ବନ୍ୟା ଆଶଙ୍କାକୁ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଧାମନଗର (ଓ୍ବାଇଏନଏସ): ଆକାଶରୁ ଝରୁଛି ଅସରା ଅସରା ବର୍ଷା,ବୈତରଣୀ ନଦୀର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେତୁ ନଦୀରେ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଛି।ତଳିଆ ଅଞ୍ଚଳରେ ବଢ଼ୁଛି ବନ୍ୟା ଭୟ। ବିଗତ ୨୪ ଘଣ୍ଟା ମଧ୍ୟରେ ବୈତରଣୀ ନଦୀର ଉପରମୁଣ୍ଡ ଚମ୍ପୁଆ ଠାରେ ୮୨ .୬ ମିଲିମିଟର ବର୍ଷା ହୋଇଥିବା ବେଳେ କେନ୍ଦୁଝର ଠାରେ ୯୪ .୦ ମିଲିମିଟର,ଆନନ୍ଦପୁର ଠାରେ ୯୯.୬ ମିଲିମିଟର,ଆଖୁଆପଦା ଠାରେ ୬୮.୪ ମିଲିମିଟର ଓ ସୋମପାଟଣା ଠାରେ ସର୍ବାଧିକ ୧୧୪.୦ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି।ବୈତରଣୀ ନଦୀର ଆଖୁଆପଦା ଠାରେ ବନ୍ଯାଜଳ ବିପଦ ସଙ୍କେତ ର ଉର୍ଦ୍ଧ୍ବ ରେ ପ୍ରବାହିତ ହେଉଛି। ସେଠାରେ ସତର୍କ ସଙ୍କେତ ୧୭.୮୩ ମିଟର ଥିବାବେଳେ ବିପଦ ସଙ୍କେତ ହେଉଛି ୧୮.୩୩ ମିଟର।ମଙ୍ଗଳବାର ଅପରାହ୍ନ ୩ ଟା ୧୮ ମିନିଟରେ ବନ୍ଯାଜଳ ବିପଦ ସଙ୍କେତ ଅତିକ୍ରମ କରିଥିବାବେଳେ ସନ୍ଧ୍ଯା ୭ ଟା ସୁଦ୍ଧା ଜଳସ୍ତର ବିପଦ ସଙ୍କେତର ବହୁ ଉର୍ଦ୍ଧ୍ବରେ ଅର୍ଥାତ ୧୯ .୨୧ ମିଟରରେ ପ୍ରବାହିତ ହେଉଛି।ଏହା କ୍ରମଶଃ ବୃଦ୍ଧି ପାଇ ୨୦ ମିଟରରୁ ଅଧିକ ହୋଇପାରେ ବୋଲି ଧାମନଗର ଜଳସଂପଦ ବିଭାଗ ରୁ ସୂଚନା ମିଳିଛି।ବଡ ଧରଣର ବନ୍ଯା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା କୁ ଦୃଷ୍ଟି ରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।ମାଇକ ଯୋଗେ ଧାମନଗର ଖାଲୁଆ ଅଞ୍ଚଳର ଜନସାଧାରଣଙ୍କୁ ଉଚ୍ଚ ସ୍ଥାନ କିମ୍ବା ନିକଟସ୍ଥ ସ୍କୁଲ,କଲେଜ ପରିସରକୁ ଚାଲିଯିବାପାଇଁ ଆଗୁଆ ସୂଚନା ଦିଆଯାଇଛି।ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଅପରାହ୍ନରେ ଧାମନଗର ବ୍ଲକ କାର୍ଯ୍ଯାଳୟରେ ସମ୍ଭାବ୍ଯ ବନ୍ଯା ପରିସ୍ଥିତିର ସମୀକ୍ଷା କରିଛନ୍ତି। ମଙ୍ଗଳବାର ରାତି ୨ ଟା ସୁଦ୍ଧା ବୈତରଣୀ ନଦୀର ଜଳସ୍ତର ସର୍ବୋଚ୍ଚ ସ୍ତରରେ ପହଁଞ୍ଚିବ। ଏଣୁ ଆଜି ରାତି  ୧୧ଟା ସୁଦ୍ଧା ନଦୀ ବନ୍ଧର ସମସ୍ତ ଦୁର୍ବଳ ସ୍ଥାନରେ ବାଲିବସ୍ତା ମହଜୁଦ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଧାମନଗର ତହସିଲରେ ୪ ଟି ବୋଟ ମହଜୁଦ ଥିବା ବେଳେ ୬ ଟି ବୋଟ ନଦୀର  ବିଭିନ୍ନ ସ୍ଥାନରେ ରଖାଯାଇଥିବା ଧାମନଗର ବିଡିଓ ବନବିହାରୀ ଦିଣ୍ଡା ସୂଚନା ଦେଇଥିଲେ। ସମ୍ଭାବ୍ୟ ବନ୍ୟା ପ୍ରଭାବିତ ପଞ୍ଚାୟତ ଗୁଡିକରେ ଓଡ୍ରାଫ୍ ଟିମ୍,ଫାୟାର ଟିମ୍ ଓ ଦେଶି ଡଙ୍ଗା ମହଜୁଦ ରଖାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ସମସ୍ତ ବନ୍ୟା ଆଶ୍ରୟସ୍ଥଳୀରେ ପାଣି ବୋତଲ, ଆବଶ୍ୟକ ଔଷଧ ମହଜୁଦ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଭଦ୍ରକ ଜିଲ୍ଲାପାଳ ଡଃ ଦିଲ୍ଲୀପ  ରାଉତରାଏ,ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ,ଜିଲ୍ଲା ଚିକିତ୍ସାଧିକାରୀ ଡା.ପ୍ରମୋଦ ପ୍ରହରାଜ,ବ୍ଲକ ଉନ୍ନୟନ ଅଧିକାରୀ ବନବିହାରୀ ଦିନ୍ଦା,ତହସିଲଦାର ଜ୍ଞାନରଞ୍ଜନ ସାହୁ,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,ଏସଡିପିଓ ବିଷ୍ଣୁ ଚରଣ ବାରିକ,ରେଞ୍ଜର ବବୁଲ ମଲିକ,ଯୋଗାଣ ଅଧିକାରୀ ପ୍ରୀତିଶ ରଞ୍ଜନ ସାମଲ,ସିଡିପିଓ ଦମୟନ୍ତି ଦେଇଙ୍କ ସମେତ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ,ସ୍ୱାସ୍ଥ୍ୟ ବିଭାଗ ସହ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ପରିସ୍ଥିତି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ