ବାତ୍ୟା ବର୍ଷାରେ ଫିକା ପଡ଼ିଲା କଟକ ପୂର୍ବାଞ୍ଚଳର ଐତିହାସିକ କାଳୀ ମେଳଣ
କଟକ, (ଓ୍ବାଇଏନଏସ): ବାତ୍ୟା ‘ଆକ୍ୱାନ’ର ପ୍ରଭାବରେ ଲଗାତାର ବର୍ଷା ଯୋଗୁଁ ଫିକା ପଡ଼ିଲା କଟକ ପୂର୍ବାଞ୍ଚଳର ବହୁ ପ୍ରସିଦ୍ଧ ଐତିହାସିକ କାଳୀ ମେଳଣ ଓ ଭସାଣି ଉତ୍ସବ। ପ୍ରତିବର୍ଷ ଏହି ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହେଉଥିବାବେଳେ ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ ଉତ୍ସବର ଆନନ୍ଦ ଓ ଉତ୍ସାହ କିଛିଟା ମଳିନ ପଡ଼ିଥିଲା। ତଥାପି ପରମ୍ପରା ଓ ଧାର୍ମିକ ରୀତିନୀତିକୁ ବଜାୟ ରଖି ଶୃଙ୍ଖଳିତ ଭାବେ ଭସାଣି ଉତ୍ସବ ସମ୍ପନ୍ନ ହୋଇଛି। ପାଗ ଅନୁକୂଳ ନଥିବା ସତ୍ତ୍ୱେ ମେଳଣ ପଡ଼ିଆରୁ ଗୋଟିଏ ପରେ ଗୋଟିଏ ମୋଟ ୩୧ଟି ମେଢ଼କୁ ବିସର୍ଜନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କୃତ୍ରିମ ପୁଷ୍କରିଣୀକୁ ନିଆଯାଇଥିଲା। ବିଭିନ୍ନ ପୂଜା କମିଟିର ସଭାପତି ଓ ସମ୍ପାଦକଙ୍କ ସମେତ ସିଆରଆରଆଇ ଥାନା ଅଧିକାରୀ ଏବଂ ଜୋନ୍-୫ ଏସିପିଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ଚାଲିଥିଲା। ଅନ୍ୟପଟେ ବର୍ଷା ସତ୍ତ୍ୱେ ସକାଳୁ ମଣ୍ଡପରୁ ଦୁଇ ଭଉଣୀଙ୍କୁ ବାହାର କରାଯାଇ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଘଣ୍ଟ, ଘଣ୍ଟା ଓ ପାରମ୍ପରିକ ବାଦ୍ୟଯନ୍ତ୍ରର ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା। ଶ୍ରଦ୍ଧାଳୁମାନେ ଦୁଇ ମା’ଙ୍କୁ କାନ୍ଧରେ ବୋହି ତାଳଦଣ୍ଡା କେନାଲସ୍ଥିତ କାଳୀଘାଟକୁ ନେଇ ବିସର୍ଜନ କରିଥିଲେ। ବୁଧବାର ଅନୁଷ୍ଠିତ ହୋଇଥିଲା ଐତିହାସିକ କାଳୀ ମେଳଣ। ପୂର୍ବାଞ୍ଚଳର ସମସ୍ତ ୨୮ଟି ସାହିର ମେଢ଼ ସାହି ପରିକ୍ରମା କରିବା ପରେ ଦୋଳମଣ୍ଡପ ସାହିସ୍ଥିତ ମଞ୍ଚରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ପୂଜା କମିଟିର ସଭାପତି ଓ ସମ୍ପାଦକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭସାଣି ଶୋଭାଯାତ୍ରାରେ ବ୍ୟାଣ୍ଡ ପାର୍ଟି, ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଘଣ୍ଟ ଆଦି ସାମିଲ ହୋଇଥିଲା। ସମ୍ବର୍ଦ୍ଧନା ସଭାରେ କଟକ ଡିସିପି ଋଷିକେଶ ଖିଲାରୀ, ବିଜେପି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ବିଧାୟକ ବ୍ୟୋମକେଶ ରାୟ, ମେୟର ସୁବାଷ ସିଂ, ବିଜେଡି ସଭାପତି ପ୍ରଫୁଲ୍ଲ ସିଂ, କର୍ପୋରେଟର ବିଶ୍ୱବନ୍ଦିତା ପଣ୍ଡା ଓ ତାପସ ସାମନ୍ତରାୟଙ୍କ ସମେତ ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟି ଏବଂ ବିଦ୍ୟାଧରପୁର ପୂଜା କମିଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଅତିଥିମାନେ ଐତିହାସିକ ବିଦ୍ୟାଧରପୁର କାଳୀପୂଜାର ପରମ୍ପରା ଓ ମହତ୍ତ୍ୱ ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ। ପାଗ ଖରାପ ଥିବା ସତ୍ତ୍ୱେ ମେଳାରେ ବହୁ ସଂଖ୍ୟାରେ ଦର୍ଶକ ସାମିଲ ହୋଇ ଉତ୍ସବକୁ ଉପଭୋଗ କରିଥିଲେ। ଭସାଣି ଓ ମେଳଣ ସମୟରେ ଶାନ୍ତିଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ପୋଲିସ ପକ୍ଷରୁ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ପୋଲିସ ଓ ପ୍ରଶାସନର ତଦାରଖ ମଧ୍ୟରେ ସମସ୍ତ ମେଢ଼ର ଭସାଣି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ବର୍ଷା ଯୋଗୁଁ ଚଳିତ ବର୍ଷ ଉତ୍ସବର ଚମକ କିଛିଟା କମିଥିଲେ ମଧ୍ୟ ପରମ୍ପରା ଓ ଭକ୍ତିଭାବରେ କୌଣସି ଊଣା ହୋଇନଥିଲା। ମା’ଙ୍କୁ ଭାବବିହ୍ୱଳ ବିଦାୟ ଦେଇ ଆସନ୍ତା ବର୍ଷ ପୁଣି ଏହି ଐତିହାସିକ ମେଳଣକୁ ଅପେକ୍ଷା କରିଛନ୍ତି କଟକବାସୀ।


