ରାସ୍ତା କଡକୁ ଦବିଲା ବାଲି ବୋଝେଇ ହାଇୱା, ଦୀର୍ଘ ଘଣ୍ଟା ଧରି ଯାତାୟତ ଠପ୍‌

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଅଧିନ ନିଳୋକ-ଶାଳନିଆ ଭାୟା ଓଳମ ରାସ୍ତାରେ ଏକ ବାଲି ବୋଝେଇ ହାଇୱା ରାସ୍ତା କଡକୁ ଦବି ଯିବା ଫଳରେ ଦୀର୍ଘ ସମୟ ଧରି ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ଶନିବାର ଅପରାହ୍ନରେ କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳର କୌଣସି ଏକ ବାଲି ଘାଟରୁ ଏକ ଓଭର ଲୋଡିଂ ବାଲି ବୋଝେଇ ହାଇୱା ନିଳୋକ-ଶାଳନିଆ ରାସ୍ତାରେ ଆସୁଥିବା ବେଳେ ଓଳମ ଠାରେ ରାସ୍ତା କଡକୁ ଖସି ଯାଇଥିଲ । ଫଳରେ ଦୀର୍ଘ ସମୟ ଧରି ଉକ୍ତ ରାସ୍ତାରେ ଲୋକ ମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରେ ଟୋଚର ସହାୟତାରେ ହାଇୱାଟିକୁ ଉପରକୁ ଉଠା ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ବାଲି ବୋଝେଇ ହାଇୱାଟିକୁ ଜବତ କରି ଥାନାକୁ ନେଇଥିବା ଜଣାଯାଇଛି । ପ୍ରକାଶ ଥାଉିକି, ବନ୍ତ ତହସିଲ ଅଧିନ ନିଳୋକ-ଶାଳନିଆ ଏବଂ ପଧାନପଡା-ଶାଳନିଆ ରାସ୍ତାରେ ଦୈନନ୍ଦିନ ଶହ ଶହ ସଂଖ୍ୟାର ହାଇୱା ଗାଡିରେ ବାଲି ଚୋରା ଚାଲାଣ ହେଉଛି । ଏହି ଗାଡି ଗୁଡିକ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧିନ ବିଭିନ୍ନ ବାଲି ଘାଟରୁ ଚୋରାରେ ବାଲି ନେଇ ପଶ୍ଚିମ ବଙ୍ଗ ରାଜ୍ୟକୁ ଯୋଗାଉଛନ୍ତି । ଏପରି ବାଲି ଚୋରା ଚାଲାଣ ବେଧଡକ ଭାବେ ଚାଲୁଥିବା ବେଳେ ପ୍ରଶାସନ ଏହାକୁ ରୋକିବାରେ ବିଫଳ ହେଉଛି । ଉପରୋକ୍ତ ରାସ୍ତାରେ ଓଭର ଲୋଡିଂ ବାଲି ବୋଝେଇ ହାଇୱା ଗାଡି ଗୁଡିକ ଯାତାୟତ କରୁଥିବାରୁ ରାସ୍ତା ଗୁଡିକ ଖାଲ ଖମାରେ ପରିଣତ ହେଉଛି । ଏବେ ସରକାରଙ୍କ ପକ୍ଷରୁ ବିଭିନ୍ନ ବାଲି ଘାଟ ଗୁଡିକ ବନ୍ଦ ଥିବା ବେଳେ ବାଲି ମାଫିଆ ମାନେ ଚୋରାରେ ବାଲି ବିକ୍ର କରି ମାଲେମାଲ ହେଉଛନ୍ତି । ଅପରପକ୍ଷେ ଉପରୋକ୍ତ ରାସ୍ତା ଗୁଡିକରେ ଓଭର ଲୋଡିଂ ଗାଡି ଯିବାର ନିୟମ ନଥିବା ବେଳେ ବେଆଇନ ଭାବେ ଓଭର ଲୋଡିଂ ଗାଡି ଯାତାୟତ କରୁଛି । ଏପରି ଓଭର ଲୋଡିଂ ବାଲି ଚୋରା ଚାଲାଣ ଏବଂ ରାସ୍ତାର ସୁରକ୍ଷାକୁ ଦୃଷ୍ଟି ଦେଇ ସ୍ଥାନୀୟ ଲୋକମାନେ ଏହାକୁ ବାରମ୍ବାର ବିରୋଧ କରିବା ସହିତ ଅଭିଯୋଗ କରିଆସୁଛନ୍ତି । ମାତ୍ର ପ୍ରଶାସନ ଜାଣି ନଜାଣିଲା ପରି ଚୁପ୍ ରହୁଛି । କେତେକ ସମୟରେ ଲୋକ ଦେଖାଣିଆ ଭାବେ ଗାଡି ଗୁଡିକୁ ଜବତ କରି ଥାନାକୁ ନେବା ପରେ ସେଠାରେ ଛାଡି ଦିଆଯାଉଛି । ଏହି ଅଞ୍ଚଳରେ ଏଭଳି ବାଲି ଚୋରା ଚାଲାଣ ଏକପ୍ରକାର ନିତି ଦିନିଆ ଘଟଣା ହୋଇଯାଇଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ