ଅନାଥ ଜୁଆଙ୍ଗ ୪ ଶିଶୁଙ୍କୁ ସହାୟତା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଳ୍ଲା ବାଂଶପାଳ ବ୍ଲକ ଗୋନାସିକା ପଂଚାୟତ ଅନ୍ତର୍ଗତ ଜନ୍ତାରୀ ଗାଁର ବାପ,ମାଆ ଛେଉଣ୍ଡ ୪ ଭାଇଭଉଣୀଙ୍କୁ ସହାୟତାର ହାତ ବଢାଇଛନ୍ତି ବିଜେପି ଜିଲ୍ଲା ଉପ ସଭାପତି ଗୋପିନାଥ ରାମ ଏବଂ ବିଜେପି ଗୋନାସିକା ମଣ୍ଡଳ ର କାର୍ଯ୍ୟକତ୍ତା ବିନୋଦ ଜୁଆଙ୍ଗଙ୍କ ଏକାଦଶାହ କାର୍ଯ୍ୟ ପାଇଁ ୨୦ ହଜାର ଟଙ୍କା ସହାୟତା ଦେଇଛନ୍ତି । ଅନାଥ ଶିଶୁ ମାନଙ୍କ ପାଠପଢା,ଆବାସ ଗୃହ ସମ୍ପୂର୍ଣ୍ଣ କରିବା ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ବିଜେପି ଜିଲ୍ଲା ଉପସଭାପତି ଗୋପିନାଥ ରାମ ବାଂଶପାଳ ବିଡିଓ ଙ୍କ ସହ ଆଲୋଚନା କରିଛନ୍ତି । ଚଳିତ ମାସ ୮ତାରିଖରେ ବିନୋଦ ଜୁଆଙ୍ଗର ମୃତ୍ୟୁ ହୋଇଥିବାବେଳେ ଠିକ୍ ବର୍ଷେ ପୂର୍ବରୁ ତାଙ୍କ ସ୍ତ୍ରୀ ତିଳୋତ୍ତମା ଜୁଆଙ୍ଗର ମୃତ୍ୟୁ ହୋଇଥିଲା । ବାପ,ମାଆ ମୃତ୍ୟୁ ପରେ ୪ଛୁଆ ଗୋବିନ୍ଦ ଜୁଆଙ୍ଗ (୧୨), ପିଙ୍କି ଜୁଆଙ୍ଗ(୧୦),ସନ୍ଧ୍ୟାରାଣୀ ଜୁଆଙ୍ଗ (୫) ଓ ଅଞ୍ଜନା ଜୁଆଙ୍ଗ (୩) ଅନାଥ ହୋଇ ପଡିଛନ୍ତି । ବାପାଙ୍କ ମୃତ୍ୟୁ ପରେ ତାଙ୍କ ଶୁଦ୍ଧିକ୍ରୀୟ କିପରି କରାଯିବ ତାକୁ ନେଇ ଗାଁର କିଛି ଯୁବକ ସହାୟତା ପାଇଁ ନିବେଦନ କରିଥିଲେ । ଭଙ୍ଗା ଚାଳ ଛପର ଘରେ ଛୁଆମାନେ ରହୁଥିବାବେଳେ ସେମାନଙ୍କ ପାଇଁ ଅସମ୍ପୂର୍ଣ୍ଣ ପ୍ରଧାନମନ୍ତ୍ରୀ ଆବାସ ଘର ସମ୍ପୂର୍ଣ୍ଣ କରିବା ଏବଂ ପାଠ ପଢିବା ପାଇଁ କୌଣସି ଆଶ୍ରମ ବିଦ୍ୟାଳୟରେ ବ୍ୟବସ୍ଥା କରିବାକୁ ଜୁଆଙ୍ଗ ପୀଢ ମହା ସର୍ଦ୍ଦାର କୃଷ୍ଣ ଜୁଆଙ୍ଗ ଦାବୀ କରିଛନ୍ତି ।


