ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କ ଝଟକା

କଟକ,(ଓ୍ବାଇଏନଏସ): ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କ ଝଟକା ଲାଗିଛି । ଏହି ଯୋଜନାକୁ ଚା‌ଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ଜବାବ ଦାଖଲ ପାଇଁ ଇଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଏହି ଯୋଜନା କାର୍ଯ୍ୟକାରୀ ଉପରେ ମଧ୍ୟ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା କାର୍ଯ୍ୟକାରୀ ପ୍ରସଂଗରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି । ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁରୀ ଜିଲ୍ଲା କଣାସ ଅଞ୍ଚଳର ପ୍ରତାପ ପରିଡ଼ାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମାମଲାର ବିବରଣୀରୁ ଜଣା ପଡିଛି ଯେ, ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ରାଜ୍ୟ ସରକାର ଚଳିତ ବର୍ଷ ପ୍ରାରମ୍ଭରେ ଆରମ୍ଭ କରିଥିଲେ । ଏହି ଯୋଜନାରେ ଗାଁରେ ରାସ୍ତାଘାଟ, ଶିକ୍ଷା ଭିତ୍ତିଭୂମି, ଗୋଷ୍ଠୀ ସଂପତ୍ତି, ପୂଜାପାଠ ସ୍ଥାନର ଉନ୍ନତିକରଣ କରାଯିବ । ଏଥି ସହିତ ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ପ୍ରକଳ୍ପର ବିକାଶ ହେବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା । କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ପ୍ରସଂଗରେ ଗ୍ରାମପଞ୍ଚାୟତ ଓ ଗ୍ରାମସଭାର ଭୂମିକାକୁ ହ୍ରାସ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଗ୍ରାମପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ହ୍ରାସ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ନିଷ୍ପତ୍ତି ଜିଲ୍ଲାପାଳ ନେଉଛନ୍ତି । ଗ୍ରାମ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରି ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କାର୍ଯ୍ୟକାରୀ କରାଯାଉଛି । ଏହା ସାମ୍ବିଧାନର ଧାରା ୨୪୩ ଓ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ତେବେ ଅଗଷ୍ଟ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ