ଆସିକାରେ ବାଟବଣା ସରକାରୀ ନିର୍ଦ୍ଦେଶ ! ଲେଖାହେଲାନି ସଂଶୋଧିତ ଇଂରାଜୀରେ ଆସିକା
ଆସିକା (ୱାଇଏନ୍ଏସ୍) : ଓଡିଆ ଉଚ୍ଚାରଣ ସହ ସାମଞ୍ଜସ୍ୟ ରଖି ସ୍ଥାନ ନାମର ଇଂରାଜୀ ବନାନକୁ ସଂଶୋଧନ କରି ରାଜ୍ୟ ସରକାର ଗତ କିଛି ଦିନ ତଳେ ନିର୍ଦ୍ଦେଶନାମା ଜାରି କରିଥିଲେ । ସରକାରଙ୍କ ଏହି ନିର୍ଦ୍ଦେଶ ନାନା କାରଣରୁ ଆସିକାରେ ବାଟବଣା ହୋଇଯାଇଛି ବୋଲି ସଚେତନ ନାଗରିକ ମଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବହୁ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ସଂସ୍ଥା ଓ ବହୁ ଶିକ୍ଷାନୁଷ୍ଠାନ ଗୁଡିକର ନାମ ଫଳକ ଏବେ ବି ଇଂରାଜୀରେ ଆସ୍କା ବନାନ ଲେଖା ରହିଥିବା ଦେଖିବାକୁ ମିଳୁଛି । ସରକାରଙ୍କ ପକ୍ଷରୁ ଇଂରାଜୀରେ ଲେଖାଯାଉଥିବା ଆସ୍କା ବନାନକୁ ସଂଶୋଧନ କରି ଆସିକା ଲେଖିବା ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲେ । ଆସିକା ଅଞ୍ଚଳରେ ଥିବା ଅଧିକାଂଶ କାର୍ଯ୍ୟାଳୟରେ ଏବେ ବି ପୁରୁଣା ବନାନ ଇଂରାଜୀରେ ଆସ୍କା ଲେଖାଯାଇଥିବା ଦେଖିବାକୁ ମିଳୁଛି । ଯାହା ପ୍ରଶାସନର ଉଦାସୀନତାକୁ ସ୍ପଷ୍ଟ କରୁଥିବା ଚର୍ଚ୍ଚା ହେଉଛି । ଯାହାରି ଫଳରେ ସରକାରୀ ନିର୍ଦ୍ଦେଶନାମା କେବଳ କାଗଜ କଲମରେ ସୀମିତ ରହିଯାଇଛି ବୋଲି ଚର୍ଚ୍ଚା ହେଉଛି । ସରକାରଙ୍କ ନିର୍ଦ୍ଦେଶକୁ କେତେକ ପ୍ରଶାସନିକ ଅଧିକାରୀ ଯେଉଁଭଳି ଭାବେ ଅଣଦେଖା କରିଚାଲିଛନ୍ତି ତାହାକୁ ନେଇ ସଚେତନ ନାଗରିକ ମହଲରେ ଅସନ୍ତୋଷ ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଆସ୍କାର ଇଂରାଜୀ ବନାନକୁ ସଂଶୋଧନ କରି ଆସିକା ଲେଖିବା ଲାଗି ନିର୍ଦ୍ଦେଶ ରହିଥିଲେ ବି ତାହା କାର୍ଯ୍ୟକାରୀ କରାନଯିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ରାଜ୍ୟର କେତେକ ଅଞ୍ଚଳର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିଲେ ବି ଅତ୍ୟନ୍ତ ପରିତାପର ବିଷୟ ଆସିକାରେ ତାହା କେବେ କାର୍ଯ୍ୟକାରୀ ହେବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଦେଖିବାକୁ ମିଳୁଛି । ସଂଶୋଧିତ ଇଂରାଜୀର ବନାନ ଆସ୍କା ପରିବର୍ତ୍ତେ ଆସିକା କେବେ ଲେଖାହେବ ତାହାକୁ ନେଇ ନାନା କଥା ଚର୍ଚ୍ଚା ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ପ୍ରାୟ ୯୦ ପ୍ରତିଶତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବହୁ ଶିକ୍ଷାନୁଷ୍ଠାନ ଏବଂ ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନରେ ଏବେବି ଇଂରାଜୀ ଭାଷାର ବନାନରେ ଆସ୍କା ଲେଖାଯାଇଥିବା ଦେଖିବାକୁ ମିଳୁଛି । ପ୍ରଶାସନିକ ଚାପ ପଡୁନଥିବାରୁ ଆସିକାରେ ସଂଶୋଧିତ ଇଂରାଜୀ ବନାନ ଲେଖିବାକୁ ବହୁ ସଂସ୍ଥା ଆଗ୍ରହ ପ୍ରକାଶ କରୁନଥିବା ମତ ପ୍ରକାଶ ପାଉଛି । ଆସିକା ସହ ତଥା ଏହାର ଆଖପାଖ ଅଞ୍ଚଳର ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବହୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ସାଇନ୍ ବୋର୍ଡ ଇଂରାଜୀରେ ଆସ୍କା ବୋଲି ଲେଖାଯାଇଥିବା ଦେଖିବାକୁ ମିଳୁଛି । ଓଡିଆ ଭାଷାରେ ଆସିକା ଲେଖାଯାଇଥିବା ବେଳେ ଇଂରାଜୀରେ ଆସ୍କା ଲେଖାଯାଇଥିବା ପରିଲକ୍ଷିତ ହେଉଛି । ଓଡିଆ ଅସ୍ମିତାକୁ ଆହୁରି ପ୍ରୋତ୍ସାହିତ ଏବଂ ଓଡିଆ ଭାଷାର ବହୁଳ ପ୍ରସାର ଓ ପ୍ରଚାର ପାଇଁ ଇଂରାଜୀ ଉଚ୍ଚାରଣକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ନିଶ୍ଚିତ ଭାବେ ଓଡିଆ ଭାଷାଗତ ପରିଚୟକୁ ଆହୁରି ସୁଦୃଢ କରିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିଲା ବେଳେ କେତେକ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ସରକାରଙ୍କ ନିର୍ଦ୍ଦେଶ ଆସିକାରେ ଅଦ୍ୟାବଧି ଶତପ୍ରତିଶତ ସଫଳ ହୋଇପାରିନଥିବା ଚର୍ଚ୍ଚା ହେଉଛି । ଗତ ଫେବୃୟାରୀ ମାସ ୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାର ୨୪ଟି ବ୍ଳକ, ଉପଖଣ୍ଡ ଓ ଜିଲ୍ଲା ମୁଖ୍ୟାଳୟର ନାମ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା ବେଳେ ସେଥିରେ “ଆସ୍କା”ର ଇଂରାଜୀ ନାମ ପରିବର୍ତ୍ତନର ସ୍ଥାନ ପାଇନଥିଲା । ପରେ ଗତ ଏପ୍ରିଲ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରକାଶିତ ତାଲିକାରେ “ଆସ୍କା”ର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାରଙ୍କ ପକ୍ଷରୁ ସୂଚନା ଜାରି ହୋଇଥିଲା । ଏ ସଂକ୍ରାନ୍ତରେ ଆପତ୍ତି ଏବଂ ଅଭିଯୋଗ ସଂଗ୍ରହ କରାଯିବା ପରେ ତାହାର ତର୍ଜମା କରାଯାଇ ଉଚ୍ଚ କ୍ଷମତାସଂପନ୍ନ କମିଟିର ସୁପାରିଶକୁ ଆଧାରରେ ଆସ୍କାର ଇଂରାଜୀ ନାମ ପରିବର୍ତ୍ତନକୁ ରାଜ୍ୟ କ୍ୟାବିନେଟରେ ମୋହର ବାଜିଥିଲା । ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଇଂରାଜୀରେ ଆସ୍କା ପରିବର୍ତ୍ତେ ଆସିକା ବୋଲି ଲେଖାଯିବ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯାହାରି ଫଳରେ ଇଂରାଜୀ ଭାଷାରେ ଆସ୍କା ଉଚ୍ଚାରଣରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ଓଡିଆ ସାଂସ୍କୃତିକ ଏକତାର ସୁରକ୍ଷା ପାଇଁ କିଛି ମାସ ତଳେ ଆସ୍କା ଇଂରାଜୀ ବନାନର ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ବିଭିନ୍ନ ମହଲରେ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଥିଲା । ରାଜ୍ୟର ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନର ସଂଶୋଧନ ପାଇଁ ଏକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଥିଲା । ସରକାରଙ୍କ ନିର୍ଦ୍ଦେଶକୁ ଦୀର୍ଘ ଦିନ ପୁରି ଯାଇଥିଲେ ବି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ସଂଶୋଧିତ ଇଂରାଜୀ ବନାନରେ ଆସ୍କା ପରିବର୍ତ୍ତେ ଆସିକା ଲେଖାନଯିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଯେପରି ଇଂରାଜୀ ବନାନର ସଂଶୋଧନ କରାଯାଇ ଆସ୍କା ପରିବର୍ତ୍ତେ ଆସିକା ଲେଖାଯିବ ସେ ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ଓ ସଂସ୍କୃତିପ୍ରେମୀ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।


