କୁଡୁମି ସ୍ୱାଭିମାନ ସମାବେଶ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ): ଓଡିଶା କୁଡୁମି ସେନା ପକ୍ଷରୁ ଏକ ବିଶାଳ କୁଡୁମି ସ୍ୱାଭିମାନ ସମାବେଶ କରଞ୍ଜିଆ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ସଂଗଠନର ରାଜ୍ୟ ସଭାପତି ଦିବ୍ୟସିଂ ମହାନ୍ତଙ୍କ ନେତୃତ୍ୱରେ ପଦ୍ମପୁର ଦୁର୍ଗାପୂଜା ମଣ୍ଡପ ନିକଟରୁ ଏକ ବିଶାଳ ସଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ସଭାଯାତ୍ରାରେ ହଜାର ହଜାର ପୁରୁଷ ଓ ମହିଳା ଯୋଗଦେଇ ଯଶିପୁର ବଜାର ପରିକ୍ରମା କରି ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିଥିଲେ।
ପରେ ଦିବ୍ୟସିଂ ମହାନ୍ତଙ୍କ ସଭାପତିତ୍ୱରେ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୁଡୁମି ଜାତି ସହିତ ହେଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା। ବକ୍ତାମାନେ କହିଥିଲେ ଯେ, କୁଡୁମି ଜାତି ପୂର୍ବରୁ ଅନୁସୂଚିତ ଜାତି ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିଲେ, ତେଣୁ ପୁଣିଥରେ ସେମାନଙ୍କୁ ସେହି ଶ୍ରେଣୀରେ ସାମିଲ କରାଯିବା ସହ କୁଡୁମାଳି ଭାଷାକୁ ସଂବିଧାନର ଅଷ୍ଟମ ସୂଚୀରେ ସ୍ଥାନ ଦେବାକୁ ଦାବି ହେଉଛି।
ବକ୍ତାମାନେ ଆରୋପ କରିଥିଲେ ଯେ, ବର୍ଷରୁ ବର୍ଷ ଧରି ଏହି ଦାବି ଉପରେ କୌଣସି ସରକାର ପ୍ରାପ୍ତ ଗୁରୁତ୍ୱ ଦେଇନାହାନ୍ତି। ବିଜେଡି ସରକାର ସମୟରେ କିଛି ସମ୍ମାନ ମିଳିଥିଲେ ମଧ୍ୟ ବର୍ତ୍ତମାନ ସ୍ଥିତିରେ କୁଡୁମି ସମାଜକୁ ପଛକୁ ଠେଲାଯାଉଛି ବୋଲି ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ଏହା ପାଇଁ ରାଜରାସ୍ତାରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଚେତନ କରାଯାଇଛି। ପ୍ରବଳ ବର୍ଷା ଯୋଗୁ କାର୍ଯ୍ୟକ୍ରମ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା ଓ ପରେ କନକ ରେସିଡେନ୍ସିରେ ସମାବେଶ ଜାରି ରହିଥିଲା। ଏହି ସମାବେଶରେ ଝାଡ଼ଖଣ୍ଡର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଦେଶ ମାହାତୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ସମାଜସେବୀ କାମିନୀ ମହାନ୍ତ, ପୂର୍ବତନ ବିଧାୟକ ଲମ୍ବୋଦର ମାହାତୋ, ଯୁବ ନେତା ଅମିତ୍ ମାହାତୋ ସହ ଅନେକ ନେତା ଓ କର୍ମୀ ମଞ୍ଚାସୀନ ଥିଲେ। ସେଥିପାଇଁ ରାଜ୍ୟ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା କୁଡୁମି ସେନାର ନେତାମାନେ ଓ ହଜାର ହଜାର ସଦସ୍ୟ ଏହି ସମାବେଶରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ