କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ଶତବାର୍ଷିକୀ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ପ୍ରସିଦ୍ଧ ତଥା ଐତିହାସିକ ଗଣପର୍ବ ଶ୍ରୀଶ୍ରୀ ଗଜଲକ୍ଷ୍ମୀ ପୂଜା ଶତବାର୍ଷିକୀ ଉତ୍ସବ ଚଳିତ ବର୍ଷ ବେଶ୍ ଧୂମଧାମ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି। କେନ୍ଦ୍ରାପଡ଼ାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଅନୁଯାୟୀ ଧନଦାତ୍ରୀ ମା’ ମହାଲକ୍ଷ୍ମୀ ବିଭିନ୍ନ ପୂଜା ମଣ୍ଡପରେ ସାତ ଦିନ ଧରି ଭକ୍ତଙ୍କ ଗହଣରେ ପୂଜାର୍ଚ୍ଚନା ପାଇବା ପରେ ବିଧିବଦ୍ଧ ଭାବେ ବିସର୍ଜିତ ହୁଅନ୍ତି। ଏହା ପରଦିନ ସହରରେ ଏକ ବିରାଟ ଶୋଭାଯାତ୍ରାମୟ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଭସାଣି ଶୋଭାଯାତ୍ରାକୁ ସୁପରିଚାଳିତ ତଥା ଶୃଙ୍ଖଳିତ ଭାବେ ନିୟନ୍ତ୍ରଣ କରିବା ଦିଗରେ ସହରର ଦୁଇ ପ୍ରମୁଖ ‘ଥାନପତି’ ପୁରୁଣା ବସ୍ଷ୍ଟାଣ୍ଡ ଏବଂ ନୂଆ ବସ୍ଷ୍ଟାଣ୍ଡର ମହାଲକ୍ଷ୍ମୀ ମେଢ଼ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି। ଥାନପତିଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ହିଁ ସମସ୍ତ ମେଢ଼ କ୍ରମାନ୍ୱୟରେ ଭସାଣି ଶୋଭାଯାତ୍ରାରେ ଅଗ୍ରସର ହୁଅନ୍ତି। ଚଳିତ ଶତବାର୍ଷିକୀ ବର୍ଷରେ ଐତିହ୍ୟସମ୍ପନ୍ନ ନୂଆ ବସ୍ଷ୍ଟାଣ୍ଡ ଥାନପତି ଲକ୍ଷ୍ମୀ ମଣ୍ଡପର ନବକଳେବର କରାଯାଇଛି। କେନ୍ଦ୍ରାପଡ଼ା ପୌର ପ୍ରଶାସନ ପକ୍ଷରୁ ୭ ଲକ୍ଷ ଟଙ୍କା ଓ ବିଧାୟକ ପାଣ୍ଠିରୁ ମିଳିଥିବା ୫ ଲକ୍ଷ ଟଙ୍କା ମୋଟ ୧୨ ଲକ୍ଷ ଟଙ୍କାର ଅନୁଦାନ ବ୍ୟୟରେ ଏହି ଭବ୍ୟ ତଥା ଆକର୍ଷଣୀୟ ନୂତନ ମଣ୍ଡପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରାପଡ଼ା ପୌରପାଳିକାର ନଗରପାଳିକାର ଅଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଏହି ନୂତନ ମଣ୍ଡପକୁ ଉଦ୍ଘାଟନ କରିଛନ୍ତି। ମଣ୍ଡପ ଉଦ୍ଘାଟନ କରିବା ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ଉପସ୍ଥିତ ଜନସାଧାରଣ ଓ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ସହରର ନୂଆ ବସ୍ଷ୍ଟାଣ୍ଡ ଗଜଲକ୍ଷ୍ମୀ ଥାନପତି ପୂଜା କମିଟି ସର୍ବଦା ନିଜର ଦାୟିତ୍ୱବୋଧ ଓ ସହଯୋଗ ମାଧ୍ୟମରେ ଭସାଣି ଉତ୍ସବକୁ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି। ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଶହେ ବର୍ଷରେ ପଦାର୍ପଣ କରିଥିବାରୁ ଏହା ସମଗ୍ର ସହରବାସୀଙ୍କ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ତେଣୁ ଆଗାମୀ ଭସାଣି କାର୍ଯ୍ୟକ୍ରମକୁ ପୂର୍ବାପେକ୍ଷା ଅଧିକ ସରସ, ସୁନ୍ଦର, ଆକର୍ଷଣୀୟ ଏବଂ ଶୃଙ୍ଖଳିତ କରିବା ପାଇଁ ସେ ଥାନପତି ପୂଜା କମିଟି, ସହରର ଅନ୍ୟାନ୍ୟ ମେଢ଼ କମିଟି, ପ୍ରଶାସନ ତଥା ପୋଲିସ ବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ପାରସ୍ପରିକ ସହଯୋଗ ରକ୍ଷା କରିବାକୁ ଆହ୍ୱାନ ଜଣାଇଥିଲେ। ଏହି ଭବ୍ୟ ଉଦ୍ଘାଟନୀ ସମାରୋହରେ ନୂଆବସ୍ଷ୍ଟାଣ୍ଡ ଥାନପତି ପୂଜା କମିଟିର ସଭାପତି ରାମଚନ୍ଦ୍ର ରାଉତରାୟ ପୌରହିତ୍ୟ କରିଥିବା ବେଳେ ସମ୍ପାଦକ ଅଶୋକ ଲେଙ୍କା ଓ ଉପସଭାପତି ବିଶ୍ୱଜିତ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ରଞ୍ଜିତ ସାହୁ, ଜାନକୀ ବଲ୍ଲଭ ସାମନ୍ତରାୟ, ଶୁଭେନ୍ଦୁ ବାରିକ, ଆଶିଷ ପାଣିଙ୍କ ସମେତ ପୂଜା କମିଟିର ବହୁ ବରିଷ୍ଠ ସଦସ୍ୟ, ସ୍ଥାନୀୟ ବ୍ୟବସାୟୀ, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।


