ଗଜପତିରେ ପୁଣି ଚାରିଟିକିଆ ଜଙ୍ଗଲୀ ହାତୀ ଆତଙ୍କ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପୁଣି ଚାରିଟିକିଆ ଜଙ୍ଗଲୀ ହାତୀଙ୍କ ଆତଙ୍କରେ ଲୋକେ ଆତଙ୍କିତ ହୋଇପଡିଛନ୍ତି. ଏହି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତର ଆଦାନଗୁଡ଼ା ଓ ଯାନିଗୁଡ଼ା ଆଖ ପାଖରେ ଚାରିଗୋଟି ଜଙ୍ଗଲୀ ହାତୀ ନିକଟସ୍ଥ ଜଙ୍ଗଲ ଓ ଆମ୍ବତୋଟା ଆଦିରେ ବୁଲୁଥିବା ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଛି. ଏହି ଜଙ୍ଗଲୀ ଚାରିଟିକିଆ ହାତୀଗୁଡିକୁ ଦେଖିବା ପରେ ଗ୍ରାମବାସୀମାନେ ବନଅଧିକାରୀଙ୍କୁ ସୂଚନା ଦେଇଥିଲେ. ପରେ ବନଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ରାତି ସାରା ଜଗି ରହି ଆଖ ପାଖରେ ରହୁଥିବା ଜନସାଧାରଣଙ୍କୁ ସତର୍କ ରହିବା ସହ ହାତୀମାନଙ୍କୁ ରଗେଇବା ଭଳି କାର୍ଯ୍ୟକ୍ରମରୁ ଦୁରେଇ ରହିବା ପାଇଁ ଅନୁରୋଧ କରିଥିଲେ. ସମ୍ପୃକ୍ତ ଅଞ୍ଚଳର ଜଙ୍ଗଲର ଏହି ଚାରିଟିକିଆ ହାତୀ ବୁଲୁଥିବା ଘଟଣା ପ୍ରଚାର ହେବା ପରେ ଗାଇବା ପଞ୍ଚାୟତ ଓ ପରିଡ଼ା ପଞ୍ଚାୟତର ସମସ୍ତ ଗ୍ରାମର ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି. ସମ୍ପୃକ୍ତ ଘଟଣା ନେଇ ରେଞ୍ଜ ଅଧିକାରୀ ବ୍ରହ୍ମନନ୍ଦ ସାହୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଏହି ଚାରିଟିକିଆ ହାତୀପଲ ଗତ 40 ଦିନ ଧରି ଏହି ଅଞ୍ଚଳରେ ବିଚରଣ କରୁଛନ୍ତି. ଗତ 2 ଦିନ ହେଲା ଗଜପତିର କାଶୀନଗର ଓ ଗୁମ୍ମା ବ୍ଲକର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଚରଣ କରୁଛନ୍ତି. ବନବିଭାଗ ତରଫରୁ ସମ୍ପୃକ୍ତ ଅଞ୍ଚଳରେ ଆମେ ସଜାଗ ରହି ଜଙ୍ଗଲୀ ହାତୀଙ୍କ ଗତିବିଧି ଅନୁସରଣ କରିବା ସହ ସାଧାରଣଙ୍କ ଧନଜୀବନ ଯେପରି କ୍ଷତି ନ ହୁଏ ସେଥିପ୍ରତି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି.


