ତିଗିରିଆ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ
କଟକ, (ଓ୍ବାଇଏନଏସ): ତିଗିରିଆ ବ୍ଲକ କାର୍ଯ୍ୟଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୯୦ଟି ଅଭିଯୋଗ ହସ୍ତଗତ ହୋଇଥିଲା । ତନ୍ମଧ୍ୟରେ ୬୪ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୨୬ଟି ସାମୁହିକ ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣି ଶିବିରରେ ୨୭ଟି ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି କାଳରେ ପୁଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ,କଟକ ଶ୍ରୀ ପ୍ରଶାନ୍ତ କୁମାର ନାୟକ , ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରହ୍ଲାଦ ନାରାୟଣ ଶର୍ମା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିସହ ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପ୍ରାଣୀ ସମ୍ପଦ ଆଦି ସମ୍ପର୍କିତ ବିଭିନ୍ନ ପଞ୍ଜୀକୃତ ଅଭିଯୋଗର ଶୁଣାଣି ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଆସନ୍ତା ୯ ତାରିଖରେ ନିଶ୍ଚିନ୍ତକୋଇଲି ବ୍ଲକ୍ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।


