଗୁଡିକରେ ଚାଷୀଙ୍କ ଗହଳି ଲାଗିଛି। କିନ୍ତୁ ଡ଼ଅଁର ସମବାୟ ସମିତିରେ ନାମ ପଞ୍ଜିକରଣ ହୋଇପାରୁନି। କାର୍ଯ୍ୟଳୟ ରେ ତାଲା ପଡ଼ିଥିବାରୁ ଶହଶହ ଚାଷୀ ଅପେକ୍ଷା କରି କରି ନିରାଶରେ ଫେରୁଛନ୍ତି। ସମ୍ପାଦକ ଅଫିସ୍ ଆସୁନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସମବାୟ ଚାଷୀଙ୍କ ଘରେ ଘରେ ପହଞ୍ଚିବାକୁ ସରକାର ସ୍ଳୋଗାନ ଦେଉଥିବା ବେଳେ ଏଠାରେ ସମବାୟକୁ ଲୋକେ ଖୋଜି ପାଉ ନାହାନ୍ତି ବୋଲି କହିଛନ୍ତି। ଯାହାକୁ ନେଇ ଆଜି ସମିତି ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। କଳିଗାଁ, ଅଁରା ପଞ୍ଚାୟତର ଚାଷୀମାନେ ଡ଼ଅଁର ସମବାୟ ସମିତିକୁ ଚାରିଦିନ ହେଲା ଦୌଡୁଥିବା ବେଳେ ସେମାନଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ସେମାନେ ନିରାଶ ହୋଇ ଫେରୁଛନ୍ତି। ସେମାନଙ୍କର ଅଭିଯୋଗ ଅନୁଯାଇ ସେମାନେ ପୂର୍ବରୁ ଡ଼ଅଁର ସେବା ସମବାୟ ସମିତି ଅଧୀନରେ ଥିଲେ। ଗତ ବର୍ଷରୁ ନୂଆକରି ଖୋଲାଯାଇଥିବା କଳିଗାଁ ସେବା ସମବାୟ ସମିତିରେ କଳିଗାଁ, ବଣିଆରି, ମୁଦୁଲିପଦା, ତାମ୍ପଳା, ରଘୁନାଥପୁର, କନକମ୍ପା, ଦଶରଥପୁର, ଭାକିଡି, ଇଚ୍ଛାପୁର, ଶାଳକଣିଆ, ଅଁରା, ବୃନ୍ଦାବନପୁର, ବେଲବନ୍ଧ, ତୁମ୍ବାବଣି, ବେଙ୍ଗତିରା, ଜାମିତିରା, ମଧୁରଗଡ଼ିଆ ଆଦି ଗ୍ରାମର ଚାଷୀମାନେ ରହିଲେ। କଳିଗାଁ ସମିତିରେ ଧାନ କିଣିବା ପାଇଁ ଅନୁମତି ମିଳି ନଥିବାରୁ ଏହି ସମିତିର ଚାଷୀମାନେ ଡ଼ଅଁର ସମିତିରେ ନାମ ପଞ୍ଜିକରଣ କରିବା ସହିତ ଧାନ ବିକ୍ରି କରିବେ। କିନ୍ତୁ ଡ଼ଅଁର ସମିତିକୁ ନାମ ପଞ୍ଜିକରଣ ପାଇଁ ଯିବା ବେଳକୁ ସେଠାକାର ଚାଷୀମାନେ ବିରୋଧ କରୁଛନ୍ତି।କଳିଗାଁରେ ସମିତି ହେଲା ସେଠି ଧାନ ବିକିବ, ଏଠାକୁ କାହିଁକି ଆସୁଛ ବୋଲି କହିବାରୁ ଉତ୍ତେଜନା ପ୍ରକାଶ ପାଇଛି। ସରକାରୀ ସ୍ତରରେ ସମିତିର ସମ୍ପାଦକ ନାମ ପଞ୍ଜିକରଣ କରିବା ଅଧିକାରୀ ହୋଇଥିବାରୁ ସେ ଅନୁପସ୍ଥିତ ଥିବାରୁ କାହାକୁ ଚାଷୀମାନେ ଅଭିଯୋଗ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଏ ସମ୍ପର୍କରେ ସମିତିର ସମ୍ପାଦକ ଉମାକାନ୍ତ ନାୟକଙ୍କୁ ପଚାରିବାରେ ମୁ ଛୁଟିରେ ଥିଲି , ଆଜି କେନ୍ଦୁଝର ମିଟିଂ ଆସିଛି ବୋଲି ସଫେଇ ଦେଇଛନ୍ତି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ନୂତନ କରି ଗଠନ ହୋଇଥିବା କଳିଗାଁ ସମିତିରେ ଧାନ କିଣା ଓ ଚାଷୀ ନାମ ପଞ୍ଜିକରଣ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି। ନହେଲେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ନବଘନ ସାହୁ, ଜଗବନ୍ଧୁ କର, ପରୀକ୍ଷିତ ରାଉଳ, ଅନିରୁଦ୍ଧ ଖଣ୍ଡେଇ, ଜଗବନ୍ଧୁ ସାହୁ, ପୁର୍ଣ୍ଣ ଚନ୍ଦ୍ର ମଲ୍ଲିକ, ବସନ୍ତ କର, ଵିନୋଦ ବିହାରୀ ଚଇନି, ସନ୍ତୋଷ ସାମଲ, ବୃନ୍ଦାବନ କର, ପରିକ୍ଷିତ ସା, ସନାତନ ଶଙ୍ଖୁଆ ପ୍ରମୁଖ ଚାଷୀମାନେ ଚେତାବନୀ ଦେଇଛନ୍ତି।


