ଅର୍ଣ୍ଣବ ବାତ୍ୟା ପ୍ରଭାବ: ପୋଲସରା ବ୍ଲକରେ ପାଣିରେ ବୁଡିଛି ଚାଷଜମି
ପୋଲସରା (ଅନୀଲ କୁମାର ମହାରଣା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥତି ଦେଖାଦେଇଥିବା ବେଳେ ଏହାର ପ୍ରଭାବ ପୋଲସରା ବ୍ଲକରେ ବିଭିନ୍ନ ସ୍ଥାନରେ ବହୁ ସମସ୍ୟା ଦେଖିବାକୁ ମିଳିଛି। ସତର୍କତା ଅବଲମ୍ବନ କରି ବ୍ଲକ ପ୍ରଶାସନ ୧୮ ଗୋଟି ଆଶ୍ରୟସ୍ଥଳୀକୁ ୧୦୬୫ ଜନ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରି ଗରମ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରୁଛନ୍ତି। ବର୍ଷା ସ୍ୱତ୍ତେ ବିଡିଓ ଶଶିଭୂଷଣ ମହାପାତ୍ର ସମସ୍ତ ଆଶ୍ରାୟସ୍ଥଳି କ୍ଷେତ୍ର ପରିଦର୍ଶନ କରିବା ସହ ତାଦାରଖା କରିଛନ୍ତି। ଏପରିକି କେତେକ ଆଶ୍ରାୟଥଳିରେ ବିଡିଓ ଶ୍ରୀ ମହାପାତ୍ର ନିଜେ ଗରମ ରନ୍ଧା ଖାଦ୍ୟ ପରଷିବା ଦେଖିବାକୁ ମିଳିଛି। ତିନି ଦିନ ଧରି ଲଗାଣ ବର୍ଷା ଓ ୨୮/୧୦/୨୬ ରାତ୍ରର ପବନ ଯୋଗୁଁ ବ୍ଳକର ୨୬ ପଞ୍ଚାୟତ ସହିତ ପୋଲସରା ପୌରପାଳିକାର ହଜାର ହଜାର ଏକର ଚାଷ ଜମିରେ ଧାନ ଫସଲ ଏବେ ପାଣିରେ ବୁଡ଼ି ଅଧିକାଂଶ ଜମିର ଧାନ ପଡିଯାଇଥିବା ଦେଖିବାକୁ ମିଳିଛି। ଅମଳ କରିବା ପାଇଁ ଅଳ୍ପ ଦିନ ଥିବା ବେଳେ ଅର୍ଣ୍ଣବ ବାତ୍ୟାର ପ୍ରଭାବ ଯୋଗୁଁ ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ଏଥି ସହ ଚିରିକିପଡା ଶାସନ ଗ୍ରାମର ଭଗବାନ ବେହେରୁକ ଓ ପଡ଼ୋଶୀ ପୁରିଆ ସାହୁଙ୍କ ଘର ଭାଙ୍ଗି ଯାଇଛି ଏବଂ ଭାବରଡା ଗ୍ରାମରେ ଗଛ ପଡ଼ି କାର୍ତ୍ତିକ ଡାକୁଆଙ୍କ ଘର ଭାଙ୍ଗି ଯାଇଛି, ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଆଗରେ ଥିବା ଗଛ ଭାଙ୍ଗି ପଡିଥିବା ସହିତ ପାଣ୍ଡିରିପଡା ଓ କଳମ୍ବ ମୁଖ୍ୟ ସଡ଼କରେ ଗଛ ପଡି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ନଜରକୁ ଆସିଛି। ପୋଲସରା ବ୍ଲକ ପ୍ରଶାସନ ସହିତ ପୋଲସରା ତହସିଲ, ପୋଲିସ, ସ୍ବାସ୍ଥ୍ୟ, ଅଗ୍ନିଶମ ଓ ଅନ୍ୟ ବିଭାଗର କର୍ମଚାରୀ ବୃନ୍ଦ ସତର୍କ ରହି କାର୍ଯ୍ୟରେ ଲାଗିରହିଥିବା ଦେଖିବାକୁ ମିଳିଛି।


