୨୩ ଭାଷାରେ ପବିତ୍ର କୋରାନ ପ୍ରଦର୍ଶନୀ

କଟକ (ଓ୍ବାଇଏନଏସ): ଅହମଦୀୟା ମୁସଲିମ ସଂପ୍ରଦାୟ କଟକ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପବିତ୍ର କୋରାନ ସପ୍ତାହ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମର ଉଦଘାଟଣୀ ଉତ୍ସବରେ ସଭାପତି ସୟଦ ତାହିର ଅହମଦ କଲିମ ପୌରୋହିତ୍ୟ କରିଥିଲେ । ପବିତ୍ର କୋରାନ ପାଠ ସୟଦ ମୋତାହର ଅହମଦ କରିଥିବା ବେଳେ ଉର୍ଦ୍ଦୁ ନଜମ ଅବରାର ଅଲି ପଢିଥିଲେ । ମୁଖ୍ୟ ଅତିଥିଭାବେ ଉପସଭାପତି ସୟଦ ଅହମଦ ନରୁଲ୍ଲା ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୌଲାନା ଫଜଲ ହକ ଖାନ୍ କହିଲେ, ପବିତ୍ର କୋରାନ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ପବିତ୍ର କୋରାନରେ ସକଳ ସମସ୍ୟାର ସମାଧାନ ରହିଛି । ସଭାପତିତ୍ବ ଭାଷଣରେ ସୟଦ ତାହିର ଅହମଦ କଲିମ କହିଲେ, ପବିତ୍ର କୋରାନ ଏକ ସଂପୂର୍ଣ୍ଣ ଐଶ୍ବରୀୟ ଧର୍ମ ପୁସ୍ତକ । ଏହା ମଧ୍ୟରେ ବହୁତ ଭବିଷ୍ୟତବାଣୀ ଉଲ୍ଲେଖ ରହିଛି । ଦୈନନ୍ଦିନ ଏହି ଧର୍ମ ପୁସ୍ତକକୁ କୋଟି କୋଟି ଲୋକ ପଢୁଛନ୍ତି । ଏହାକୁ ପଢିଲେ ଆତ୍ମତୃପ୍ତି ଓ ମନଶାନ୍ତ ରହିଥାଏ । ସର୍ବତ୍ର ଶୁଭ ଓ ଲାଭ ହୋଇଥାଏ । ଏହି କାର୍ଯ୍ୟକ୍ରମ ମଙ୍ଗଳାବାଗ ଅହମଦୀୟା ମୁସଲିମ ମିଶନ ଠାରେ ତିନିଦିନ, ପିଠାପୁର ସ୍ଥିତ ସଲାମତବାଗ ଠାରେ ଦୁଇଦିନ ଏବଂ ଓ.ଏମ.ପି ଓ ସି.ଡି.ଏ ଠାରେ ଏକ ଏକ ଦିନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ମୂଖ୍ୟ ଆକର୍ଷଣ ହେଲା, ୨୩ ଭାଷାରେ ପବିତ୍ର କୋରାନର ପ୍ରଦର୍ଶନୀ । ଏହି ପବିତ୍ର କୋରାନର ପ୍ରଦର୍ଶନୀରେ ଭାରତରେ ପ୍ରଚଳିତ ହିନ୍ଦୀ, ବଙ୍ଗାଳୀ, ଆସାମି, ଓଡିଆ, ତେଲୁଗୁ, ତାମିଲ, କନ୍ନଡ, ମଲିଆଲମ, ମରାଠି, ଗୁଜୁରାଟି, ପଞ୍ଜାବୀ, ଉର୍ଦ୍ଦୁ, କାଶ୍ମିରୀ, ଡୋଗରୀ ତଥା ୯ ଗୋଟି ବିଦେଶୀ ଭାଷାରେ ଅନୁବାଦିତ ପବିତ୍ର କୋରାନ ପ୍ରଦର୍ଶିତ କରାଯାଇଛି । ପବିତ୍ର କୋରାନ ସପ୍ତାହର ସମସ୍ତ କାର୍ଯ୍ୟକ୍ରମକୁ ସୟଦ ଫାରୁକ ଅହମଦ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ