ବାଲିଯାତ୍ରାରେ ପୁସ୍ତକ ପ୍ରେମୀଙ୍କୁ ମନ ମହୁଛି ‘କଥା କାନନ’
କଟକ, (ଓ୍ବାଇଏନଏସ): ବାଲିଯାତ୍ରାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ‘କଥା କାନନ’ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ବହି ପଢିବା ଓ କିଣିବାରେ ବ୍ୟସ୍ତ । ଓଡ଼ିଶାର ସମସ୍ତ ମହାପୁରୁଷଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସିଦ୍ଧ ଲେଖକଙ୍କ ବହି ମିଳୁଛି । ଏହା ସହିତ ସୁନ୍ଦର ସାଜ୍ଜସଜ୍ଜା ଓ ବିଭିନ୍ନ ପୁସ୍ତକ ପାଇଁ ଏଠାରେ ପୁସ୍ତକ ପ୍ରେମୀଙ୍କ ଭିଡ଼ ଜମୁଛି । ଏଠାରେ ଏକ ନିଆରା କଥା ଦେଖିବାକୁ ମିଳିଛି । ନିଜର ଏକ ବାର୍ତ୍ତା ଦିଅନ୍ତୁ ଓ ମାଗଣାରେ ବହି ନିଅନ୍ତୁ । ଏହା ସମସ୍ତଙ୍କ ଆଗ୍ରହ ବଢ଼ାଇବାରେ ସଫଳ ହୋଇଛି । “ଅନେକ ପୁରୁଣା ବହି ଏଠାରେ ରହିଛି । ଯେଉଁଥିରେ ଓଡ଼ିଆର ଲେଖକଙ୍କ ସମେତ ମହାପୁରୁଷଙ୍କ ବହି ରହିଛି । ଏହି ବହି ବିଶେଷ କରି ସ୍କୁଲ, ଅଫିସ, ବସ ଷ୍ଟାଣ୍ଡ, ସିଏମସି, ବ୍ଲକ ଆଦିରୁ ସଂଗ୍ରହ କରାଯାଇଛି । ମୋଟ ଆକାରରେ 1 ଲକ୍ଷ ଉପରେ ବହି ସଂଗ୍ରହ କରାଯାଇଛି । ପ୍ରତ୍ୟେକ ଦିନ 10 ହଜାର ବହି ପ୍ରଦାନ କରାଯାଉଛି । ଆମର ଗୋଟିଏ ପ୍ରୟାସ ଆମେ କିଭଳି ଭାବରେ ସାହିତ୍ୟର ପ୍ରଚାର ପ୍ରସାର କରିବା ସହିତ ପିଲାମାନେ କିଭଳି ଭାବରେ ଏଥିପ୍ରତି ଆଗ୍ରହ ଦେଖାଇବେ ସେନେଇ ପ୍ରୟାସ କରାଯାଉଛି” ବୋଲି କହିଛନ୍ତି ବାଙ୍କି ଡମପଡା ତହସିଲଦାର ବୈଶାଖୀ ଲେଙ୍କା । ଜଣେ ପାଠକ କହିଛନ୍ତି, “ବାଲିଯାତ୍ରାରେ ମାଗଣାରେ ବହି ଦିଆଯାଉଛି । ଆଜିକାଲି ବଜାରରେ ଏଭଳି ବହି ମିଳିବା କଷ୍ଟକର ହୋଇପଡିଛି । ପୁରୁଣା ବହି ମଧ୍ୟ ମିଳିବା ବହୁତ କଷ୍ଟ ହୋଇପଡିଛି । ବର୍ତ୍ତମାନ ସମୟରେ ପିଲାମାନେ ବହିର ମୂଲ୍ୟ ବୁଝନ୍ତି ନାହିଁ । ଯାହା ଫଳରେ କି ଓଡ଼ିଆର ଗର୍ବ ଗୌରବ କୁହାଯାଉଥିବା ଲେଖକ ଓ ମହାପୁରୁଷଙ୍କ ବହି ଆଦୃତ ହେଉନାହିଁ । କିନ୍ତୁ ବହି ପଢ଼ିବା ଅତ୍ୟନ୍ତ ଆବଶ୍ୟକ । ବହି ପଢ଼ିବାରେ ଯେଉଁ ମଜା ରହିଛି ମୋବାଇଲରେ ପଢ଼ିବାରେ ସେହି ମଜା ନାହିଁ ବୋଲି କହିଛନ୍ତି ।” ଆଉ ଜଣେ ପାଠକ କହିଛନ୍ତି, “ପିଲାମାନେ ପ୍ରତ୍ୟେକ ଦିନ ବହି ପଢ଼ିବା ଆବଶ୍ୟକ । ଆଧୁନିକ ଯୁଗରେ ବର୍ତ୍ତମାନ ସମୟରେ ପିଲାମାନେ ମୋବାଇଲରେ ପଢୁଛନ୍ତି । କିନ୍ତୁ ବହି ପଢିବା ଅତ୍ୟନ୍ତ ଆବଶ୍ୟକ । ମୁଁ ଅବସର ପରେ ମଧ୍ୟ ଦୈନିକ ଦୁଇ ଘଣ୍ଟା ବହି ପଢିଥାଏ । ଏହା ମୋର ସ୍କୁଲ ସମୟରୁ ଅଭ୍ୟାସ ଅଟେ ।” ଏଠାରେ ‘କଥା କାନନ’ରେ ଜମିଛି ପୁରୁଣା ବହିର ଆସର । ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିବା ଲେଖକ କବି ଗଳ୍ପକାରଙ୍କର ସୁଦୃଶ୍ୟ 3D ଚିତ୍ର ମଧ୍ୟ ପ୍ରଦର୍ଶିତ ହେଉଛି । ଯାହା ଆମର ଉତ୍କଳ ସାହିତ୍ୟର ପୁରୋଧାଙ୍କୁ ମନେ ରଖିବା ସହିତ ତାଙ୍କ ଅବଦାନକୁ ସମ୍ମାନ କରିବା ପାଇଁ ବାର୍ତ୍ତା ଦେଇଛି ।


