ମୁନିଗୁଡାରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଆହ୍ୱାନକ୍ରମେ ଗତ ୧୦ ତାରିଖରୁ ରାଜ୍ୟ ସଂଘ ପକ୍ଷରୁ କରାଯାଉଥିବା ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଜାରି ରହିଥିବା ବେଳେ ଆଜି ମୁନିଗୁଡାରେ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଧର୍ମଘଟରେ ବସି ରହିଥିବା ଦେଖାଯାଇଥିଲା। ଏହି ଅବସରରେ ମୁନିଗୁଡାର ଆଉଟସୋର୍ସିଙ୍ଗ କର୍ମଚାରୀ କୃତିବାସ ସାହୁ, ଆବିସ୍କାର ଦାସ, ଦୁଖୀ ନାଗ, ବୈଷ୍ଣବ,କିରଣ କୁମାର,ଚନ୍ଦନ କୁମାର, ଭାଗ୍ୟଲଷ୍ମୀ,ରୁନି ବିଡିକା, ମଞ୍ଜରୀ କୋଣ୍ଡାଗିରି,ନାଥ ବିଭର,ଝୁନୁ ମୁଣ୍ଡା, ବିସିକେଶନ କୁସୁଲିଆ,ସାନ୍ଟୁନୁ ଗୌଡ଼,ସନ୍ତୋଷ କୁମାର ଗୌଡ଼, ଅନିଲ କୁମାର ରଣା,କେତକୀ ବାଗ,ପାପୁନ ଗୌଡ଼,ସନ୍ତୋଷ ପୂଜାରୀ, ବନମାଳୀ ମହାନନ୍ଦିଆ, ଜଗଦୀଶ ଗଡ଼ବା,ବିରଞ୍ଚି ଛାତି,ସୁମନ୍ତ କୁମାର ଦଳାଇ,ନରେନ୍ଦ୍ର ପ୍ରମୁଖଙ୍କ ସମେତ ୨୮ ଜଣ କର୍ମଚାରୀ ମାନେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଧାରଣାରେ ବସିଥିଲେ। ପରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ,ରାଜ୍ୟ ଶାଖାର ଅଧକ୍ଷ୍ୟ ଏବଂ ସଭାପତିଙ୍କ ପତ୍ର ସଂଖ୍ୟା: ୬୯/ଓଜିଇଏଫ/୨୦୨୬ ତାରିଖ: ୦୬.୦୩.୨୦୨୬ ଅନୁଯାଇ ଏକ ସ୍ମାରକପତ୍ର ମେଡିକାଲ ଅଫିସରଙ୍କୁ ପ୍ରଦାନ କରିଥିଲେ। ମେଡିକାଲ ଅଫିସରଙ୍କ ଅନୁପସ୍ଥିତିରେ ଡା ଜି.ଆଲେଖ୍ୟାଙ୍କୁ ପ୍ରଦାନ କରିଥିଲେ। ଉକ୍ତ ସ୍ମାରକ ପତ୍ରରେ ଆମେ ଆପଣଙ୍କ କାର୍ଯ୍ୟାଳୟ ଅଧୀନରେ ଆଉଟସୋର୍ସିଙ୍ଗ ମାଧ୍ୟମରେ କାର୍ଯ୍ୟକରି ଆସୁଅଛୁ ଏବଂ ଆପଣଙ୍କ ଗୋଚରାର୍ଥେ ଜଣାଇଦେଉ ଅଛୁ ଯେ ଆମ୍ଭ ରାଜ୍ୟ ଶାଖାର ଅଧକ୍ଷ ଏବଂ ସଭାପତି ମହୋଦୟଙ୍କ ଆହ୍ୱାନ କ୍ରମେ ଆମର ତିନିଗୋଟି ପ୍ରମୁଖ ଦାବି ଛୋଟେଇ ବନ୍ଦ କର,ପୁନଃ ନିଯୁକ୍ତି ଦିଅ, ଡେଲି ୱେଜସ ଆଉଟସୋର୍ସିଙ୍ଗ ବ୍ୟବସ୍ଥାକୁ ଏକକ ନୀତିରେ ଆଣ ଓ ସମସ୍ତ ବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ ଆଦି ଆମର ତିନିଗୋଟି ପ୍ରମୁଖ ଦାବିକୁ ନେଇ ଓଡିଶାର ରାଜଧାନୀ ଭୁବନେଶ୍ବରରେ ଥିବା ଗାନ୍ଧୀମାର୍ଗ ଠାରେ ପହଞ୍ଚିବା ସହ କରାଯାଉଥିବା ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟରେ ଯୋଗଦାନ କରିବୁ ଏବଂ ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଆମ ଦାବି ଉପରେ କୌଣସି ପ୍ରକାରର କର୍ଣ୍ଣପାତ କରିନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ଆମ୍ଭେ ଆମ ରାଜ୍ୟ ଓ ଜିଲ୍ଲା ସଂଘକୁ ସହଯୋଗ କରିବା ସହ ଧର୍ମଘଟ ସ୍ଥଳୀରେ ରହିବୁ ଏଣୁ ଆପଙ୍କୁ ବିନୀତ ଅନୋରୋଧ କରୁଅଛୁକି ଆମ୍ଭମାନଙ୍କ ଛୁଟିକୁ ମଞ୍ଜୁର କରି ଆମ୍ଭଙ୍କୁ ଉକ୍ତ ଅନିର୍ଦ୍ଦିଷ୍ଟ ଧର୍ମଘଟରେ ଯୋଗ ଦେବା ପାଇଁ ଅନୁମତି ଦିଆଯାଉ ବୋଲି ଉଲ୍ଲେଖ ରହିଛି। ଅନ୍ୟପଟେ ମୁନିଗୁଡା ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ସମସ୍ତ ତିନୋଟି ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ସଂଘକୁ ସହଯୋଗ କରିବା ସହ ଧର୍ମଘଟ ସ୍ଥଳୀରେ ବସିରହିବେ ବୋଲି ଜଣାପଡିଛି। ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଯଦି କାମରେ ଯୋଗ ନଦିଅନ୍ତି ତାହାହେଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ ସଂଖ୍ୟାରେ ରୋଗୀ ମାନେ ଠିକ ସମୟରେ ସେବା ପାଇବାରୁ ବଞ୍ଚିତ ହେବେ ଏବଂ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସାଧାରଣରେ ଆଲୋଚନା ହେଉଛି।


