ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଗୋପବନ୍ଧୁ ହାଇସ୍କୁଲ ଚମ୍ପିୟାନ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଏବଂ ଜିଲା କ୍ରୀଡା ସଂସ୍ଥା, କେନ୍ଦୁଝର ସହଯୋଗରେ ସ୍ଥାନୀୟ ଷ୍ଟାଡିୟମ ପଡିଆ ଠାରେ ଅନୁଷ୍ଠିତ ଆଜିର ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳରେ ବଡ଼ବିଲର ଗୋପବନ୍ଧୁ ହାଇସ୍କୁଲ (ମିଳିତ ) କେନ୍ଦୁଝର ସେଣ୍ଟ ଜାଭିଆର ହାଇସ୍କୁଲ ବିପକ୍ଷରେ ୧୦୪ ରନରେ ଏକ ବିପୁଳ ବିଜୟ ହାସଲ କରି ପ୍ରଥମ ଥର ପାଇଁ ଚମ୍ପିୟାନ ହେବାର ଗୌରବ ଲାଭ କରିଛି। ଏକ ବ୍ୟାଟିଂ ପିଚରେ ଟସରେ ଜିଣି ଗୋପବନ୍ଧୁ ହାଇସ୍କୁଲ ପ୍ରଥମେ ପାଳି ଆରମ୍ଭ କରିବାକୁ ନିଷ୍ପତି ନେଇଥିଲା ଏବଂ ନିର୍ଦ୍ଧାରିତ ୨୫ ଓଭରରେ ୩ଟି ଉଇକେଟ ହରାଇ ୨୩୫ ରନ ସଂଗ୍ରହ କରି ନିଜର ସ୍ଥିତିକୁ ମଜବୁତ କରିଥିଲେ । ଦଳ ପକ୍ଷରୁ ଅଙ୍ଗଦ ଲୋଟିଆ ୬୪ଟି ବଲର ସମ୍ମୁଖୀନ ହୋଇ ୧୫ଟି ଚୌକା ସହାୟତାରେ ୧୪୨.୧୯ ଷ୍ଟ୍ରାଇକ ରେଟ ସହ ଦ୍ରୁତ ୯୧ ରନ ସଂଗ୍ରହ କରି ମାତ୍ର ୯ ରନ ପାଇଁ ଶତକ ଲାଭରୁ ବଞ୍ଚିତ ହୋଇଥିବା ବେଳେ ଆରୋନ ଚନ୍ଦ୍ର ୫୫ଟି ବଲର ସମ୍ମୁଖୀନ ହୋଇ ୭ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୬୪ ରନ ସଂଗ୍ରହ କରି ଅର୍ଦ୍ଧ ଶତକ ହାସଲ କରିଥିଲେ । ଏହାର ଜବାବରେ ଜାଭିଆର ହାଇସ୍କୁଲ ନିର୍ଦ୍ଧାରିତ ୨୫ ଓଭର ବ୍ୟାଟିଂ କରି ୮ଟି ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ । ଦଳ ପକ୍ଷରୁ ଦେବାଂଶୁ କର ୫୧ଟି ବଲର ସମ୍ମୁଖୀନ ହୋଇ ୧୦ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୫୮ ରନ ସଂଗ୍ରହ କରି ଅର୍ଦ୍ଧ ଶତକ ହାସଲ କରିଥିଲେ । ପ୍ରତିପକ୍ଷ ଦଳର ଅଧିନାୟକ ଆଶୁତୋଷ ନାଏକ ୩ ଓଭର ବୋଲିଂ କରି ୧୯ ରନ ଦେଇ ୩ଟି ଉଇକେଟ ଏବଂ ୟାସ ଦୈୟା ୫ ଓଭର ବୋଲିଂ କରି ୩୪ ରନ ଦେଇ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଖେଳ ଶେଷରେ ଏକ ସ୍ୱତନ୍ତ୍ର ଉତ୍ସବରେ ଡିଏଭି ସ୍କୁଲର ଅଧ୍ୟକ୍ଷ ବ୍ରଜେନ୍ଦ୍ର ନାଥ ସଭାପତି, ମୁଖ୍ୟ ଅତିଥି ଏବଂ ଜିଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଜିଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ ଏବଂ କୋଷାଧକ୍ଷ ସରୋଜ ରଣା ଉଦଯାପନୀ ଉତ୍ସବରେ ମଞ୍ଚାସିନ ଥିଲେ । ଗୋପବନ୍ଧୁ ହାଇସ୍କୁଲର ଅଙ୍ଗଦ ଲୋଟିଆ, ମ୍ୟାନ ଅଫ ଦି ମ୍ୟାଚ, ଆଶୁତୋଷ ନାଏକ ବେଷ୍ଟ ବ୍ୟାଟ୍ସମ୍ୟାନ, ଅଙ୍ଗଦ ଲୋଟିଆ ବେଷ୍ଟ ବୋଲର ଏବଂ ଜାଭିୟର ହାଇସ୍କୁଲର ପବିତ୍ର ବାରିକ ବେଷ୍ଟ ଫିଲଡର ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଏହି ଖେଳକୁ ବିଶ୍ଵମ୍ବର ମହାକୁଢ଼, ଯଶୋବନ୍ତ ମହାପାତ୍ର ( ଳୁନା) ପରିଚାଳନା କରିଥିବା ବେଳେ ଗିରୀଶ ଚନ୍ଦ୍ର ହୋତା ମ୍ୟାଚ ରେଫରୀ ଏବଂ ରାଜେନ୍ଦ୍ର ସାହୁ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ ।