ଜମ୍ବୁ ମହୋତ୍ସବ ଉଦଯାପିତ
କେନ୍ଦ୍ରାପଡ଼ା(ଓ୍ବାଇଏନଏସ):କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଦେବୀ ପୀଠ ଦରିଆ ପାରି ମା’ ରାମଚଣ୍ଡୀ ମନ୍ଦିର ନିକଟରେ ଜମ୍ବୁ ମହୋତ୍ସବ -୨୦୨୫ ଶନିବାର ରାତିରେ ଉଦ୍ଯାପିତ ହୋଇଯାଇଛି। କାଳବୈଶାଖୀ ଯୋଗୁ ଚତୁର୍ଥ ସନ୍ଧ୍ୟାରେ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଶନିବାର ପାଗ ଭଲ ରହିଥିବାରୁ ଉଦ୍ଯାପନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ବଡ଼ଚଣା ବିଧାୟକ ଅମର ନାୟକ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ ଓ କବି ହେମନ୍ତ ଜେନା ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ପଞ୍ଚମ ତଥା ଉଦଯାପନୀ ଉତ୍ସବରେ ପାଇକ ନୃତ୍ୟ ଏବଂ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଜମ୍ବୁ ମହୋତ୍ସବର ପତ୍ରିକା “ଦୀପଂନେତ’ ଉନ୍ମୋଚନ କରିଥିଲେ। ପରେ ମହାକାଳପଡ଼ା ବିକାଶ ମଞ୍ଚପକ୍ଷରୁ କାଶୀନାଥ ରାଉତରାୟ, ଅମୀୟ ବାରିକ ଓ ଅନ୍ୟ ସଦସ୍ୟମାନେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ତିଖିରିର ଜଣେ ସାହିତ୍ୟିକଙ୍କ ସ୍ୱରଚିତ ଲେଖାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମହାକାଳପଡ଼ା ବିଧାୟକ ଡ. ନାୟକ ପ୍ରଥମେ ଅଭିଭାଷଣ ମାଧ୍ୟମରେ ମହୋତ୍ସବକୁ ଐତିହାସିକ ମହୋତ୍ସବରେ ପରିଣତ କରିବାକୁ କଥା ରଖିଥିଲେ। ବିଭିନ୍ନ ସାଂସ୍କୃତିକ ଦଳ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।