ପୈାରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପୌରପାଳିକା ଟାଉନ ହଲରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇଥିଲେ। ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ରାଜ୍ୟର ସର୍ବପୁରାତନ ପୌର ପରିଷଦ କେନ୍ଦ୍ରାପଡ଼ାକୁ ଗୋଟିଏ ଆଦର୍ଶ ପୌରପାଳିକା ଭାବେ ଗଠନ କରିବାକୁ ହେଲେ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ପୌରପାଳିକା ଅଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ପୌରପାଳିକା ଉପାଧ୍ୟକ୍ଷା ଆକବରୀ ଖାତୁନ, ପୌରପାଳିକା ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରିଙ୍କ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ। ସ୍ୱାୟତ୍ତ ଶାସନର ଜନକ ଲର୍ଡ଼ ରିପନଙ୍କ ଦୂରଦୁଷ୍ଟି ଏବଂ ତୃଣମୂଳ ସ୍ତରରେ କ୍ଷମତା ବିକେନ୍ଦ୍ରୀକରଣର ଆଧାର ହେଉଛି ସ୍ୱାୟତ୍ତ ଶାସନ ବ୍ୟବସ୍ଥା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶ୍ରୀବଳଦେବଜୀଉ ମନ୍ଦିର ଉନ୍ନତି, ଗୋପବନ୍ଧୁ ପାଠାଗାରା ପ୍ରତିଷ୍ଠା, ବିଜୁ ପାର୍କ ପରି ଉନ୍ନତିମୂଳକ କାର୍ଯ୍ୟପାଇଁ ବିଧାୟକ ପୌରାଧ୍ୟକ୍ଷା, ନିର୍ବାହୀ ଅଧିକାରୀ ଏବଂ କାଉନସିଲର ମାନଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ୨୦୨୫-୨୬ ଆର୍ôଥକ ବର୍ଷରେ ପ୍ରଦାନ କରାଯାଇଥିବା ଆର୍ôଥକ ଅନୁଦାନକୁ ସୁବିନିଯୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଡ୍ରେନଜ ସମସ୍ୟାର ସମାଧାନ ଓ ପୌରପାଳିକା ଜନସାଧାରଣଙ୍କୁ ମୂଲ୍ୟବୋଧଭିତ୍ତିକ ସେବା ପ୍ରଦାନ କରିବାକୁ ଜିଲ୍ଲା ପରିଷଦ ସଭାପତି ବକ୍ତବ୍ୟରେ କହିଥିଲେ। ପୈାରନିର୍ବାହୀ ଅଧିକାରୀ ଶ୍ରୀ ଗିରି ବାର୍ଷିକ ବିବରଣୀ ପାଠକରି ପ୍ରକାଶ କରିଥିଲେ ଯେ ନୂତନ ପୈାର କାର୍ଯ୍ୟାଳୟ ପାଇଁ ମଞ୍ଜୁର ହୋଇଥିବା ୭କୋଟି ୯୬ଲକ୍ଷ ଟଙ୍କାରେ ଖୁବ ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ସଂପୂଣ୍ଣ ର୍ କରାଯିବ। ଏହାବ୍ୟତିତ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୬୫ଲକ୍ଷ ଟଙ୍କା ବ୍ୟୟଅଟ୍ଟକଳରେ ଗୋପବନ୍ଧୁ ପାଠାଗାରାର ଉପର ମହଲା ଉନ୍ନତି କରଣ କରାଯିବ, ଏକ କୋଟି ଟଙ୍କାରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ, ୫୦ଲକ୍ଷ ଟଙ୍କାରେ ପୁରୁଣା ମାର୍କେଟ କମ୍ପେ୍ଲକ୍ସ ମରାମତି, ୨କୋଟି ଟଙ୍କାରେ କଲ୍ୟାଣ ମଣ୍ଡପ ନବୀକରଣ, ଏକକୋଟି ଟଙ୍କାରେ ତିନିମୁହାଣି ଠାରୁ ଇଛାପୁର ମୁଖ୍ୟ ରାସ୍ତା ଉନ୍ନତିକରଣ, ୩କୋଟି ଟଙ୍କାରେ ଖୋଲାସ୍ଥାନର ଉନ୍ନତି କରଣ, ୨କୋଟି ଟଙ୍କାରେ ଜଳାଶୟର ଉନ୍ନତି କରଣ, ଏକ କୋଟି ଟଙ୍କାରେ ଶ୍ମଶାନ ଗୁଡିକର ଉନ୍ନତି କରଣ,୫୫ଲକ୍ଷ ଟଙ୍କାରେ ଗୋଶାଳା ନିର୍ମାଣ ପ୍ରଭୃତି କାର୍ଯ୍ୟ କରାଯିବାକୁ ନଗର ଉନ୍ନୟନ ବିଭାଗ ଅର୍ଥ ମଞ୍ଜୁର କରିଛନ୍ତି। ଏହାବ୍ୟତିତ ସାଂସଦ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଓ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏକକୋଟି ୧୦ଲକ୍ଷ ଟଙ୍କା ପୈାରସଂସ୍ଥା ଉନ୍ନତିକରଣ ପାଇଁ ଅନୁଦାନ ମଞ୍ଜୁର ହୋଇଛି। ସାଧାରଣ ସଭାରେ ବିଶିଷ୍ଟ ଶିକ୍ଷାବିତ ନନ୍ଦକିଶୋର ପରିଡା, ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି, ସାହିତ୍ୟିକ ଡ଼. ବାସୁଦେବ ଦାସ, ଶିକ୍ଷା ସଂସ୍କାରକ ମହମ୍ମଦ ଫାରୁକ କାସିମ,ପୂର୍ବତନ କାଉନସିଲର ବୈଷ୍ଣବ ଚରଣ ପଣ୍ଡା, ସଫେଇ କର୍ମଚାରୀ ବାବୁ ଗୋଚ୍ଛାୟତ ଓ ସନା ନାୟକ, ପୌରପରିଷଦ କର୍ମଚାରୀ ସଞ୍ଜୀବ ମହାନ୍ତି ଓ ଅବସରପ୍ରାପ୍ତ କର୍ମଚାରୀ ଅଶୋକ ସାହୁ, ରବିନାରାୟଣ ନନ୍ଦ ଓ ଦୂର୍ଯ୍ୟୋଧନ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକ୍ତୃତା, ଝୋଟି, ରଙ୍ଗୋଲି, ମେହେନ୍ଦି ଓ ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତାର ୪୨ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଭାବଗ୍ରାହୀ କଳାନିକେତନର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆଜିର ଏହି ବୈଠକରେ ବୁଦ୍ଧିଜୀବୀ, ସାଧାରଣ ଜନତା, ସ୍ୱଚ୍ଛସାଥି,, ମହିଳା ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପାଧ୍ୟକ୍ଷା ଆକବରୀ ଖାତୁନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଶୋକ ସାହୁ ମଂଚ ପରିଚାଳନା କରିଥିଲେ। ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପୌରପାଳିକା ପକ୍ଷରୁ ସକାଳେ ରାମଧୂନ, ପ୍ରଭାତଫେରୀ, ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ, ସବୁଜ ବନୀକରଣ ପାଇଁ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ