ହାଟଡିହି, ଛେନାପଦି ଅଞ୍ଚଳରେ ଲଷ୍ମୀ ପୂଜାର ପୂର୍ଣ୍ଣାହୁତି
ହାଟଡିହି (ଓ୍ବାଇଏନଏସ) : ଗତ ୬ ତାରିଖରୁ ହାଟଡିହି, ଛେନାପଦି ଅଞ୍ଚଳରେ ଚାଲିଥିବା ମା ଗଜଲଷ୍ମୀ ପୂଜାର ଆଜି ପୂର୍ଣ୍ଣାହୁତି ହୋଇଛି। ପ୍ରଥମ ତିନିଦିନ ବର୍ଷା ଲାଗିରହିବା ପରେ ତିନି ଦିନ ଧରି ଭଲ ପାଗ କରିବାରୁ ଦର୍ଶକଙ୍କ ଭିଡ଼ ଜମିଥିଲା। ଛେନାପଦି ଛକ ଠାରୁ ଆରମ୍ଭ କରି ଅଣା, ହାଟଡିହି, ଜଳକଳଙ୍ଗ ପର୍ଯ୍ୟନ୍ତ ରାସ୍ତାକୁ ସୁନ୍ଦର ଆଲୋକ ମାଳାରେ ସୁସଜିତ କରାଯାଇ ଥିବା ବେଳେ ପ୍ରତି ପୂଜା ମଣ୍ଡପ ନିକଟରେ ବିଭିନ୍ନ ପ୍ରକାରର ଦୋକାନ ବଜାର ବସି ଥିବାରୁ ଲୋକଙ୍କ ଗହଳି ହେଉଛି। ଆଜି ଶେଷ ଦିନରେ ହଜାର ଲୋକଙ୍କ ଭିଡ଼ ଆଶା କରାଯାଉଛି। ଆଜି ଅପରାହ୍ନ ତିନିଟାରୁ ପ୍ରତ୍ୟେକ ପୂଜା ମଣ୍ଡପ ମାନଙ୍କରେ ପୂଜାର୍ଚନା ଆରମ୍ଭ ହୋଇ ଯାଇଛି। ତାରିଣୀ ବଜାର, ବଉଳା ରୋଡ଼, ତୁଳସୀ କମ୍ପ୍ଲେକ୍ସ, କଲେଜ ଛକ, ଲଷ୍ମୀ ବଜାର, ପେଟ୍ରୋଲପମ୍ପ ବଜାର, ଲଷ୍ମୀ ନାରାୟଣ ପୂଜା ମଣ୍ଡପ, ହାଟଡିହି ଲଷ୍ମୀ ବଜାର, ଜଳକଳଙ୍ଗ, ଆଦି ମଣ୍ଡପରେ ପୂର୍ଣ୍ଣାହୁତି ପୂଜା ଆରମ୍ଭ ହୋଇଥିବା ବେଳେ ରାତି ପର୍ଯ୍ୟନ୍ତ ଚାଲିବ। ଆସନ୍ତା କାଲି ଭସାଣି ଅନୁଷ୍ଠିତ ହେବ ବୋଲି ପୂଜା କମିଟି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି। ଭିଡକୁ ଲକ୍ଷ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁନନ୍ଦିପଦା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।