ଗୁଳିବିଦ୍ଧ ବାରହା ଜବତ ପରେ ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଜେଲ ଗଲା ଅଭିଯୁକ୍ତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ବାରିହାକଟା ଗ୍ରାମ ନିକଟ ଗାଇଡା ଜଙ୍ଗଲରୁ ଗତ ମାର୍ଚ୍ଚ ୨୧ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଏକ ଗୁଳିବିଦ୍ଧ ବାରହା ର ମୃତଦେହ କୁ ବନବିଭାଗ କର୍ମଚାରୀ ବୃନ୍ଦ ଜବତ କରିଥିଲେ।ବାରହା ଶିକାର ରେ ସମ୍ପୃକ୍ତ ଜଣେ ଶିକାରି ଙ୍କୁ କେ.ନୂଆଗାଁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ବୀରବର ପଲ୍ଲୀ ଗ୍ରାମର ନକୁଳ ଶବର। ଥାନା ମାମଲା ନଂ.୧୨୧/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଜଙ୍ଗଲରେ ବାରହା ଶିକାର ପାଇଁ ଫାସ ଲଗାଯାଇଥିବା ଖବର ପାଇ ନୂଆପଡ଼ା ବନପାଳ ଇଶ୍ୱା. ଗଣେଶ ସଦଳବଳେ ଜଙ୍ଗଲରେ ପହଞ୍ଚି ତଲାସି କରିଥିଲେ। ବନ କର୍ମଚାରୀ ଙ୍କୁ ଦେଖି ଅଭିଯୁକ୍ତ ନକୁଳ ଏବଂ ସୁଶାନ୍ତ ଶବର ସେମାନଙ୍କୁ ଆକ୍ରମଣ କରିଥିଲେ।ସେମାନଙ୍କ ଆକ୍ରମଣରେ ପାରା ବନ କର୍ମଚାରୀ ସଂଗ୍ରାମ ସିଂ ସାମାନ୍ୟ ଆହାତ ହୋଇଥିଲେ। ନକୁଳ ଓ ସୁଶାନ୍ତ ଘଟଣା ସ୍ଥଳରୁ କୌଶଳକ୍ରମେ ଦୌଡ଼ି ପଳାଇଥିବା ବେଳେ ସେଠାରେ ଥିବା ସିମାଞ୍ଚଳ ପ୍ରଧାନ ଙ୍କୁ ବନ କର୍ମଚାରୀ ବୃନ୍ଦ ମାଡ଼ି ବସିଥିଲେ। ବାରହା ଶିକାର ରେ ବ୍ୟବହୃତ ଦେଶୀ ବନ୍ଧୁକ,ଲୁହା ତେଣ୍ଟା,ଫାସ ଯୁକ୍ତ କ୍ଳଚ ୱାଇର, ମୋବାଇଲ ଫୋନ କୁ ଜବତ କରାଯାଇଥିଲା। ଏନେଇ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ସିମାଞ୍ଚଳ ଙ୍କୁ ବନ ବିଭାଗ ମାମଲା ନଂ.୧୯୭/୨୪-୨୫ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିଲା।ସୁଶାନ୍ତ କୋର୍ଟ ରେ ଆତ୍ମସମର୍ପଣ କରି ଜାମିନରେ ମୁକୁଳି ଥିବା ଜଣାପଡିଛି।


