ମୁନିଗୁଡାରେ ଗଣେଶ ଭସାଣ ଉତ୍ସବ
ମୁନିଗୁଡ଼ା,୨୦/୯ (ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ଜିଲ୍ଲା ମୁନିଗୁଡାରେ ଦୀର୍ଘ ୨୪ ଦିନ ପରେ ସମସ୍ତ ଗଣେଶ ପୂଜା ବିସର୍ଜନ ହୋଇଯାଇଥିବା ବେଳେ ଶୁକ୍ରବାର ଦିନ ଗୌଡ଼ସାହିସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ନିକଟ ପଡିଆରେ ବୀର ବିକ୍ରମ ୟୁଥ କ୍ଳବ ତରଫରୁ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଗଣେଶ ପୂଜାର ଭସାଣ ଉତ୍ସବ ଧୂମଧାମର ସହ ଏବଂ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇଯାଇଛି l ଏହି ଭସାଣି ଉତ୍ସବରେ ଗାଡ଼ିରେ ଗଣେଶଙ୍କ ମୂର୍ତ୍ତିକୁ ସୁସଜ୍ଜିତ କରାଯାଇ ପୂଜା ମଣ୍ଡପରୁ ଏକ ବଡ଼ ପଟୁଆରରେ ବାହାର କରିବା ସହ ଲୋକଙ୍କ ମନୋରଞ୍ଜନ ତଥା ଆକର୍ଷଣ କରିବା ନିମନ୍ତେ ଛତିଶଗଡର ରାୟପୁରରୁ ପାୱାର ଜୋନ ଡିଜେ ସହ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗ ଆତିସବାଜି କରାଯାଇଥିଲା l ଏଥିସହ ଆକାର୍ଷଣୀୟ ଘୁମୁରା ବାଦ୍ୟ ସାହାଯ୍ୟରେ ସହର ପରିକ୍ରମା କରାଯାଇଥିଲା l ଏହି ସହର ପରିକ୍ରମା ବେଳେ ପୂଜା କମିଟି ସହ ମୁନିଗୁଡାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଯୁବଗୋଷ୍ଟି ଓ ଲୋକମାନେ ଏହି ଡିଜେର ତାଳେ ତାଳେ ନାଚ କରି ଏହାର ମଜା ଉଠାଇଥିଲେ l ଏହି ବିସର୍ଜନ ଉତ୍ସବ ଦେଖିବାକୁ ପୁରା ମୁନିଗୁଡା ସହରରେ ଜନଗହଳି ହୋଇଥିଲା l ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ମୁନିଗୁଡା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l ଶେଷରେ ସମସ୍ତେ ଗଣେଶ ମୂର୍ତ୍ତିକୁ କୁତ୍ରାଗଡାର ବଂଶଧାରା ନଦୀରେ ରୀତିନୀତି ଅନୁଯାଇ ବିସର୍ଜନ କରାଯାଇଥିଲା l ଉକ୍ତ ବିସର୍ଜନ ଉତ୍ସବକୁ ପୂଜା କମିଟିର ହେମନ୍ତ ବଗର୍ତି,ସ୍ୱାଗତ ସ୍ୱମ୍ୟ ଲେଙ୍କା,ସଂଗ୍ରାମ ମିକୁନ,ଜିତେନ୍ଦ୍ର ପାତ୍ର,ପିଙ୍କୁ ନାୟକ, ସୁରେଶ ନାୟକ,କୀଟୁ,କବି ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କମିଟିର ଯୁବ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l


