ଚୋରା ମଦ ବ୍ୟବସାୟ ଯୋଗୁଁ ଉପୂଜୁଛି ଆଇନ ଶୃଙ୍ଖଳା ପରିସ୍ଥିତି: ପୁଲିସ ନୀରବଦ୍ରଷ୍ଟା
ହାଟଡିହି -(ବିକାଶ ବିଶ୍ବାଳ) ହାଟଡିହି ବ୍ଲକ ଢେଙ୍କାରେ ଚୋରା ମଦ ବ୍ୟବସାୟ ଯୋଗୁଁ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଅନେକ ଲୋକ ଏବେ ଖୁଲାମ୍ ଖୁଲା ବିଦେଶୀ ମଦ ବେପାର କରୁଥିବା ବେଳେ ହୋମ ଡେଲିଭରି ମଧ୍ଯ କରୁଛନ୍ତି। ପୁଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ କେତେବେଳେ କିପରି ଚଢ଼ାଉ କରାଯାଉ ଥିବା ବେଳେ ମୋଟା ଅଙ୍କର ବାଟି ଦେଇ ଖସିଯିବା ରେ ସକ୍ଷମ ହେଉଛନ୍ତି। ପ୍ରତିଦିନ କିଛି ଅସାମାଜିକ ଯୁବକ ଏଠାରୁ ମଦ ଖାଇ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଫଳରେ ବଜାରକୁ ସାଧାରଣ ଲୋକମାନେ ଆସିବାକୁ ଭୟ କହୁଛନ୍ତି। ଗତକାଲି ଏନ୍ ସି ସି ଠିକା ସଂସ୍ଥାର ଦୁଇଜଣ କର୍ମଚାରୀ ବଜାରକୁ ଯାଇଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ଚାନ୍ଦା ମାଗିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା। ଏହାର କିଛି ସମୟ ପରେ ଯୁବକ ଦୁଇଜଣ ଦୁଇଟି ଠେଙ୍ଗା ଧରି ଆଶ୍ରବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଯାହାକୁ ନେଇ ଦୋକାନ ବଜାର ବନ୍ଦ ହୋଇଯାଇ ଥିଲା। କିଛି ବ୍ୟବସାୟୀ ଏକଜୁଟ ହୋଇ ବାହାରିବା ପରେ ଯୁବକ ଦୁଇଜଣ ଛତ୍ରଭଙ୍ଗ ଦେଇ ପଳାଇ ଥିଲେ। ଖବର ପାଇ ସୋସୋ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅସାମାଜିକ ଯୁବକଙ୍କ ଗୋଟିଏ ବାଇକ୍ କୁ ଜବଦ କରି ଥାନାକୁ ନେଇଯାଇଥିଲା। ଏନ୍ ସି ସି କର୍ମଚାରୀଙ୍କ ପକ୍ଷରୁ ଆଜି ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ପୋଲିସ୍ ପ୍ରଶାସନ ପକ୍ଷରୁ ତୁରନ୍ତ ଚୋରା ମଦ ବ୍ୟବସାୟ କୁ ବନ୍ଦ କରିବା ସହିତ ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।