ପାରଳା ସହରରେ ମଠ ଓ ମନ୍ଦିରରେ ଅଚଳାବସ୍ଥା: ମନ୍ଦିର ସମ୍ପତି ଦଲାଲ ଓ ଜବଦଖଲକାରୀଙ୍କ ହାତରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଅନେକ ମଠ ମନ୍ଦିର ବର୍ତ୍ତମାନ ଅଚଳା ଅବସ୍ଥା ସୃଷ୍ଟି ହେଲାଣି।ରଜା ରାଜୁଡା ସମୟରୁ ମିଳିଥିବା ମନ୍ଦିର ସମ୍ପତିକୁ ଅନେକାଂଶ ସରକାରୀ ଖାତାକୁ ଚାଲିଗଲା ଓ ଅବଶିଷ୍ଟ ସମ୍ପତି ଦେବୋତ୍ତର ବିଭାଗ ଓ ସ୍ଥାନୀୟ ପ୍ରଶାସନର ଉଦାସୀନତା ଯୋଗୁଁ ଏବେ ମନ୍ଦିର ସମ୍ପତି ଦଲାଲ ଓ ଜବରଦଖଲକାରୀ ଙ୍କ ହାତରେ।ଏବେ ପରିସ୍ଥିତି ଏଭଳି ଯେ ପାରଳାଖେମୁଣ୍ଡି ଠାରେ ଥିବା ମଠ ମନ୍ଦିର ଗୁଡିକରେ ଦିଅ ମାନଙ୍କ ନିତିଦିନିଆ କାର୍ଯ୍ୟକ୍ରମ ଓ ପରିଚାଳନା ହେବା କଷ୍ଟକର ବ୍ୟାପାର ହୋଇପଡିଛି। ମଠ ମନ୍ଦିର ଭରା ପୁରାତନ ସହର ପାରଳାଖେମୁଣ୍ଡି।କାହିଁ ରାଜା ରାଜୁଡ଼ ଅମଳରୁ ପାରଳାଖେମୁଣ୍ଡି ସହରର ଗଳି କନ୍ଦିରେ ଅନେକ ପୁରୁଣା ମଠ ମନ୍ଦିର ଗୁଡିକ ରହିଛି।ଏହି ମଠ ମନ୍ଦିର ପରିଚାଳନା ପାଇଁ ପୂର୍ବରୁ ରାଜ ପରିବାର ତରଫରୁ ସହ ସହ ଏକର ଜମି ବିଭିନ୍ନ ଦେବା ଦେବୀଙ୍କ ନାମରେ ମଠ ମନ୍ଦିର ଗୁଡିକୁ ପ୍ରଦାନ କରାଯାଇଥିଲା।ହେଲେ ସିଲିଂ ଆକ୍ଟ ଅନୁସାରେ ପରବର୍ତ୍ତୀ ସମୟରେ ସବୁ ମଠ ମନ୍ଦିରର ୬୦ ରୁ ୭୦ ପ୍ରତିଶତ ଜମି ସରକାରୀ ଖାତାକୁ ଚାଲିଯାଇଛି।ତେବେ ଅବଶିଷ୍ଟ ଜମି ଉପରେ ବର୍ତ୍ତମାନ କିଛି ଦଲାଲ ଓ ଜବର ଦଖଲକାରୀଙ୍କ ଲଲୁପ ଦୃଷ୍ଟି ପଡିଛି।ଘଟଣାଟି ସାମ୍ମନାକୁ ଆସିଲା ପାରଳାଖେମୁଣ୍ଡି ସହରରେ ଥିବା ଦେଓ ମଠ ଏବଂ ଗୋପୀନି ସାହିରେ ଥିବା ପରିଛା ମଠର ସ୍ଥିତିକୁ ଅନୁଧ୍ୟାନ କରିବା ସମୟରେ।ବିଶ୍ବହିନ୍ଦୁ ସଙ୍ଘଠନ ପକ୍ଷରୁ ଗୋଶାଳା ନିର୍ମାଣ ପାଇଁ ଦେଓ ମଠ ମହନ୍ତ ମଠର ଜମି ଦେବାପାଇଁ ଅନୁମତି ଦେଇଥିଲେ।ଚିନ୍ହଟ ହୋଇଥିବା ଜମିକୁ ଯେତେବେଳେ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତା ଯାଇ ଦେଖିବା ସମୟରେ ସେହି ଜମି ଉପରେ କିଛି ଜବର ଦଖଲକାରୀ ଘର କରିଛନ୍ତି ଏବଂ କିଛି ଦଲାଲ ସେଠାରେ ପଥର ପୋତି ବିନା ରେଜିଷ୍ଟ୍ରେସନରେ ଗୋଟିଏ ୫୦ ଟଙ୍କିଆ ଷ୍ଟାମ୍ପ ପେପର୍ ରେ କବଲା ପ୍ରସ୍ତୁତ କରି ଉକ୍ତ ଜମିକୁ କିଣାବିକା କରି ଲକ୍ଷ ଲକ୍ଷ ଟଙ୍କା କାରବାର କରିଥିବା ଘଟଣା ଦେଖିବାକୁ ମିଳିଛି। ଅନ୍ୟପଟେ ଯଦି ଗୋପୀନି ସାହିର ପରିଛା ମଠ କଥା କହିବା ତେବେ ପରିସ୍ଥିତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।ମନ୍ଦିରର ସର୍ବମୋଟ ସମ୍ପତି ଥିଲା ୧୯୬ ଏକର।ସିଲିଂ ଆକ୍ଟ ରେ ସରକାରୀ ଖାତାକୁ ଗଲା ୧୪୮ ଏକର।ଅବଶିଷ୍ଟ ମନ୍ଦିର ନାମରେ ଥିବା ୪୮ ଏକରରୁ ଦବୋତ୍ତର ବିଭାଗର କୌଣସି ଅନୁମତି କିମ୍ବା କୌଣସି ବିଜ୍ଞପ୍ତି ନଥାଇ ଗୁମ୍ମା ବ୍ଲକ ଜିଲିରିପାଡୁ ମୌଜାର କୁର୍ଲୁଣ୍ଡା ଗ୍ରାମର ପ୍ରାୟ ୧୬ ଏକର ଜମି ସେହି ଗ୍ରାମର ଭରତ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଟ୍ଟା ହୋଇ ତାହାଭି ତିନି ଥର ବିକ୍ରି ଭଟା ହୋଇ ସାରିଲାଣି ଉକ୍ତ ଜମି।ତେବେ ମନ୍ଦିରର ମାର୍ଫତଦାର ଅଭିଯୋଗ ଆଣିଛନ୍ତି ଯେ ୨୦୧୬ ମସିହାରେ କିଛି ସରକାରୀ ଅଧିକାରୀ ଏବଂ କିଛି ଦଲାଲ ମିଶି ମନ୍ଦିରର ସ୍ଥାବର ସମ୍ପତିକୁ  ଦେବୋତ୍ତର ବିଭାଗର କୌଣସି ଅନୁମତି ନଥାଇ ନିଜ ନାମରେ କରିବା ସହ ୧୬ ଏକର ଜମିକୁ ବିକ୍ରି କରିଛନ୍ତି।ଏ ନେଇ ୨୦୧୬ ମସିହାରୁ ଦୀର୍ଘ ୯ବର୍ଷ ହେଲାଣି ଅନେକ ଥର ଦେବୋତ୍ତର ବିଭାଗ ଏବଂ ଜିଲ୍ଲା ପ୍ରଶାସନ ର ନଜରକୁ ଆଣିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ସେପଟେ ବାକି ଜମି ଗୁଡିକରେ ମଧ୍ୟ ଯେଉଁ ଲୋକମାନେ ଚାଷବାସ କରୁଛନ୍ତି ସେମାନେ ମଧ୍ୟ ମନ୍ଦିର ପରିଚାଳନା ପାଇଁ କୌଣସି ପାଉଣା ଦେଉନାହାନ୍ତି।ଯାହା ଫଳରେ ପ୍ରତି ଦିନର ମନ୍ଦିର ନୀତିକାନ୍ତି ଚଳାଇବା କଷ୍ଟ ହେଲାଣି ବୋଲି କହିଛନ୍ତି ଦେଓ ମଠ ମହନ୍ତ ରାମାନନ୍ଦ ମହାରାଜ ଓ ପରିଛା ମଠ ମାର୍ଫତଦାର ହରିଶ୍ଚନ୍ଦ୍ର ପରିଛା।ସହରର ଏହି ଦୁଇଟି ମନ୍ଦିର ନୁହେଁ ଗଳି କନ୍ଦିରେ ରହିଥିବା ସମସ୍ତ ମନ୍ଦିରର ସ୍ଥିତି ଏକା ରକମର।ଯାହାକୁ ନେଇ ବିଶ୍ବହିନ୍ଦୁ ପରିଷଦ ଆପତି କରିବା ସହ ପ୍ରଶାସନ ଏହି ଦିଗରେ ହସ୍ତକ୍ଷେପ କରି ମନ୍ଦିର ଗୁଡିକର ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓଲାଇବ ବୋଲି ଚେତାବନୀ ଦେଇଛନ୍ତି ବିଶ୍ୱହିନ୍ଦୁ ପରିଷଦ ପରିଚାଳନା ସଭାପତି ଲୋକନାଥ ମିଶ୍ର। ଘଟଣାକୁ ନେଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ କହିବା ହେଲା ମଠ ମନ୍ଦିର କିମ୍ବା ଦେବୋତ୍ତର ବିଭାଗ ତରଫରୁ ଯେତେବେଳେଭି କିଛି ଅଭିଯୋଗ ଆସେ ତେବେ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତେବେ ଏହି ଦୁଇ ମନ୍ଦିରର ଘଟଣା ସାମ୍ମନାକୁ ଆସିବା ପରେ ଏ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଦେବୋତ୍ତର ବିଭାଗ ମନ୍ଦିର ଗୁଡିକର ପରିଚାଳନା ନିମନ୍ତେ ବିଭିନ୍ନ ଦେବଦେବୀଙ୍କ ନାମରେ ଥିବା ଜମିଜମାକୁ ଲିଜ ସୂତ୍ରରେ ପ୍ରଦାନ କରି ବାର୍ଷିକ ଦେୟ ମନ୍ଦିରକୁ ପୈଠ କରିବା ଇତ୍ୟାଦି କାର୍ଯ୍ୟକ୍ରମ ଦେବୋତ୍ତର ବିଭାଗ ଦାଇତ୍ୱ ନେଇ ପରିଚାଳନା କରିବା କଥା କିନ୍ତୁ ଗଜପତି ଜିଲ୍ଲାରେ ଜିଲ୍ଲା ଗଠନ ହେବା ପରଠାରୁ ଏହି ଦାଇତ୍ୱ ନା ଜିଲ୍ଲା ପ୍ରଶାସନ ନା ଦେବୋତ୍ତର ବିଭାଗ କେହି ହସ୍ତକ୍ଷେପ କରୁନାହାନ୍ତି ଯାହା ଫଳରେ ଦଲାଲ ମାନେ ସକ୍ରିୟ ହୋଇ କିଛି ଭ୍ରଷ୍ଟ ଅଧିକାରୀଙ୍କୁ ହାତଗୁଞ୍ଜ ଦେଇ ନିଜ କଳା ସାମ୍ରାଜ୍ୟ ବିସ୍ତାର କରୁଛନ୍ତି।ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ