ବଳକା ଧାନ ପାଇଁ ଆସୁନି ଟୋକନ, ଚିନ୍ତାରେ ଚାଷୀ

ହାଟଡିହି (ଓ୍ବାଇଏନଏସ); ସରକାର ଚାଷୀ ମାନଙ୍କ ଧାନ କିଣିବା ପାଇଁ କେତେ କଣ ଘୋଷଣା କରିଛନ୍ତି। ଯେପରି ଚାଷୀଟି ସହଜରେ ତାର ଉତ୍ପାଦିତ ଧାନକୁ ମଣ୍ଡିରେ ବିକି ଦିପାଇସା ଲାଭବାନ ହେବ ସେଥିନେଇ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଚଳିତ ବର୍ଷ ଉପଯୁକ୍ତ ପରିମାଣର ଧାନ ବିକ୍ରୀର ଟୋକନ ଆସି ନଥିବାରୁ ବିଚରା ଚାଷୀମାନେ କିପରି ସମ୍ପୂର୍ଣ୍ଣ ଧାନ ବିକିବେ ସେନେଇ ମୁଣ୍ଡରେ ହାତଦେଇ  ବସିଛନ୍ତି। ପ୍ରତିଦିନ ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ସମବାୟ ସମିତିର କେହି ବି ଅଧିକାରୀ ଏନେଇ ସ୍ପଷ୍ଟ ସୂଚନା ଦେଇ ପାରୁ ନାହାନ୍ତି। ଜଳକଳଙ୍ଗ ଗ୍ରାମର ଚାଷୀ ମଙ୍ଗୁଳି ଚରଣ ନାୟକଙ୍କ କହିବା ଅନୁଯାଇ ତାଙ୍କର ପଞ୍ଜିକୃତ କରିଥିବା ଚାଷଜମି ଅନୁଯାଇ  ତାଙ୍କର ୪୮କୁଇଣ୍ଟାଲ ଧାନ ବିକିବା ପାଇଁ ଟୋକନ ଆସିବାକୁ ଥିବାବେଳେ ମାତ୍ର ୨୩ କୁଇଣ୍ଟାଲ ଧାନ ବିକିବାକୁ ଟୋକନ ମିଳିଛି। ଏତେ କମ ପରିମାଣର ଟୋକନ ଆସିଥିବାରୁ ସେ ସଙ୍ଗେ ସଙ୍ଗେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଥିଲେ। ପ୍ରଥମ ପର୍ଯ୍ୟାୟରେ ଏତିକି ଆସିଛି ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଟୋକାନ ଆସିପାରେ ବୋଲି କହିଥିଲେ। ମାତ୍ର ମାସାଧିକ କାଳ ଅତିକ୍ରମ କରିବା ପରେ ମଧ୍ୟ ଆଉ ଟୋକନ ଆସୁନି। ତେଣୁ ସେ କିପରି ତାଙ୍କ ବଳକା ଧାନ ବିକିବେ ସେନେଇ ଚିନ୍ତାରେ ଅଛନ୍ତି। ସେହିପରି ହାଟଡିହି, ବଡ଼ରମ୍ପାସ, ଆମ୍ୱୋ, ଶାସଙ୍ଗ, ଛେନାପଦି, ମରେଇଗାଁ, ବଞ୍ଚ ଆଦି ଗ୍ରାମରେ ଏପରି ଅନେକ ଚାଷୀଙ୍କ ଏପରି ସମସ୍ୟା ହୋଇଥିବା ବେଳେ ଅନେକ ଚାଷୀଙ୍କ ଆଦୌ ଟୋକନ ଆସିନାହିଁ। ଏ ସମ୍ପର୍କରେ ମରେଇଗାଁ ସମିତିର ସମ୍ପାଦକ ଶରତ କୁମାର ସେଠିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅନେକ ଲୋକ ଆମ ପାଖକୁ ଏପରି ଅଭିଯୋଗ ମାନ ଧରି ଆସୁଛନ୍ତି। କିନ୍ତୁ ଆମ ପାଖରେ କୌଣସି ଉତ୍ତର ନଥିବାରୁ ସେମାନେ ନିରାଶ ହୋଇ ଫେରି ବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ