ମହାନଦୀରେ ଗାଧୋଇବା ହେଲା କାଳ: ପ୍ରଖର ଜଳସ୍ରୋତରେ ବୁଡ଼ି ତିନି ଛାତ୍ର ମୃତ

କଟକ,(ଓ୍ବାଇଏନଏସ): ଚାରି ଜଣ ସାଙ୍ଗ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ୩ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଚତୁର୍ଥ ଯୁବକ ପହଁରି ପହଁରି କୂଳକୁ ପଳାଇ ଆସିଥିବା ଜଣାପଡ଼ିଛି । ଜଗତପୁର ଥାନା ଅନ୍ତର୍ଗତ ସାତବାଟିଆ ମହାନଦୀ ଘାଟରେ ରବିବାର ସନ୍ଧ୍ୟାରେ ଘଟିଛି ଅଭାବନୀୟ ଘଟଣା । ମୃତ ତିନ ଯୁବକ ହେଲେ ମୁକ୍ତି ପ୍ରସାଦ ଦାସ(୨୧) ଓ ଅମ୍ଲାନ ପ୍ରସାଦ ନାୟକ(୨୦), ଅରିଜିତ୍‌ ସାହୁ(୨୧) । ମୁକ୍ତି ପ୍ରସାଦଙ୍କ ଘର ଚାଉଳିଆଗଞ୍ଜ ଥାନା ଅଧୀନ ବେଲେଶ୍ୱର ଅଞ୍ଚଳରେ । ଅମ୍ଲାନ ପ୍ରସାଦଙ୍କ ଘର ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀନଗର ଅଞ୍ଚଳରେ । ସିଆର୍‌ଆର୍‌ଆଇ ଥାନା ଅଧୀନସ୍ଥ ପୋତାପୋଖରୀ ଅଞ୍ଚଳର ଅରିଜିତ୍‌ ସାହୁ(୨୧) ଘର । ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଲଙ୍କାପଡ଼ା ଅଞ୍ଚଳର ପ୍ରତ୍ୟୁଷ ସ୍ୱାଇଁ(୨୦) ନଦୀ ସ୍ରୋତରେ ପହଁରି ପହଁରି କୂଳକୁ ଆସି ପାରିଛନ୍ତି । କଟକ ସହରର ୧୦ଟି ଦମକଳ ବାହିନୀର କର୍ମଚାରୀମାନେ ଅତ୍ୟାଧୁନିକ ବୋଟ୍‌ ଓ ଲାଇଟ୍‌ ସହାୟତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ଅରିଜିତ୍‌ଙ୍କ ପତ୍ତା ମିଳିନଥିଲା । ସୋମାବାର ସକାଳୁ ଖୋଜା ଖୋଜି ପରେ ଅରିଜିତ୍‌ଙ୍କ ମୃତଦେହକୁ ଅଗ୍ନିଶମ ଟିମ୍ ଉଦ୍ଧାର କରିଛନ୍ତି। ଅରିଜିତ୍‌ କଟକ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ +୩ ପାସ୍‌ କରିଥିଲେ । ସୂଚନା ଅନୁଯାୟୀ, କଟକ ସହରର ପୂର୍ବାଞ୍ଚଳରୁ ୪ ଜଣ ସାଙ୍ଗ ରବିବାର ଅପରାହ୍ନରେ ଘରୁ ବାହାରି ଏକାଠି ଜଗତପୁର ଅଭିମୁଖେ ଯାଇଥିଲେ । ସାତବାଟିଆ ନିକଟରେ ମହାନଦୀ ଘାଟରେ ପହଞ୍ଚି ଗାଧୋଉଥିବା ସମୟରେ ପ୍ରଥମେ ଅମ୍ଲାନ ବୁଡ଼ି ଯାଉଥିବା ଦେଖି ଅନ୍ୟ ତିନି ଜଣ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ତେବେ ପହଁରା ଶିଖି ନ ଥିବାରୁ ତିନି ଜଣ ଯାକ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । କେବଳ ପ୍ରତ୍ୟୁଷ ପହଁରି ପହଁରି କୂଳକୁ ଆସି ପାରିଥିଲେ । ଖବର ପାଇ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର ଓ କଟକ ବକ୍ସିବଜାର ଦମକଳ କେନ୍ଦ୍ରର ୨୦ରୁ ଅଧିକ କର୍ମଚାରୀ ମହାନଦୀରେ ଦୀର୍ଘ ୩ ଘଣ୍ଟାରୁ ଅଧିକ ତଲାସି କରିବା ପରେ ପ୍ରଥମେ ମୁକ୍ତିପ୍ରସାଦଙ୍କୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଅମ୍ଲାନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜି ସକାଳୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ବହୁତ ଖୋଜା ଖୋଜି ପରେ ଗଭୀର ପାଣି ଭିତରୁ ଅରିଜିତ ସାହୁଙ୍କ ମୃତଦେହକୁ ଉଦ୍ଧାରକାରୀ ଟିମ୍ ଠାବ କରିଥିଲା । ମୃତଦେହକୁ ଉଦ୍ଧାର କରିବା ପରେ ପୁଲିସ ଜବତ କରିଛି। ପରେ ଅରିଜିତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଯାଇଥିବା ସୂଚନା । ଅମ୍ଲାନ, ଅରିଜିତ୍‌, ମୁକ୍ତିପ୍ରସାଦ, ପ୍ରତ୍ୟୁଷ ୪ ଜଣ ଅନ୍ୟ ଦିନ ପରି ଗାଡ଼ିରେ ଏକାଠି ଜଗତପୁର ଯାଇ ମହାନଦୀର ସାତବାଟିଆ ଘାଟ ପାଖ ରୋଡ଼ରେ ଗାଡ଼ି ରଖି ସାଙ୍ଗ ହୋଇ ଗାଧୋଇବାକୁ ପାଣି ଭିତରେ ପଶିଥିଲେ । ଗାଧୋଇବା ବେଳେ ପ୍ରଥମେ ଅମ୍ଲାନ ବୁଡ଼ି ଯାଇଥିଲେ । ଅମ୍ଲାନଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ୩ ଜଣ ବନ୍ଧୁ ଉଦ୍ୟମ କରି ବିଫଳ ହୋଇଥିଲେ । ଏହି ଘଟଣା ପ୍ରଚାର ହେବା କ୍ଷଣି ସାତବାଟିଆ ଅଞ୍ଚଳର ନଦୀ ପଠା ଲୋକାରଣ୍ୟ ହୋଇଯାଇଥିଲା । ସେହିପରି ନଦୀରେ ଭାସିଯାଇଥିବା ଛାତ୍ରଙ୍କ ପରିବାର ଓ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ କାନ୍ଦରେ ନଦୀକୂଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ୪ ଜଣ ସାଙ୍ଗଙ୍କ ଭିତରୁ ୩ ଜଣ ବିଏସ୍‌ସି ପାସ୍‌ କରିଥିବା ଜଣାପଡ଼ିଛି । ଅମ୍ଲାନ ଏବେ ରାଉରକେଲାର ଏକ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଖବର ମିଳିଛି । ଜଗତପୁର ଥାନା ପୁଲିସ ମୃତ ଛାତ୍ର ମୁକ୍ତିପ୍ରସାଦ ଓ ଅମ୍ଲାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ୍‌ ପଠାଇଛି । ସୋମାବର ବ୍ୟବଚ୍ଛେଦ ହେବ ବୋଲି ପୁଲିସ କହିଛି । ୪ ଜଣ ଯାକ ସାଙ୍ଗ ପୂର୍ବରୁ ଅନେକ ଥର ସାତବାଟିଆ ପଠାକୁ ବୁଲାବୁଲି କରିବାକୁ ଆସିଥାନ୍ତି ବୋଲି ଖବର ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ