ଆସୁଛନ୍ତି ଧନଦାତ୍ରୀ ମା ମହାଲକ୍ଷ୍ମୀ, ଆସିକାରେ ମୂର୍ତ୍ତି ଗଢାରେ ନିମଗ୍ନ କାରିଗର
ଆସିକା (ୱାଇଏନ୍ଏସ୍) :ଆଉମାତ୍ର କିଛି ଦିନ ପରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଅସ୍ଥାୟୀ ପୂଜା ମଣ୍ଡପରେ ଆରମ୍ଭ ହେବ ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ସହରଠୁ ଆରମ୍ଭ କରି ଗାଁ ଗହଳି ସବୁଠି ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଥିବା ବେଳେ ମୂର୍ତ୍ତି କାରିଗର ମାନେ ବି ଚଳଚଞ୍ଚଳ ହୋଇ ଉଠିଛନ୍ତି। ଆଉ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ମୂର୍ତ୍ତି ନିର୍ମାଣ କାମ ଜୋରସୋର ଚାଲିଥିବା ଲକ୍ଷ୍ୟ କରାଯାଇଛି। ସେଥିପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ମୂର୍ତ୍ତି କାରିଗରମାନେ ମୂର୍ତ୍ତି ଗଢାରେ ମାତି ଗଲେଣି । ମୂର୍ତ୍ତି ନିର୍ମାଣରେ ପରିଶ୍ରମ ତୁଳନାରେ ଲାଭ ମିଳୁନଥିଲେ ମଧ୍ୟ ମୂର୍ତ୍ତି କାରିଗରମାନେ ଦେଖାଇ ଚାଲିଛନ୍ତି ନିଜର ହାତର ଯାଦୁଗରୀ । ଆସିକା ବ୍ଳକ ଅଧୀନସ୍ଥ ସିଦ୍ଧନଇ ଗ୍ରାମର ଅଭିଜ୍ଞ ମୂର୍ତ୍ତି କାରିଗର ଗୋପାଳ ପଟ୍ଟନାୟକ ଓ ଯୋଗେନ୍ଦ୍ର ବେହେରା ଏବଂ ଆସିକା ସହରର ଭଗବାନ ବେହେରା ଏନ୍ଏସି ଅଧୀନସ୍ଥ ହାଟପଦାରେ ଅନୁଷ୍ଠିତ ହେବାକୁ ଥିବା ମହାଲକ୍ଷ୍ମୀ ପୂଜା ମହୋତ୍ସବ ପାଇଁ ନିଜର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରଖିଛନ୍ତି । ଅଭିଜ୍ଞ ମୂର୍ତ୍ତିକାରିଗର ଗୋପାଳ ପଟ୍ଟନାୟକ ଓ ଯୋଗେନ୍ଦ୍ର ବେହେରା ଏବଂ ଭଗବାନ ବେହେରାଙ୍କ ହାତଗଢା ମୂର୍ତ୍ତିର ଚାହିଦା ରହିଛି । ନିଜ ମୂର୍ତ୍ତି ତିଆରି କାର୍ଯ୍ୟକୁ ନେଇ ଶିଳ୍ପୀ ଗୋପାଳ ପଟ୍ଟନାୟକ କୁହନ୍ତି ପୂଜାପାର୍ବଣ ଆସିଲେ ବେପାର ଆସେ ତେବେ ଏହା କେବଳ ଋତୁକାଳୀନ ବେପାର ହୋଇଥିବାରୁ ଅନ୍ୟ ସମୟରେ ଭିନ୍ନ କିଛି ଜୀବନଜୀବିକା ଉପରେ ନିର୍ଭର କରିବାକୁ ପଡେ କିନ୍ତୁ ଏହି ବୃତ୍ତି ଦୀର୍ଘବର୍ଷ ହେଲା ଚାଲି ଆସିଥିବାରୁ ଛାଡିହେଉ ନାହିଁ । ଆଜିର ମହାଙ୍ଗା ଯୁଗରେ ମୂର୍ତ୍ତି କାମ କରି ଚଳି ହେଉନଥିବା ବେଳେ ସଠିକ୍ ପାରିଶ୍ରମିକ ମଧ୍ୟ ମିଳୁ ନାହିଁ । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ମା ମହାଲକ୍ଷ୍ମୀଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି । ଏପରିକି କାରିଗର ମାନେ ୨୪ଘଣ୍ଟା ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ମା ମହାଲକ୍ଷ୍ମୀଙ୍କ ପୂଜା ପାଇଁ ସିଦ୍ଧନଇ ଗ୍ରାମର ଅଭିଜ୍ଞ ମୂର୍ତ୍ତି କାରିଗର ଗୋପାଳ ପଟ୍ଟନାୟକ ମା ମହାଲକ୍ଷ୍ମୀ ପୂଜା ମହୋତ୍ସବ ପାଇଁ ବିଭିନ୍ନ ପ୍ରକାରର ମୂର୍ତ୍ତି ଗଢା କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳୁଛି । ମୂର୍ତ୍ତି କାରିଗର ଗୋପାଳ ପଟ୍ଟନାୟକ ନିଜର କଳାର ଦକ୍ଷତା ବଳରେ ମାଟି ଓ ପଥରକୁ ଜୀବନ୍ତ କରିଦେଇଥାନ୍ତି । ମୂର୍ତ୍ତି ନିମନ୍ତେ ଭକ୍ତଙ୍କ ଶ୍ରଦ୍ଧା ଓ ପ୍ରଶଂସାର ଦୁଇପଦ ଶୁଣିଲେ ସେ ନିଜର କଳାକୁ ଅଧିକ ଜୀବନ୍ତ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଭକ୍ତଙ୍କ ଏହି ପ୍ରଶଂସା ଟିକକ ମୂର୍ତ୍ତି କାରିଗର ଗୋପାଳ ପଟ୍ଟନାୟକଙ୍କ ପରିଶ୍ରମ ଓ କଷ୍ଟକୁ ଦୂରେଇ ଦେଇଥାଏ । ଗତ କିଛିବର୍ଷ ହେଲା ଚିକିଟା ମାଟିର ଅଭାବ ମୂର୍ତ୍ତିଗଢାରେ ଏକ ବିରାଟ ସମସ୍ୟା ଭାବେ ମୁଣ୍ଡ ଟେକିଛି । ବର୍ତ୍ତମାନ ସୁଦ୍ଧା ଚିକିଟା ମାଟିକୁ ଚିକ୍କଣ କରିବା ପାଇଁ କୌଣସି ମିଶ୍ରଣ ଯନ୍ତ୍ର ବାହାରି ନାହିଁ । ଯନ୍ତ୍ର ବାହାରି ଥିଲେ ଅଳ୍ପ ସମୟ ମଧ୍ୟରେ ଅଧିକ ମୂର୍ତ୍ତି ଗଢାଯାଇ ପାରିବା ସହ ମୂର୍ତ୍ତି ଗୁଡିକ ଅଧିକ ଜୀବନ୍ତ ହୋଇପାରିଥାନ୍ତା ବୋଲି ମୂର୍ତ୍ତି କାରିଗର ଗୋପାଳ ପଟ୍ଟନାୟକ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ମୂର୍ତ୍ତି ନିର୍ମାଣ କରି ଗୁଜୁରାଣ ମେଣ୍ଟାଉଥିବା କାରିଗର ମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦେବାର ମୂର୍ତ୍ତି କାରିଗର ଗୋପାଳ ପଟ୍ଟନାୟକ ଅଧିକ ଜୋର୍ ଦେଇଛନ୍ତି । ଆଉମାତ୍ର କିଛି ଦିନ ପରେ ଆସିକା ସହର ତଥା ଏହାରା ଆଖପାଖ କେତେକ ଅଞ୍ଚଳରେ ଅସ୍ଥାୟୀ ପୂଜା ମଣ୍ଡପରେ ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।


