କାଳୀ ପୂଜା ପାଇଁ ଉତ୍ସବ ମୁଖର ଗଣିଜାଙ୍ଗ

ବନ୍ତ,(ଚାନ୍ଦିନୀ ମହାନ୍ତି) : ସୋମବାର ରାତି ଠାରୁ ବନ୍ତ ବ୍ଲକ ଗଣିଜାଙ୍ଗ ଠାରେ ସର୍ବପୁରାତନ କାଳୀ ପୂଜା ଆରମ୍ଭ ହୋଇଛି । ଏନେଇ ସମଗ୍ର ବଜାର ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି । ପ୍ରାୟ ୭୦ ବର୍ଷ ପୂର୍ବେ ଏଠାରେ ଏହି ପୂଜା ଆରମ୍ଭ ହୋଇଥିଲା । ପ୍ରଥମେ ଏହି ପୂଜାକୁ ସ୍ୱର୍ଗତ ଗୌରହରି ପତି, ସିଦ୍ଧେଶ୍ୱର ଧଳ, ମୂର୍ତ୍ତି କାରିଗର ବୃନ୍ଦାବନ ମଜୁମଦାର, କୃଷ୍ଣ ପଣ୍ଡାଙ୍କ ସମେତ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଆରମ୍ଭ ହୋଇଥିଲା । ପରେ ବଜାର କମିଟି ପକ୍ଷରୁ ଏହି ପୂଜା ଅନୁଷ୍ଠିତ ହୋଇଆସୁଛି । ପ୍ରାରମ୍ଭରେ ସରୁ ସାଗର ନଦୀରୁ ୭ କଳସ ଅଣାଯାଇ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପୂଜକ ଜଗନ୍ନାଥ ପାଣିଗ୍ରାହୀ, ସତ୍ୟବ୍ରତ ପଣ୍ଡା, ଦୀପକ ପଣ୍ଡା, ହାଡିବନ୍ଧୁ ପଣ୍ଡା ପୂଜା ଦାୟୀତ୍ୱ ସମ୍ପାଦନ କରୁଛନ୍ତି । ମୂର୍ତ୍ତି କାରିଗର ମଧୁ ସୂଦନ ସେଠୀ, ଆନନ୍ଦ ଚନ୍ଦ୍ର ଜେନା, କୂଳମଣି ବାରିକଙ୍କ ଦ୍ୱାରା ୧୨ ଫୁଟ ଉଚ୍ଚତାର ମାଆଙ୍କ ମୃଣ୍ମୟୀ ମୂତ୍ତି ତିଆରି ହୋଇଥିବା ବେଳେ ପାଶ୍ୱର୍ ବାରୁଆଳୀ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି । ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ସୁୁଉଚ୍ଚ ତୋରଣ ନିର୍ମାଣ ସହ ବଜାର ଅଞ୍ଚଳକୁ ବିଭିନ୍ନ ରଙ୍ଗୀ ବେରଙ୍ଗୀ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଏଥିସହିତ ମୀନା ବଜାର, ଦୋଳି, ଚାଟ ଓ ଗୃହ ସାମଗ୍ରୀ ଓ ମନୋହରୀ ଦୋକାନ ଖୋଲା ଯାଇଛି । ଫଟୋ ଉଠାଇବା ପାଇଁ ସେଲ୍ଫି ପଏଣ୍ଟରେ ଦର୍ଶକଙ୍କ ଭିଡ ଜମୁଛି । ଏହି ପୂଜା ଦେଖିବା ପାଇଁ ବନ୍ତ ଓ ଭଦ୍ରକ ବ୍ଲକର ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି । ଶାନ୍ତି ଶୃଂଖଳା ରକ୍ଷା ପାଇଁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ପୂଜା ଉତ୍ସବ ୯ ଦିନ ଧରି ଚାଲିବ । ପୂଜା ଉତ୍ସବରେ ସାର୍ବଜନୀନ କାଳୀ ପୂଜା କମିଟିର ସଭାପତି, ସମ୍ପାଦକ, ସଦସ୍ୟଙ୍କ ସମେତ ବଜାର କମିଟିର କର୍ମକର୍ତ୍ତା ମାନେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ