ବାତ୍ୟା ମୁକାବିଲା ପାଇଁ ସଜାଗ ଗଞ୍ଜାମ ପ୍ରଶାସନ

ଛତ୍ରପୁର, (ଓ୍ବାଇଏନଏସ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ମୁକାବିଲା ଓ ଜନସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ଏନେଇ ମଙ୍ଗଳବାର ଛତ୍ରପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି। ଜିଲ୍ଲାବାସୀଙ୍କୁ ଭୟଭୀତ ନ ହୋଇ ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି। ଜିଲ୍ଲା, ବ୍ଲକ, ତହସିଲ ଓ ପୌରାଞ୍ଚଳ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍‌ କେନ୍ଦ୍ରର ଫୋନ୍‌ ନମ୍ବର ୦୬୮୧୧-୨୬୩୯୭୮ ଜାରି କରାଯାଇଛି। ନଦୀବନ୍ଧ ଓ ଜଳସ୍ତର ଉପରେ ନିରନ୍ତର ନଜର ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ସମୁଦ୍ରକୁ ଯିବା ଓ ମାଛଧରା କାର୍ଯ୍ୟ ସ୍ଥଗିତ ରଖାଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଶୀଘ୍ର ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳ ତହସିଲଦାର, ମତ୍ସ୍ୟ ଅଧିକାରୀ ଓ ସାମୁଦ୍ରିକ ପୁଲିସ୍‌ ସ୍ଥିତି ଉପରେ ନିରନ୍ତର ନଜର ରଖୁଛନ୍ତି। ଜରୁରୀକାଳୀନ ଉଦ୍ଧାର ଓ ମୁକାବିଲା ପାଇଁ ଏସ୍‌ଆର୍‌ସିଙ୍କ ପକ୍ଷରୁ ଗଞ୍ଜାମକୁ ୩ଟି ଓଡ୍ରାଫ୍‌ ଓ ୨ଟି ଏନ୍‌ଡିଆର୍‌ଏଫ୍‌ ଦଳ ମୁତୟନ କରାଯାଇଛି। ଛତ୍ରପୁରସ୍ଥିତ ଓଏସ୍‌ଏପି ୮ମ ବାଟାଲିଅନ୍‌ର ଗୋଟିଏ ଓଡ୍ରାଫ୍‌ ଦଳ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏବଂ ଅନ୍ୟ ଗୋଟିଏ ଦଳ ପାତ୍ରପୁରରେ ମୁତୟନ ହୋଇଛି। ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଦଳ ବ୍ରହ୍ମପୁରରେ ଓ ଅନ୍ୟଟି ଆସିକାରେ ରହିଛି। ଏହାସହ ୨୪ଟି ଅଗ୍ନିଶମ ଦଳ ଓ ଆବଶ୍ୟକ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି। ବିଭିନ୍ନ ସ୍ଥାନରେ ୪ଟି ଏସ୍‌ଆର୍‌ସି ପାୱାର ବୋଟ୍‌ ମଧ୍ୟ ମୁତୟନ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ଓ ସମ୍ବେଦନଶୀଳ ଅଞ୍ଚଳ ଉପରେ ପ୍ରଶାସନର ସ୍ୱତନ୍ତ୍ର ନଜର ରହିଛି। ୧୧୦ଟି ଏମ୍‌ସିଏସ୍‌/ଏମ୍‌ଏଫ୍‌ଏସ୍‌କୁ ଆବଶ୍ୟକୀୟ ବ୍ୟବସ୍ଥା ସହ ପ୍ରସ୍ତୁତ ରଖାଯାଇଛି। ଏଥିରେ ବିଦ୍ୟୁତ୍‌ ଯୋଗାଣ ପାଇଁ ବିକଳ୍ପ ବ୍ୟବସ୍ଥା, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ରହିଛି। ଜିଲ୍ଲାପାଳ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ୧,୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରି ପ୍ରସ୍ତୁତ ରଖାଯାଇଥିବା ବେଳେ ୯୨୨ଟି ସମ୍ବେଦନଶୀଳ ଗ୍ରାମ ଚିହ୍ନଟ କରାଯାଇଛି। ଜଳ ନିଷ୍କାସନ ଓ ଜଳବନ୍ଦୀ ସମସ୍ୟା ଦୂର କରିବାକୁ ବିଭିନ୍ନ ସ୍ଥାନରେ ସଫେଇ ଓ ଅବରୋଧ ହଟାଇବା କାର୍ଯ୍ୟ କରାଯାଇଛି। ବ୍ରହ୍ମପୁରର ଖୋଡ଼ାସିଙ୍ଗି ବ୍ରିଜ୍‌ ସଫେଇ, ଗଜପତିନଗରର ଲୋ-ଲେଭଲ୍‌ ବ୍ରିଜ୍‌ ଭାଙ୍ଗିବା, ଗୋପାଳପୁର ଜଙ୍କସନ୍‌ ନିକଟ ବାହାନା ନାଳା ଉପରୁ ଗଛ କାଟିବା ଓ ଅବରୋଧ ହଟାଇବା, ବଞ୍ଚାଦେଇନଗରରେ ବାହାନା ନାଳା ସଫେଇ, ଶରଧାବାଲିରେ ଜଳ ନିଷ୍କାସନ ଏବଂ ଗାୟତ୍ରୀ ବିହାରର ସୂର୍ଯ୍ୟ ନାଳା ସଫେଇ କରାଯାଇଛି। ଜରୁରୀକାଳୀନ ସାମଗ୍ରୀ ଭାବେ ୩୨୪.୧ କ୍ୱିଣ୍ଟାଲ୍‌ ଚୁଡ଼ା, ୩୩୨.୨ କ୍ୱିଣ୍ଟାଲ୍‌ ଗୁଡ଼ ଓ ୧୪,୨୦୦ ରୋଲ୍‌ ପଲିଥିନ୍‌ ମହଜୁଦ ରଖାଯାଇଛି। ଜିଲ୍ଲାରେ ମୋଟ ୧,୬୩୬ଟି ଡଙ୍ଗା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧,୩୫୪ଟି ମୋଟରଚାଳିତ ଓ ୨୮୨ଟି ଅଣମୋଟରଚାଳିତ ଡଙ୍ଗା ରହିଛି। ଗୋପାଳପୁର ବନ୍ଦରରେ ଆନ୍ଧ୍ରପ୍ରଦେଶର ୩୦ଟି ଓ ପାରାଦୀପରୁ ଆସିଥିବା ୪ଟି ଟ୍ରଲରକୁ ସୁରକ୍ଷିତ ଆଶ୍ରୟ ଦିଆଯାଇଛି। ସେହିପରି ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟିରେ ୨ଟି ଟ୍ରଲର ସୁରକ୍ଷିତ ରହିଛି। ଆର୍ଯ୍ୟପଲ୍ଲୀରେ ୧୩ ଜଣ ଏବଂ ଗୋପାଳପୁର ବନ୍ଦର ପରିସରରେ ୨୫୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ରଖାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ହେବାକୁ ଥିବା ୧,୨୬୨ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୧୮୮ ଜଣଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏହାମଧ୍ୟରୁ ୧୧୭ ଜଣଙ୍କର ସୁରକ୍ଷିତ ଭାବେ ପ୍ରସବ ସମ୍ପନ୍ନ ହୋଇଛି। ଏପର୍ଯ୍ୟନ୍ତ ୪୨ଟି ଆଶ୍ରୟସ୍ଥଳୀ ଚାଲୁ ରହିଛି। ସେଠାରେ ୨୪୦ ଜଣ ପୁରୁଷ, ୨୬୮ ଜଣ ମହିଳା ଓ ୧୭୦ ଜଣ ଶିଶୁଙ୍କୁ ମିଶାଇ ମୋଟ ୬୭୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ୨୪ଟି ମାଗଣା ରୋଷେଇ କେନ୍ଦ୍ର ଖୋଲାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଜନସୁରକ୍ଷା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ସହ ନିରନ୍ତର ସମନ୍ୱୟ ରଖାଯାଇଛି। ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଥିବା ଜିଲ୍ଲାପାଳ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା, ଡେପୁଟି କଲେକ୍ଟର (ଜରୁରୀକାଳୀନ) ସୁନୀଲ ସାଇ ଦେବାଶିଷ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ