ଏସ୍ସିବିରେ ଅନିୟମିତତା: ଯାଞ୍ଚରେ ଧରା ପଡିଲା ଅଗ୍ନି ନିରାପତ୍ତା ଜାଲିଆତି
କଟକ, (ଓ୍ବାଇଏନଏସ): ବିଭିନ୍ନ ବିଭାଗର ୱାର୍ଡଠୁ ଆରମ୍ଭ କରି ଆଇସିୟୁ, ଆଉଟ୍ଡୋର, ନିଦାନ କେନ୍ଦ୍ର, ଓଟିରେ ଅଗ୍ନି ନିରାପତ୍ତା ପାଇଁ ଏକ୍ସ୍ଟିଙ୍ଗୁଇସର୍ ଝୁଲୁଛି । ମାତ୍ର ସିଲିଣ୍ଡର୍ ଭିତରେ କିଛି ନାହିଁ । ଏସ୍ସିବି ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ମେଡିକାଲ୍ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ୍ ବେଳେ ଏସବୁ ଅନିୟମିତତା ଓ ଜାଲିଆତି ଧରାପଡ଼ିଛି । ଜିଲ୍ଲା ପ୍ରଶାସନ, ଏସ୍ସିବି ମେଡିକାଲ୍ ଓ ଅଗ୍ନିଶମ ସେବା ସଂସ୍ଥାର ମିଳିତ ଯାଞ୍ଚ୍ ସମୟରେ ଅଗ୍ନି ନିର୍ବାପକ ଉପକରଣରେ ଅନେକ ତ୍ରୁଟି ଓ ଜାଲିଆତି ଧରାପଡ଼ିବା ଘଟଣା ଏସ୍ସିବିରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ନିଆଁ ଲିଭାଇବା ପାଇଁ ଏକ୍ସ୍ଟିଙ୍ଗୁଇସରରେ ପୃଥକ୍ ଭାବେ ଡ୍ରାଏ କେମିକାଲ୍ ପାଉଡର୍, କାର୍ବନ୍ ଡାଇଅକ୍ସାଇଡ୍ ଓ ଫୋମ୍ ଭର୍ତ୍ତି କରିବା ବଦଳରେ ଠିକାଦାର ଦୁଇ ବର୍ଷ ଅନ୍ତରରେ କେବଳ ଷ୍ଟିକର୍ ବଦଳାଇଥିବା ଜଣାପଡ଼ିଛି । ସିଲିଣ୍ଡ କେମିକାଲ୍ ଭର୍ତ୍ତି ନକରି କାଗଜପତ୍ରରେ ସବୁ କିଛି ଦର୍ଶାଇ ଜିଇଡିରୁ ମୋଟା ଅଙ୍କର ବିଲ୍ ହୋଇଥିବା ସୂଚନା ମିଳିଛି । ଏହା ଜଣାପଡ଼ିବା ପରେ ଜିଇଡି, ପୂର୍ତ୍ତ ବିଭାଗ ଅଧିକାରୀ ଏବେ ଅକଳରେ ପଡ଼ିଛନ୍ତି । ପ୍ରାଥମିକ ସ୍ତରରେ ହେଉଥିବାଯାଞ୍ଚ୍ରେ ଏକ୍ସଟିଙ୍ଗୁଇସରରେ ଯଦି ଏପରି ଜାଲିଆତି ହୋଇଛି ତେବେ ସ୍ପ୍ରିଙ୍କଲର୍ ସିଷ୍ଟମ୍, ଅଟୋମେଟିକ୍ ଡିଟେକ୍ସନ୍ ଅଫ୍ ସ୍ମୋକ୍ ଆଣ୍ଡ୍ ଫାୟାର୍ ଓ ଫାୟାର୍ ଆଲାମ୍ର୍, ହାଇଣ୍ଡ୍ରାଣ୍ଟ୍ ଆଦି ଉପକରଣରେ ଆହୁରି କେତେ ଯେ ଅନିୟମିତତା ହୋଇନଥିବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା ହିଁ ଅନିୟମିତତାର ଜ୍ୱଳନ୍ତ ଉଦାହରଣ ବୋଲି ଜଣେ ଅଗ୍ନିଶମ ସେବା ସଂସ୍ଥାର ଅଧିକାରୀ କହିଛନ୍ତି । ଆଇସିୟୁରେ ଏସିରୁ ନିଆଁ ଝରିବା ପରେ କାଜୁଆଲଟିରେ ଡ୍ୟୁଟିରେ ଥିବା କିଛି କର୍ମଚାରୀ ଏକ୍ସ୍ଟିଙ୍ଗଇସର ଗୁଡ଼ିକୁ ବ୍ୟବହାର ପାଇଁ ଚେଷ୍ଟା କରିଥିଲେ । ମାତ୍ର ତାହା କାମ କରି ନଥିଲା । ଦମକଳ ବାହିନୀ କର୍ମଚାରୀ କିଛି ଏକ୍ସଟିଙ୍ଗଇସର,ସ୍ପ୍ରିଙ୍କଲର୍ ସହାୟତା ନେଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ସମାନ ଭାବେ ସ୍କ୍ରିଙ୍କଲର୍ ଆଦି ଅନ୍ୟ ଉପକରଣଗୁଡ଼ିକ ମଧ୍ୟ କାମ କରିନଥିଲା । ଏପରିସ୍ଥଳେ ଦମକଳ ବାହିନୀ କର୍ମଚାରୀ ଆଇସିୟୁ ଭିତରେ ପାଣି ମାଡ଼ କରି ନିଆଁକୁ ଆୟତ୍ତ କରିଥିଲେ । ଟ୍ରମା ଆଇସିୟୁରେ ଯଦି ଅଗ୍ନି ନିର୍ବାପକ ଉପକରଣ ସାମାନ୍ୟ କାମ କରିଥାନ୍ତା ତାହେଲେ ଅଗ୍ନିକାଣ୍ଡ ଭୟାବହ ହେବା ପୂର୍ବରୁ ନିଆଁକୁ କିଛି ମାତ୍ରାରେ ଆୟତ୍ତ କରି ହୋଇପାରିଥାନ୍ତା ବୋଲି ଅଗ୍ନିଶମ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।ନିଆଁରେ ୧୩ ଜଣଙ୍କ ମୃତ୍ୟୁ ହେବା ପରେ ଗିରଫ ଦାବି, ନିଲମ୍ବିତ ଆଦି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଖିଲାପ କରିଥିବା ଅଧିକାରୀ ଏବଂ ଜାଲିଆତି କରିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ । ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ଥିବା ଜିଇଡି ଓ ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଏଭଳି ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଏ ଦିଗରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅଗ୍ନି ନିରାପତ୍ତା ନାଁରେ ହୋଇଥିବା ଘୋଟାଲା ଲୋକଲୋଚନକୁ ଆସିପାରନ୍ତା ବୋଲି ଏସ୍ସିବି ମେଡିକାଲ୍ ଓ ଅଗ୍ନିଶମ ସେବା ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ଏ ଅନିୟମିତତା ସଂପର୍କରେ ମତାମତ ପାଇଁ ଏସ୍ସିବି କର୍ତ୍ତୃପକ୍ଷଙ୍କ ସହ ବହୁବାର ଯୋଗାଯୋଗ କରାଯାଇଥିଲେ ହେଁ କେହି କିଛି କହିବାକୁ ମନା କରି ଦେଇଛନ୍ତି।


