ପାଚେରୀ ଭାଙ୍ଗି ମକା ଫସଲ ପାଦରେ ଦଳି ଚକଟି ଦେଲେ ହାତୀ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନପାଳ ଅଧିନସ୍ଥ ଚିପିଣ୍ଡା ଅଞ୍ଚଳରେ ୬ ଟିକିଆ ହାତୀପଲ ରହି ପ୍ରତିଦିନ କ୍ଷୟକ୍ଷତି କରି ଚାଲିଥିବା ଦେଖିବାକୁ ମିଳିଛି। ଏହି ହାତୀ ଗୁଡିକ ଦିନ ତମାମ ଘଞ୍ଚ ଜଙ୍ଗଲ ରେ ଆଶ୍ରୟ ନେଇଛନ୍ତି ଏବଂ ସନ୍ଧ୍ୟା ହେଲେ ଜଙ୍ଗଲ ରୁ ବାହାରି ଆସି। ଗାଁ ଗୁଡ଼ିକରେ ପଶି ଚାଷୀ ମାନଙ୍କ ବାଡିରେ ପଶି ପନି ପରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକ ଖାଇବା ସହିତ ପାଦରେ ଦଳି ଚକଟି ନଷ୍ଟ କରି ଦେଉଥିବା ଦେଖିବାକୁ ମିଳିଛି। ବାଲିବନ୍ଧ ବନପାଳ ଚିପିଣ୍ଡା ବିଟ ର ଚିପିଣ୍ଡା ଗ୍ରାମର ସନ୍ତୋଷ କୁମାର ମହାକୁଡ଼ ଙ୍କ ପାଚେରୀ ଭାଙ୍ଗି ହାତୀ ପଲ ବାଡ଼ିରେ ଲାଗିଥିବା ମକ୍କା ଫସଲକୁ ଖାଇବା ସହିତ ପାଦରେ ଦଳି ଚକଟି ସଂପୂର୍ଣ୍ଣ ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି। ଏହି ବନାଞ୍ଚଳ ଗ୍ରାମ ଗୁଡ଼ିକ ରେ ରହିଥିବା ପରିବାର ଗୁଡ଼ିକ ବର୍ଷା ଦିନ ରେ ନିଜ ନିଜ ବାଡି ବଗିଚା ରେ ମକ୍କା,କାକୁଡି ଜହ୍ନି,ଲାଉ, ବୋଇତାଳୁ, ଝୁଡୁଙ୍ଗ,ପୋଇ ପରି ନଟି ଜାତୀୟ ପନିପରିବା ଚାଷ କରି ସେଥିରୁ ଫଳ ଅମଳ କରି ବଜାରରେ ବିକ୍ରି କରି ତେଲ ଲୁଣ କରିଥାନ୍ତି। କିନ୍ତୁ ହାତୀ ମାନେ ଏସବୁକୁ ନଷ୍ଟ କରି ଦେଉଥିବାରୁ ଚାଷୀମାନେ ବିଶେଷ କ୍ଷତି ସହୁଛନ୍ତି।ବନ ବିଭାଗ ର ଅଧିକାରୀ ମାନେ ହାତୀ ଦ୍ବାରା ହେଉଥିବା କ୍ଷୟକ୍ଷତି କୁ ଆକଳନ କରୁ ନାହାନ୍ତି କିମ୍ବା ଚାଷୀ ମାନଙ୍କୁ କୈଣସି ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରୁ ନାହାନ୍ତି। ହାତୀ ମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ବନବିଭାଗ ସାହାର୍ଯ୍ୟ କରିବା ପରିବର୍ତ୍ତେ ଅଣଦେଖା କରୁଥିବା ସମ୍ପର୍କରେ ଚାଷୀ ମାନଙ୍କ ତରଫରୁ ଅଭିଯୋଗ ହେଉଛି।


