ଦିଗପହଣ୍ଡି ବ୍ଲକରେ ଚାରା ଦୁର୍ନୀତି :ଭିଜିଲାନ୍ସ ତଦନ୍ତ ଦାବି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଇଲାକାରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ନଡ଼ିଆ,କାଜୁ ଚାରା ରୋପଣ ନାଁ ରେ ମିଥ୍ୟା ବିଲ୍ କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ ନିମନ୍ତେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ବୃନ୍ଦ ଦାବୀ କରିଛନ୍ତି । ଦିଗପହଣ୍ଡି ବ୍ଲକ ସ୍ତରୀୟ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ରେ ଘଟଣା ପଦାକୁ ଆସିଛି।ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ ଶତପଥି ଅଧ୍ୟକ୍ଷତା କରିଥିଲେ। ବିଡ଼ିଓ ଅନାମିକା ପାଣ୍ଡେ , ବ୍ଳକ ଅଧ୍ୟକ୍ଷା ଯମୁନା ନାୟକ , ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ମଲାଣ , ଏପିଓ ସନ୍ତୋଷ ସାହୁ,ବ୍ଲକ ସାମାଜିକ ସମୀକ୍ଷକ ଶଙ୍କର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଶିବିରରେ ବ୍ଲକ ଅଧିନ ୨୫ ଟି ପଞ୍ଚାୟତରେ ବିଗତ ୬ ମାସ ମଧ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀତା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ସମଗ୍ର ଶିକ୍ଷା ଅଭିଯାନ ର ବିକାଶ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ବ୍ଲକ ଅଧିନ ଜକର ପଞ୍ଚାୟତ ଫୁଲସାଗର ପୋଖରୀ ହିଡ଼ ରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨ ଶହ ନଡ଼ିଆ ଚାରା ରୋପଣ କରାଯାଇଥିବା ଦର୍ଶାଇ ମାତ୍ର ୨୦ ଚାରା ରୋପଣ କରି ୨ ଲକ୍ଷ ୨୯ ହଜାର ୨୯୬ ଟଙ୍କା ଆତ୍ମସାତ କରାଯାଇଥିବା ଧରାପଡ଼ିଛି। ପୂର୍ବରୁ ଏନେଇ ସରପଞ୍ଚ ରଶ୍ମିତା ପ୍ରଧାନ ପଞ୍ଚାୟତ ବୈଠକରେ ତଦନ୍ତ ପାଇଁ ନିର୍ଦ୍ଧାରଣ କରାଯାଇଥିବା ଜଣାଇଛନ୍ତି। ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ପଞ୍ଚାୟତର ବିଭିନ୍ନ ଗାଁ ରେ ମୋ ପୋଖରୀ ଯୋଜନାରେ ପଞ୍ଚାୟତ ସରପଞ୍ଚ ଙ୍କ ମତାମତ ଲୋଡା ଯାଉନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଚାଉଳ ଶୁଖାଇବା ନାଁ ରେ ଅର୍ଥ ଆତ୍ମସାତ ନେଇ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ଯୋଗାଣ ନିରୀକ୍ଷକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି କହିଛନ୍ତି।ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଥ ହଡ଼ପ କରିଥିବା ସେ ଅଭିଯୋଗ କରିଛନ୍ତି। ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ରଘୁ ବନ୍ଧ ହିଡରେ ଗୋଟିଏ ବି ନଡ଼ିଆ ଚାରା ରୋପଣ କରାନଯାଇ ୧ ଶହ ନଡ଼ିଆ ଚାରା ରୋପଣ କରାଯାଇଥିବା ଦର୍ଶାଇ ୮୦୫୧୮ ଟଙ୍କା ଆତ୍ମସାତ କରାଯାଇଛି। ବି.ତୁରୁବୁଡି ପଞ୍ଚାୟତ ଝରିପଦର ଗ୍ରାମରେ ମାତ୍ର ୭୫ ଟି କାଜୁ ଚାରା ରୋପଣ କରାଯାଇ ୩ ଶହ ଚାରା ରୋପଣ ପାଇଁ ଖର୍ଚ୍ଚ ବାବଦରେ ୨୦୨୧୮୪ ଟଙ୍କା ବ୍ୟୟ ମଞ୍ଜୁରୀ କରାଯାଇଛି। ଫାସିଗୁଡ଼ା ପଞ୍ଚାୟତ ତୁଣ୍ଡୁରା ଗ୍ରାମ ଖାରିନାଳ ରେ ଚେକ୍ଡ଼୍ୟାମ ପାଇଁ ୭ ଲକ୍ଷ ଟଙ୍କା ବ୍ୟୟଅଟକଳ କରାଯାଇ ଚେକ୍ଡ଼୍ୟାମ ବଦଳରେ ଏକ କଲଭର୍ଟ କରାଯାଇ ୬୫୮୧୨୫ ଟଙ୍କା ବ୍ୟୟ ମଞ୍ଜୁରୀ କରାଯାଇଥିବା ନେଇ ସାମାଜିକ ସମୀକ୍ଷକ ଙ୍କ ଦ୍ଵାରା ତଦନ୍ତ ରିପୋର୍ଟ ଶିବିରରେ ଉପସ୍ଥାପନ କରାଯାଇଥିଲା।ସେହିପରି ଜକର ପଞ୍ଚାୟତରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଇଥିବା ଚାଉଳ ଓଦା ହୋଇଯାଇଥିବା ଦର୍ଶାଇ ଚାଉଳ ଶୁଖାଇବା ପାଇଁ ୬୪ ହଜାର ଟଙ୍କା ଆତ୍ମସାତ କରାଯାଇଥିବା ସାମାଜିକ ସମୀକ୍ଷକଙ୍କ ଅଡିଟ ରିପୋର୍ଟ ରେ ଉଲ୍ଲେଖ ରହିଥିବା ଜଣାପଡିଛି। ଶିବିରରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ , ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ତପନ ପ୍ରଧାନ , ଲିଙ୍ଗରାଜ ଦୋରା , ବିଜୟ ପ୍ରଧାନ , ବ୍ଳକ ଏମ.ପି ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ , ସମିତି ସଭ୍ୟ ସୁରଭି ବିଷୋୟୀ , ରମେଶ ଚନ୍ଦ୍ର ପାଢ଼ୀ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟରତ ଅଧିକାରୀ , ବ୍ଲକ ଶିକ୍ଷା ବିଭାଗ ଓ ଯୋଗାଣ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶିବିର ସମ୍ପର୍କରେ ସୂଚନା ଦିଆଯାଇନଥିବା ରୁ ବହୁ ସଂଖ୍ୟକ ନିର୍ବାଚିତ ପ୍ରତିନିଧି ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଚାରା ରୋପଣ ରେ ଅନିୟମିତତା ଓ ମହା ଦୁର୍ନୀତି ସମ୍ପର୍କରେ ବିଡ଼ିଓ ଙ୍କୁ ପଚାରିବାରେ ସମସ୍ତ ଅଭିଯୋଗ ର ତଦନ୍ତ କରାଯାଇ ସମ୍ପୃକ୍ତ କର୍ମଚାରୀ ଏବଂ ବ୍ୟକ୍ତି ବିଶେଷଙ୍କ ଠାରୁ ଅର୍ଥ ଆଦାୟ ପାଇଁ ଚିଠି କରାଯାଇଥିବା କହିଛନ୍ତି।ସେ ଏନେଇ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।