ସେବା ସମବାୟ ସମିତିର ଅନିୟମିତା ପାଇଁ ବାଦ ପଡିଲେ ଶତାଧିକ ଚାଷୀ: ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ବିଧାୟକ

ବାଲେଶ୍ୱର(ବାଲେଶ୍ବର): ବାଲେଶ୍ୱର ଜିଲ୍ଲାରେ ରବି ଋତୁ ଧାନ କିଣା ନେଇ ଧାର୍ଯ୍ୟ ତାରିଖ ଶେଷ ହୋଇଥିବା ବେଳେ ବହୁ ପଞ୍ଜିକୃତ ଚାଷୀ ସେମାନଙ୍କ ଧାନ ବିକ୍ରୟ କରି ପାରିନଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଅଧିକାଂଶ ପଂଚାୟତରେ ଏହି ଭଳି ଅଭିଯୋଗ ଉଠିଥିବା ବେଳେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶ୍ରୀରାମପୁର ଓ ରସଲପୁର ପଂଚାୟତକୁ ନେଇ ଗଠିତ ଶ୍ରୀରାମପୁର ସେବା ସମବାୟ ସମିତି କର୍ମକର୍ତ୍ତାଙ୍କ ଅସହଯୋଗ କାରଣରୁ ପ୍ରାୟ ୬ହଜାର ଚାଷୀଙ୍କ ନିକଟରୁ ଧାନ କିଣା ସମ୍ଭବ ହୋଇପାରିନାହିଁ । ଏହାକୁ ନେଇ ସଦର ବିଧାୟକ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚି ଅସନ୍ତୋଷ ବ୍ୟକ୍ତ ସହ ଚାଷୀମାନଙ୍କ ନିକଟରୁ ଧାନ କିଣା ନେଇ ଅନଲାଇନ ବାଇଓମେଟ୍ରିକ୍ ଉପସ୍ଥାନ ନ ନେବାର କାରଣ ପଚାରି ବୁଝିଥିଲେ । ଏହା ସହିତ ଚାଷୀଙ୍କ ନିକଟରୁ ଧାନ କିଣା ନ ହେବାକୁ ନେଇ ଉପୁଜିଥିବା ସମସ୍ୟା ସମାଧାନ ପାଇଁ ଫୋନ ଯୋଗେ ଜିଲ୍ଲାପାଳଙ୍କ ସହ ଆଲୋଚନା ସହ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ କହିଛନ୍ତି ଯେ, ଶ୍ରୀରାମପୁର ସେବା ସମବାୟ ସମିତି ପକ୍ଷରୁ ଧାନ କିଣା ଯାଉନଥିବା ସମ୍ପର୍କରେ ଅଭିଯୋଗ ପାଇଥିଲେ । ଦୀର୍ଘ ଦିନ ପୂର୍ବରୁ ଚାଷୀ ପଞ୍ଜିକୃତ ହୋଇଥିବା ସତ୍ତ୍ୱେ ସମିତି ନିକଟରେ ଟାର୍ଗେଟ ନଥିବା କହି କର୍ମକର୍ତ୍ତା ମାନେ ଫେରାଇ ଦେଉଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମାଧ୍ୟମରେ ଅଧିକ ଟାର୍ଗେଟ ଦିଆଯାଇଥିଲା । ଏପରିକି ସମିତି ପକ୍ଷରୁ ୨୫ହଜାର ମଗାଯାଇଥିବା ବେଳେ ବେଳେ ୨୭ହଜାର ଟାର୍ଗେଟ ଦିଆଯାଇଥିଲା । ଅଦ୍ୟାବଧି ସମିତି ନିକଟରେ ୬ହଜାର ଟାର୍ଗେଟ ବଳକା ରହିଯାଇଛି । ଜୁନ ୩୦ ତାରିଖ ଧାନ କିଣା ପ୍ରକ୍ରିୟା ଶେଷ ହେଉଥିବା ବେଳେ ତା’ପୂର୍ବରୁ ଅନଲାଇନରେ ବାଇଓମେଟ୍ରିକ୍ ଉପସ୍ଥାନ ଦର୍ଶାଇ ପରେ ଧାନ ସଂଗ୍ରହ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ତଥାପି ଶ୍ରୀରାମପୁର ସେବା ସମୟବାୟ ସମିତି କର୍ମକର୍ତ୍ତାମାନେ ମିଲର୍ସ ଓ ଟ୍ରାନ୍ସପୋଟର୍ସଙ୍କ ଅଭାବର ଆଳ ଦେଖାଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିନଥିବା ବିଧାୟକ ଶ୍ରୀ ଦତ୍ତ ଆରୋପ ଉଠାଇଛନ୍ତି । ଧାନ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଓ ସବସିଡି ପ୍ରଦାନ ଜନିତ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ହୋଇଥିବାରୁ ଜୁନ ୩୦ ତାରିଖ ରାତି ୧୨ଟାରେ ଅନଲାଇନ ପ୍ରକିୟା ବନ୍ଦ ହୋଇଯାଇଥିଲା । ଫଳରେ ଦୁଇ ପଂଚାୟତର ଶତାଧିକ ଗରିବ ଚାଷୀ ସରକାରୀ ଦରରେ ଧାନ ବିକ୍ରୟ କରିବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ଦତ୍ତ କହିଛନ୍ତି । ତେବେ ଚାଷୀଙ୍କ ଧାନ କିଣା ସମ୍ପର୍କୀତ ସମସ୍ୟା ସମ୍ପର୍କରେ ରାଜ୍ୟ କୃଷି ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏହାର ସମାଧାନ ପାଇଁ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଜିଲ୍ଲାପାଳଙ୍କ ମାଧ୍ୟମରେ କେନ୍ଦ୍ର କୃଷି ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ଏହା ସହିତ ନିଜେ ମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିବା ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ବିଶେଷ କରି ଶ୍ରୀରାମପୁର ସେବା ସମବାୟ ସମିତି ଅଧିନରେ ପଞ୍ଜିକୃତ ଚାଷୀଙ୍କ ସମସ୍ୟାକୁ ସ୍ୱତନ୍ତ୍ର ଭାବେ ବିଚାର ସହ ଅଧିନ କିଛି ଦିନ ପ୍ରଦାନ ପାଇଁ ଅନୁରୋଧ କରାଯାଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଗରିବ ଚାଷୀଙ୍କ ସହ ଖେଳ ଖେଳିଥିବା ଶ୍ରୀରାମପୁର ସେବା ସମବାୟ ସମିତିର ଅନିୟମିତତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଧାୟକ ଶ୍ରୀ ଦତ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ କୃଷିମନ୍ତ୍ରୀ ମଧ୍ୟ ସମିତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ସେ କହଛନ୍ତି । ଚାଷୀମାନେ କେତେ ଶୀଘ୍ର ଓ କେଉଁ ଉପାୟରେ ସେମାନଙ୍କ ଉତ୍ପାଦିତ ଧାନ ସରକାରଙ୍କୁ ବିକ୍ର କରିପାରିବେ ସେ ଦିଗରେ ଯତ୍ନବାନ ଥିବା ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି । ବଳକା ଚାଷୀଙ୍କ ଧାନ ଖୁବଶୀଘ୍ର କ୍ରୟ କରାଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ