ରେମୁଣାରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ
ବାଲେଶ୍ବର(ସରୋଜ ପଣ୍ଡା): ରେମୁଣା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଥିଲା। ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ କରକମଳରେ ଆୟୋଜିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ଚଷାଖଣ୍ଡ ପଞ୍ଚାୟତ ଅନ୍ତର୍ଗତ ସହିଦ୍ ବାଘାଯତୀନ ସ୍ମୃତି ପୀଠର ଉନ୍ନତି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନୁଦାନ କ୍ରମେ OTDC ତରଫରୁ ପ୍ରଦତ୍ତ ଏକ କୋଟି ପଚାଶ ଲକ୍ଷ ଟଙ୍କା କାର୍ଯ୍ୟର ଶିଳାନ୍ୟାସ କରାଯାଇଥିଲା। ଏହା ପରେ ଇଞ୍ଚୁଡ଼ି ପଞ୍ଚାୟତ ସ୍ଥିତ ପ୍ରସିଦ୍ଧ ଲବଣ ସତ୍ୟାଗ୍ରହ ସ୍ମୃତି ପୀଠର ଉନ୍ନତି କଳ୍ପେ ଦୁଇ କୋଟି ତେୟାଳିଶି ଲକ୍ଷ ଟଙ୍କା କାର୍ଯ୍ୟର ଶୁଭ ଶିଳାନ୍ୟାସ କରାଯାଇଥିଲା। ଅନ୍ୟ ପକ୍ଷରେ ଓଡିଶା ସରକାର ଙ୍କ “ବିକଶିତ ଗାଁ ବିକଶିତ ଓଡିଶା ” ଯୋଜନା ଅନ୍ତର୍ଗତରେ ଇଞ୍ଚୁଡ଼ି ପଞ୍ଚାୟତର ଲବଣ ସତ୍ୟାଗ୍ରହ ସ୍ମୃତି ବିଦ୍ୟାପୀଠ ଏବଂ ସିଆଳିପଦା ଖେଳ ପଡିଆର ଉନ୍ନତିକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ ମଧ୍ୟ କରାଯାଇଥିଲା। ଏହି ପ୍ରୟାସ ନିଶ୍ଚୟ ରେମୁଣାକୁ ପର୍ଯ୍ୟଟନ ମାନଚିତ୍ରରେ ଆହୁରି ଉଜ୍ଜ୍ୱଳ କରିବା ସହ ଏହି ପବିତ୍ର ପୀଠ ମାନଙ୍କର ଗୌରବକୁ ନୂତନ ଦିଗ ଦେବ ବୁଲି ବିଧାୟକ ଶ୍ରୀ ଦାସ କହିଥିଲେ। ଏହି ଅବସରରେ ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ଗୋପୀନାଥ ସେନାପତି, ବରିଷ୍ଠ କାର୍ଯ୍ୟକର୍ତ୍ତା ଜୟନ୍ତ ମଣ୍ଡଳ, ମଣ୍ଡଳ ସଭାପତି ମାନସ ମହାନ୍ତି, କାର୍ତ୍ତିକ ଚନ୍ଦ୍ର ଦାସ, ଅନାଦି ନାୟକ, ଅଜୟ ବାରିକ, ଡମ୍ବରୁଧର ଜେନା, ବ୍ରହ୍ମାନନ୍ଦ ବିଶ୍ୱାଳ, ସିଲି ବେହେରା ଇତ୍ୟାଦି ଉପସ୍ଥିତ ଥିଲେ ।


