‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଶୁଭାରମ୍ଭ
କୋରାପୁଟ, ୧୨/୦୬(ହେମନ୍ତ ପାଣିଗ୍ରାହୀ): ରାଜ୍ୟର ଗରିବ ଓ ଅଭାବୀ ପରିବାରଙ୍କ ଖାଦ୍ୟ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ମହତ୍ୱାକାଙ୍କ୍ଷୀ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାବାସୀ ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ମଧ୍ୟ ଦେଖିଥିଲେ।ରାଜ୍ୟର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମ ଏସ ଏମ ଇ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଜନାର ଔପଚାରିକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ୨୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ବିଭାଗର ପୋଷଣ ଯୋଜନା ଅଧୀନରେ ୧୦ ଜଣ ମହିଳାଙ୍କୁ ସ୍ମାର୍ଟଫୋନ ପ୍ରଦାନ କରାଯାଇଥିଲା। ଏହି ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଯୋଗ୍ୟ ରାସନ କାର୍ଡଧାରୀଙ୍କୁ ସେମାନଙ୍କ ନିୟମିତ ପ୍ରାପ୍ୟ ବ୍ୟତୀତ ପ୍ରତି ହିତାଧିକାରୀଙ୍କୁ ମାସିକ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ। ଚଳିତ ବର୍ଷ ଏପ୍ରିଲ ମାସରୁ ଏହି ଯୋଜନା ଲାଗୁ ହୋଇଥିବାରୁ ହିତାଧିକାରୀମାନେ ଏକକାଳୀନ ଏପ୍ରିଲ, ମେ ଓ ଜୁନ ମାସର ବକେୟା ସହ ସର୍ବମୋଟ ୧୫ କିଲୋଗ୍ରାମ ଅତିରିକ୍ତ ଚାଉଳ ପାଇବେ। ଏଥିପାଇଁ କୌଣସି ନୂତନ ରାସନ କାର୍ଡର ଆବଶ୍ୟକତା ନଥିବାବେଳେ ହିତାଧିକାରୀ ମାନେ ନିଜ ନିକଟସ୍ଥ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଏହା ସଂଗ୍ରହ କରିପାରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ୩୪୧ଟି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର କାର୍ଯ୍ୟ କରୁଛି। ଜିଲ୍ଲାର ୩ ଲକ୍ଷ ୭୪ ହଜାର ୪୩୮ଟି ରାସନ କାର୍ଡଧାରୀ ପରିବାରର ୧୧ ଲକ୍ଷ ୪୧ ହଜାର ୧୩ ଜଣ ହିତାଧିକାରୀ ଏହି ଯୋଜନାର ସୁବିଧା ପାଇବେ। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହି ଯୋଜନା ଜିଲ୍ଲାର ଗରିବ ଓ ଅଭାବୀ ପରିବାରଙ୍କ ପାଇଁ ଏକ ବଡ଼ ଆଶୀର୍ବାଦ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ ପାଇଛି। ‘କୌଣସି ଗରିବ ପରିବାର ଭୋକିଲା ରହିବେ ନାହିଁ’ କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଥିଲେ, “ଆମ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଆମର ପ୍ରାଥମିକତା। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଦ୍ୱାରା ଜିଲ୍ଲାର କୌଣସି ଗରିବ ପରିବାର ଭୋକିଲା ରହିବେ ନାହିଁ ଏବଂ ଖାଦ୍ୟ ସୁରକ୍ଷା ଅଧିକ ସୁଦୃଢ଼ ହେବ।” ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭଗବାନ ମୁଡୁଲିଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ଶତାଧିକ ହିତାଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିସରରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧୀୟ ସଚେତନତା ଷ୍ଟଲ୍ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ‘ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ସରକାରଙ୍କ ଏହି ଜନମୁଖୀ ପଦକ୍ଷେପ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ।


