ଜେଜେ ମା’ର ସେବାରେ ଲାଗିଛି ନାତି
ହାଟଡିହି (ଓ୍ବାଇଏନଏସ): ଆଜିର ସମାଜରେ ବାପ ମା ବୃଦ୍ଧ ବୃଦ୍ଧା ହେବା ପରେ ସେମାନଙ୍କ ସେବା କରିବା ପରିବର୍ତ୍ତେ ଶାରୀରିକ ମାନସିକ ଯନ୍ତ୍ରଣା ପୁଅ ମାନେ ଦେଉଥିବା ଖବର ନୀତି ଦିନିଆ ହୋଇଛି । ହେଲେ ଆଜିବି ହଜିନି ମାନବିକତା । ମେଡିକାଲ ରେ ଚିକିତ୍ସା ହେଉଥିବା ଜଣେ ବୃଦ୍ଧା ଜେଜେ ମା କୁ ନିଷ୍ଠାର ସହ ରାତି ଦିନ ସେବା କରି ଚର୍ଚ୍ଚାରେ ନାତି ଶିବ । ଯେଉଁ କଅଁଳ ବୟସରେ କୁନି ହାତରେ ଖେଳିବା କଥା , ସେହି ବୟସରେ ବୃଦ୍ଧା ଜେଜେ ମା ର ସେବା କରୁଛି ନାତି। ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି। ସୂଚନା ଅନୁଯାଇ ହାଟଡ଼ିହି ବ୍ଲକ ଅଁରା ଗ୍ରାମର ବୃଦ୍ଧା ମହିଳା ଉତ୍ତରା ପରିଡା ରୋଗରେ ଆକ୍ରାନ୍ତ ହୋଇ ଭଦ୍ରକ ମେଡିକାଲ ରେ ଚିକିତ୍ସା ହେଉଥିବା ବେଳେ ପାଖରେ ସେବା କରିବା ପାଇଁ ପରିବାର ଲୋକ ନଥିବା ବେଳେ କୁନି ପିଲା ନାତି ଶିବ ପରିଡା ଦୀର୍ଘ ଚାରି ଦିନ ଧରି ଜେଜେ ମା ର ସେବା କରି ଆସୁଛି ।ଉତ୍ତରା ପରିଡା ଙ୍କ ତିନି ପୁଅ ମଧ୍ୟରୁ ଦୁଇ ପୁଅ ରାଜ୍ୟ ବାହାରେ ଦାଦନ ଖଟୁଥିବା ବେଳେ ଆଉ ଜଣେ ଗାଁରେ ମୁଲ ଲାଗି ପରିବାର ପୋଷଣ କରିଥାନ୍ତି । ଗାଁରେ ରହୁଥିବା ପୁଅର ମା ଙ୍କ ସେବା କରିବାକୁ ମନରେ ଇଛା ଥିଲେ ମଧ୍ୟ ପରିବାର ବୋଝକୁ ଦୃଷ୍ଟି ରେ ରଖି ମେଡିକାଲ ଆସି ପାରୁ ନାହାନ୍ତି । ଶେଷରେ ଉତ୍ତରାଙ୍କ କୁନି ନାତି ଶିବ ମେଡିକାଲରେ ଜେଜେ ମା ଙ୍କ ସବୁ ସେବା ଯୋଗାଇ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।