ବେଆଇନ ବ୍ଲାଷ୍ଟି: କମ୍ପୁଛି ମେଦିନୀ, ଥରୁଛି ନଦୀ ଓ ଫାଟୁଛି ଘର ଲୋକେ ଆତଙ୍କିତ
କଲ୍ୟାଣସିଂହପୁର, (ଓ୍ବାଇଏନଏସ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଓ କନ୍ଧକତିପାଡ଼ୁ ପଞ୍ଚାୟତରେ ପଥର ମାଫିଆ ସକ୍ରିୟ ହୋଇଛନ୍ତି । ବେଆଇନ ପଥର ବ୍ଲାଷ୍ଟି କାରଣରୁ ସ୍ଥାନୀୟ ଅଞ୍ଚଳବାସୀ କ୍ଷତିଗ୍ରସ୍ତ ହେଉଛନ୍ତି । ଶିକରପାଇ ପଞ୍ଚାୟତର ବେଲକଣା ନିକଟସ୍ତ ଗୁଡା ଗ୍ରାମର ପାହାଡ଼ରେ ବେଆଇନ ଭାବେ ଜିଲୋଟିନ୍ ଲଗାଇ ପଥର ଫୁଟାଯାଉଛି। ଫଳରେ ନାଗାବଳି ନଦୀ ଓ ଅପରପାର୍ଶ୍ଵରେ ଥିବା କନ୍ଧକାତିପାଡ଼ୁ ଗ୍ରାମର ଘର କାନ୍ଥରେ ଫାଟ ସୃଷ୍ଟି ହୋଇଥିବାରୁ ଘରେ ରହିବାକୁ ଲୋକେ ଭୟ କରୁଛନ୍ତି। ବେଆଇନ ଭାବେ ମାଫିଆ ପଥର ଚୋରା ଚାଲାଣ କରି ମୁନାଫା କମାଉଥିବା ବେଳେ ସରକାରଙ୍କ ରାଜସ୍ବ କ୍ଷତି ହେଉଛି। ବାର୍ଷିକ ଯେତିକି ଉତ୍ତୋଳନ କରିବା କଥା ତାଠାରୁ ଅଧିକ ପଥର ବ୍ଲାଷ୍ଟିଙ୍ଗ କରାଯାଉଛି।ଜାଣି ଶୁଣି ଖଣି ବିଭାଗ କର୍ତ୍ତୃପକ୍ଷ ମାଫିଆଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କ୍ଷତିଗ୍ରସ୍ତ କନ୍ଧ କାଟିପାଡୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ଘର ଗୁଡାକ ଫାଟିବାରେ ଲାଗୁଥିବାରୁ ଗ୍ରାମବାସୀ ବିରୋଧ କରିଛନ୍ତି।ପଥର ବ୍ଲାଷ୍ଟିଙ୍ଗ ଯୋଗୁଁ ପାହାଡ଼ ନଷ୍ଟ ହେବା ସହିତ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲ ଥିବା ବନ୍ୟଜନ୍ତୁ ଓ ନାଗାବଳି ନଦୀର ଜୈବ ବିବିଧତା ଉପରେ ଏହାର ପ୍ରଭାବ ପଡୁଛି। ଜୀବଜନ୍ତୁ ଓ ଜଳଚୋର ଭୟରେ ଅନ୍ୟତ୍ର ଚାଲି ଯାଉଥିବା ବେଳେ ଶିକର ପାଇ ବନ ବିଭାଗ ଓ ପରିବେଶ ବିଭାଗ ଚୁପ ବସିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। କନ୍ଧକାତିପାଡୁ ଗ୍ରାମରେ ପଚିଶି ପରିବାରର ପ୍ରାୟ ଦେଢ଼ ସହ ଲୋକ ବସବାସ କରୁଛନ୍ତି । କିଛି ଦିନ ପୂର୍ବରୁ ପୁଲିସ ଚୋରା ବାଲି ଧରପଗଡ଼ କରି ବାଲି ଚାଲାଣକାରୀଙ୍କୁ ସାବାଡ଼ କରିଥିଲା। କିନ୍ତୁ ପଥର ଚୋରା ଚାଲାଣ ବେଳେ ଖଣି ବିଭଗର କୌଣସି କାଗଜ ପତ୍ର ନଥିବାରୁ ନିର୍ଦନ୍ଦରେ ଦିନ ଦିବସରେ କିଛି ପଥର ମାଫିଆ ନିଜ କାର୍ଯ୍ୟ ଚଲାଇଛନ୍ତି। ଏହାକୁ ରୋକିବାରେ ପୋଲିସ,ପ୍ରଶାସନ ଓ ଖଣି ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି।ଏହି କୁଆରୀ ସମୟ ସୀମା ଶେଷ ହେବାପାଇଁ ମାତ୍ର ଆଉ ପଞ୍ଚାମାସ ରହିଥିବାରୁ ପାହାଡ଼କୁ ବାର୍ଷିକ ଆକାରରୁ ଅଧିକ ପଥର ଉତ୍ତୋଳନ କରି ମୁନାଫା ନେବାପାଇଁ ଏଭଳି କାର୍ଯ୍ୟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନିକଟରେ କେଏ,ଆର,କେ ରେଳଲାଇନର ଦ୍ଵିତୀୟ ଲାଇନ କାର୍ଯ୍ୟ ହେଉଥିବାରୁ ଠିକାଦାର ଜଣକ ଓ ଅଧିକାରୀମାନେ ଏଭଳି କାର୍ଯ୍ୟ ଚଲାଉଥିବା ଅଭିଯୋଗ ହୋଇଛି। ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଈ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହୋଇଛି।


