ଗଜପତିରେ ନାହିଁ କପାମଣ୍ଡି : ଆନ୍ଧ୍ର ଵ୍ୟବସାୟଙ୍କୁ କପା ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି ଓଡିଶା ଚାଷୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ କପାର ଅଭାବୀ ବିକ୍ରି ଯୋଗୁଁ ଏଠାକାର ଚାଷୀ ପ୍ରକୃତ ମୂଲ୍ୟ ପାଇ ପାରୁନାହାନ୍ତି. ଅପରପକ୍ଷରେ ଗଜପତିର ଚାଷୀଙ୍କ ଠାରୁ ଆନ୍ଧ୍ର ବ୍ୟବସାୟୀ ନାମକୁ ମାତ୍ର ଦରରେ କପା କିଣି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି. ଏହାର ମୁଖ୍ୟ କାରଣ ହେଲା ଗଜପତି ଜିଲ୍ଲାରେ କପା ମଣ୍ଡିର ସୁବିଧା ନଥିବା ସହ କପା ବିକ୍ରି ବଟା ପାଇଁ ସେପରି ବ୍ୟବସାୟୀଙ୍କ ବଜାରର ସୁବିଧା ନ ଥିବା  ଯୋଗୁଁ କପାଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ନାମକୁ ମାତ୍ର କମ ଦରରେ ଆନ୍ଧ୍ର ଦଲାଲଙ୍କ ଦ୍ୱାରା ଆନ୍ଧ୍ର ବ୍ୟବସାୟୀଙ୍କୁ ନାମକୁ ମାତ୍ର ଦରରେ କପା ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି.  କପାଚାଷୀଙ୍କ ଦୀର୍ଘ ଦିନର ଦାବି ପରେ ମଧ୍ୟ ଗଜପତି ଜିଲ୍ଲାରେ ଖୋଲିପାରିନି କପା ମଣ୍ତି. ମଣ୍ଡି ନଥିବା ଯୋଗୁଁ ଚାଷୀଙ୍କ କପା ପାରଳାଖେମୁଣ୍ଡି ନିଅନ୍ତ୍ରିତ ବଜାରକୁ  ଆଣି ସେଠାରୁ ଚାଷୀଙ୍କ ସୁବିଧା ପାଇଁ ନିୟନ୍ତ୍ରିତ ବଜାର ଠାରେ କପା କ୍ରୟ କେନ୍ଦ୍ର ଖୋଲି ସେଠାରୁ ଗୁଣୁପୁର ମଣ୍ଡିକୁ ପଠାଇବା ସୁବିଧା କରିଥିଲେ ଚାଷୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି କପା ଚାଷୀ। ଏହି ସୁବିଧା ନଥିବା ଯୋଗୁଁ  ଗୁଣୁପୁରୁ ମଣ୍ଡିକୁ ନିଜ ବର୍ଷସାରା କଷ୍ଟରେ ଅମଳ କରିଥିବା କପାକୁ ଚାଷୀ ନିଜସ୍ଵ ଖର୍ଚ୍ଚରେ ନେବାକୁ ପଡିଥାଏ। ସେଠାରୁ ରାୟଗଡା ଠାରେ ଥିବା ମଣ୍ଡିକୁ ପଠାଯଏ। ଏ ନେଇ କପାଚାଷୀ ମାନେ ବହୁବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ନେହୁରା ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ଜିଲ୍ଲାରେ କପା ମଣ୍ଡିଟିଏ ଖୋଲି ପାରିନାହିଁ। ଏପରିକି ବହୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଥିବା କପାଚାଷୀ କାର୍ତ୍ତିକ ସବର, ପ୍ରଶାନ୍ତ ମାଝୀ, ଗଣେଷ ସବର ପ୍ରମୁଖ ପ୍ରକାଶ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ,    ଗଜପତି ଜିଲ୍ଲା  ଏକ ଆଦିବାସୀ ଅଧୁଷିତ ଅଞ୍ଚଳ। ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ ଅଟନ୍ତି. ପାରଳାଖେମୁଣ୍ଡି, କାଶୀନଗର ଏବଂ ଗୋଷାଣି ଅଞ୍ଚଳର ଚାଷୀମାନେ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ରାୟଗଡ଼, ନୂଆଗଡ, ରା.ଉଦୟଗିରି ଏବଂ  ମୋହନା ବ୍ଲକର ଚାଷୀ ମାନେ ଧାନ ଚାଷ ସହ ପନିପରିବା, ମକା ଓ ଅନ୍ୟାନ୍ୟ ଚାଷ କରୁଛନ୍ତି। ରାୟଗଡ ବ୍ଲକର ଅଧିକାଂଶ ଚାଷୀ କପାଚାଷ କରୁଛନ୍ତି। ଏଥିସହ ସମଗ୍ର ଗଜପତି ଜିଲ୍ଲାର କାଶୀନଗର, ଗୋଷାଣୀ, ଆର. ଉଦୟଗିରି, ନୂଆଗଡ, ଗୁମ୍ମା ଓ ମୋହନା ଆଦି ବ୍ଲକ ଅଞ୍ଚଳରେ ମଧ୍ୟ ଚାଷୀମାନେ କପାଚାଷ କରୁଛନ୍ତି. ହେଲେ ବର୍ଷସାରା ପରିଶ୍ରମ କରି କପା ଉତ୍ପାଦନ କରି ଗଜପତିରେ ବିକ୍ରି ପାଇଁ ସେପରି ସୁବିଧାଜନକ ବ୍ୟବସ୍ଥା କିମ୍ବା କପାକୁ ରଖିବା ପାଇଁ ମଣ୍ଡି ନ ଥିବା କାରଣରୁ ସଂଖ୍ୟାଧିକ ଗଜପତି ଚାଷୀ କପାଚାଷ କରୁନାହାନ୍ତି. ସରକାର ଓ ପ୍ରଶାସନ ଏନେଇ ଦୃଷ୍ଟି ନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ