ଅଧା ଗଢ଼ା ପ୍ରଧାନମନ୍ତ୍ରୀ ଆବାସ : ଘର କଲେନି କି ଟଙ୍କା ଫେରାଇଲେ ନାହିଁ

କାକଟପୁର /ଅସ୍ତରଙ୍ଗ :(ସୁଭାଶିଷ ଖଣ୍ଡୁଆଳ ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର କରିବାକୁ କାର୍ଯ୍ୟାଦେଶ ନେଲେ। ପ୍ରଥମ କିସ୍ତି ଟଙ୍କା ଉଠାଇଲେ। କିଛି ଲୋକ ଘର କଲେ, ଆଉ ଅନେକ ଘର ତୋଳିଲେନି କି ଟଙ୍କା ଖର୍ଚ୍ଚର ହିସାବ ଦେଲେନି। ଏଣୁ ଦ୍ୱିତୀୟ କିସ୍ତି ଟଙ୍କା ପାଇଲେନି। ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ୮୮ଟି ହିତାଧିକାରୀ ଙ୍କ ଘର ଏବେ ଅଧା ଗଢ଼ା ଅବସ୍ଥାରେ ରହିଯାଇଛି। କେଉଁଠି ଘର କେବଳ ନିଅଁ ଉଠି ସେଇଠି ଅଟକି ଯାଇଛି ତ ଆଉ କେଉଁଠି ଇଟା, ବାଲି ପଡି କାମ ନ ହେବାରୁ ମାଟିରେ ମିଶିଯାଇଛି। ଫଳରେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ଏଭଳି ହିତାଧିକାରୀ ପାଇଁ ପ୍ରଶାସନ ଅକଳରେ ପଡିଛି। ଏହି ହିତାଧିକାରୀ ମାନେ ନା ଟଙ୍କା ଫେରସ୍ତ କରୁଛନ୍ତି ନା ଘର କାମ ଆଗକୁ ବଢା଼ଉଛନ୍ତି। ଏବେ ଏହି ହିତାଧିକାରୀ ମାନଙ୍କ ଠାରୁ ଟଙ୍କା କିପରି ଆଦାୟ କରାଯିବ ତାହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିୟମ ଅନୁଯାୟୀ, ଜଣେ ପ୍ରକୃତ ହିତାଧିକାରୀ ପ୍ରଥମ କିସ୍ତି ଅର୍ଥାତ ଘର ଆରମ୍ଭ ପୂର୍ବରୁ ୪୦ହଜାର ଟଙ୍କା ଦିଆଯାଏ। ପ୍ରଥମ କିସ୍ତି ଖର୍ଚ୍ଚ ପରେ ଦ୍ୱିତୀୟ କିସ୍ତିରେ ଆଉ ୬୫ହଜାର ଟଙ୍କା ଦିଆଯାଏ। ଏହି ଅର୍ଥରେ ଘରର ଛାତ ପଡିଥାଏ। ଏହା ପରେ ଘରର ପ୍ଳାଷ୍ଟର ପାଇଁ ଶେଷ କିସ୍ତିରେ ବାକି ୧୫ହଜାର ଟଙ୍କା ଦିଆଯାଏ। କିନ୍ତୁ ହିତାଧିକାରୀ ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯ରେ କିଛି ହିତାଧିକାରୀ ପ୍ରଥମ କିସ୍ତି ଅର୍ଥ ନେଇ ଆଉ ଘର କାମ ଆଗେଇଲେ ନାହିଁ। ଅଳ୍ପ କିଛି କାମ କରି ଅଧାରୁ କାର୍ଯ୍ୟ ବନ୍ଦ କରିଦେଲେ।ଅସ୍ତରଙ୍ଗ ବ୍ଲକର ୧୫ଗୋଟି ପଂଚାୟତ ରେ ୮୮ଜଣ ହିତାଧିକାରୀ ପ୍ରଥମ କିସ୍ତି ନେବା ପରେ ଆଉ ଘର କାମ କରିନାହାନ୍ତି। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆବାସ ଯୋଜନା ରେ ପ୍ରତ୍ୟେକ କିସ୍ତି ଆଧାରରେ ଜଣେ ହିତାଧିକାରୀ ଘର କେତେ ପର୍ଯ୍ୟନ୍ତ କରିବେ ତାହା ସ୍ଥିର କରାଯାଇଥାଏ। ସେହି ଅନୁସାରେ ହିତାଧିକାରୀ ମାନଙ୍କ ଆକାଉଣ୍ଟୁ କୁ ପ୍ରତ୍ୟେକ କିସ୍ତି ପଠାଯିବା ପୂର୍ବରୁ ସେମାନଙ୍କୁ ଘର କାମ କେତେ ସମ୍ପୂର୍ଣ୍ଣ କରିବେ ତାହା ବୁଝାଇ ଦିଆଯାଇଥାଏ। ଯଦି କିସ୍ତି ଟଙ୍କା ଅନୁସାରେ ଘର କାମ ନ କରନ୍ତି ତେବେ ହିତାଧିକାରୀ ଙ୍କୁ ଦ୍ୱିତୀୟ କିସ୍ତି ଦିଆଯାଇନଥାଏ। ଯେଉଁ ହିତାଧିକାରୀ ମାନେ ପ୍ରଥମ କିସ୍ତି ନେବା ପରେ ଘର କାମକୁ କଲେ ନାହିଁ ବା ଅଳ୍ପ କିଛି କରି ଛାଡିଦେଲେ ସେମାନଙ୍କୁ ଯାଇ ବ୍ଲକ ପ୍ରଶାସନ ପକ୍ଷରୁ ପଚରା ଯାଇଥିଲା। କଣ ପାଇଁ ସେମାନେ ଘର କାମ ବନ୍ଦ କରିଛନ୍ତି। ପ୍ରଥମ କିସ୍ତି ଟଙ୍କାକୁ ଘର କାମରେ ଖର୍ଚ୍ଚ କଲେ ନା ଅନ୍ୟ କେଁଉ କାମରେ। କିନ୍ତୁ ବହୁ ହିତାଧିକାରୀ ଟଙ୍କାକୁ ଠିକ ବାଟରେ ଖର୍ଚ୍ଚ କରିନଥିବା କହୁଛନ୍ତି। କେହି କେହି ହିତାଧିକାରୀ ଝିଅ ବାହାଘର ପାଇଁ ଏହି ଅର୍ଥ କୁ ଖର୍ଚ୍ଚ କରିଦେଇଥିବା ବେଳେ କେହି କେହି ହିତାଧିକାରୀ ଅନ୍ୟ ବାଟରେ ଟଙ୍କା ବର୍ବାଦ କରି ଦେଇଛନ୍ତି। ଏଣୁ ଘର କାମ କରିପାରିନାହାନ୍ତି। ସରକାରୀ ଟଙ୍କାକୁ ସେମାନେ ମନଇଚ୍ଛା ଖର୍ଚ୍ଚ କରିଦେଇଛନ୍ତି। ଯଦି ସେମାନେ ଘର କାମ ଆଗକୁ ନ ବଢ଼ାନ୍ତି ତାହାହେଲେ ସେମାନଙ୍କୁ ପ୍ରଥମ କିସ୍ତିର ଅର୍ଥ ଫେରସ୍ତ କରିବାକୁ ପଡିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ହିତାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯିବ ବୋଲି ପ୍ରଶାସନ ନିଷ୍ପତି ନେଇଛି। ଯଦି ସେମାନେ କାରଣ ଦର୍ଶାଅ ନୋଟିସର ଯୁକ୍ତିଯୁକ୍ତ ଜବାବ ନ ରଖନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କିଭଳି ଟଙ୍କା ରାଜକୋଷ କୁ ଫେରିବ ଏହା ପ୍ରଶାସନ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ