ବିଶ୍ୱ ସନାତନ ଯୁବ ସେବା ସଂଘର ବାର୍ଷିକ ମହୋତ୍ସବର ଉଦ୍‌ଯାପନ ଦିବସ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ମା’ଜାଗୁଳାଇ ପୀଠ ତିହୁଡା ଠାରେ ବିଶ୍ୱ ସନାତନ ଯୁବ ସେବା ସଂଘ ଓ ଶ୍ରୀ ଗୁରୁକୃପା ଚାରିଟେବୁଲ ସୋସାଇଟି ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଆୟୋଜିତ ୩୧ତମ ବାର୍ଷିକୋତ୍ସବର ବ୍ୟକ୍ତିତ୍ୱ ବିକାଶ ଶିବିରରେ ମୁଖ୍ୟ ଅତିଥି ଭାବେ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଯୋଗ ଦେଇ ବର୍ତମାନ ସମାଜରେ ଆଧ୍ୟାତ୍ମିକ ବିକାଶ ପାଇଁ ବ୍ୟକ୍ତିତ୍ୱ ବିକାଶ ଶିବିର କାର୍ଯ୍ୟକ୍ରମ ଜାରି ରହିବା ଆବଶ୍ୟକ। ଆଦର୍ଶ ଚରିତ୍ର ନିର୍ମାଣ, ପୂର୍ଣ୍ଣାଙ୍ଗ ଉତମ ଚରିତ୍ର ଗଠନ ବର୍ତମାନ ଶିକ୍ଷା ବ୍ୟବସ୍ଥାରେ ନାହିଁ; ରାଷ୍ଟ୍ରକୁ ମହାନ କରିବାକୁ ହେଲେ ପ୍ରଥମେ ବ୍ୟକ୍ତିକୁ ମହାନ କରିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ। ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଆଧ୍ୟାତ୍ମିକ ସଭାରେ ଗଜପତିଙ୍କ ସମେତ ବିଶିଷ୍ଟ ଅତିଥି ଭାବେ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ,ମୁଖ୍ୟବକ୍ତା ଭାବେ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ମହାରାଜ,ସମ୍ମାନୀୟ ଅତିଥି ଭାବେ ସ୍ୱାମୀ ଜଗଦୀଶାନନ୍ଦ ସରସ୍ୱତୀ,ଶ୍ରୀ ରାମକୃଷ୍ଣ ଦାସ ମହାରାଜ ପ୍ରମୁଖ ଯୋଗ ଶିବିର ଉପରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡଃ. ପ୍ରମୋଦ କୁମାର ରଥ, ସୁରେନ୍ଦ୍ର ସାମଲ, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ୪ଜଣ ଶିକ୍ଷକଙ୍କୁ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ସମ୍ମାନିତ କରିଥିଲେ। ପ୍ରଥମେ ଗୁରୁକୃପା କୁଟୀର ପରିସରରେ ବାବା ସତ୍ୟାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ପୂର୍ବତନ ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକଙ୍କ ରଚିତ ‘ନବକଳେବର ଅନୁଭୂତି-୨୦୧୫’ ପୁସ୍ତକକୁ ପୁରୀ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶ୍ୱ ସନାତନର ସଦସ୍ୟମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ