ମହାବିଷୁବ ମେଳା ପାଇଁ ମା’ ଗଡଚଣ୍ଡୀଙ୍କ ପୀଠ ଚଳଚଞ୍ଚଳ

ବନ୍ତ,(ଚାନ୍ଦିନୀ ମହାନ୍ତି) : ମହାବିଷୁବ ମେଳା ପାଇଁ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ମା’ଗଡଚଣ୍ଡୀଙ୍କ ପୀଠ ଚଳ ଚଞ୍ଚଳ ହୋଇଉଠିଛି । ସୋମବାର ସକାଳ ଠାରୁ ଯଥାରୀତି ପୂଜାର୍ଚ୍ଚନା ସହିତ ଚଣ୍ଡୀ ପାଠ ଓ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେବ । ଅପରାହ୍ନରେ ଦୋସମାଳିକୁ ଭାଣ୍ଡ ନିଆଯିବ । ସନ୍ଧ୍ୟାରେ ମାନସିକ ପୂରଣ ପାଇଁ ପାରମ୍ପରିକ ପାଟୁଆ ଚାଚ ଅନୁଷ୍ଠିତ ହେବ । ଏଥିରେ ଭଲ ପ୍ରଦର୍ଶନ କରିଥିବା ଦଳକୁ କମିଟି ପକ୍ଷରୁ ପୁରସ୍କୃତ କରାଯିବ । ଏହି ପୀଠରେ ସକାଳ ଠାରୁ ମାନସିକ ପୂରଣ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ହୋଇ ମାଆଙ୍କ ପାଖରେ ଭୋଗ ଲଗାନ୍ତି । ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପଣା ଓ ଚରୁ ବଣ୍ଟନର ବ୍ୟବସ୍ଥା କରାଯାଇଛି । ମା’ଙ୍କ ଆର୍ବିଭାବ ସମ୍ପର୍କରେ ମିଳିଥିବା କିମ୍ବଦନ୍ତୀ ତଥା ପୁରୁଖା ଲୋକଙ୍କ କହିବାନୁସାରେ ପ୍ରାୟ ୨ ଶହ ୫୦ ବର୍ଷ ପୂର୍ବେ କେନ୍ଦୁଝର ଗଡର ରାଜା ତାଙ୍କର ଗଡ ରକ୍ଷା ନିମନ୍ତେ ଟିଲୋ କରଞ୍ଜପଡା ଗ୍ରାମ ନିକଟସ୍ଥ କପାଳୀ ନଦୀ କୂଳରେ ମା’ଗଡଚଣ୍ଡୀଙ୍କୁ ପ୍ରତିଷ୍ଠା କରିଥିଲେ ବୋଲି ଶୁଣାଯାଏ । ସେହିପରି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କାହିଁ କେଉଁ କାଳରୁ ଏଠାରେ ମା’ଙ୍କ ଆର୍ବିଭାବ ହୋଇ ବିଧିମତେ ବହୁ ଆଡମ୍ବର ସହକାରେ ପୂଜାର୍ଚ୍ଚନା ହୋଇଆସୁଛି । ମା’ ଗଡ ଚଣ୍ଡୀ ହେଉଛନ୍ତି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ । କୌଣସି ପ୍ରାକୃତିକ ବିପତ୍ତି ଆସିଲେ ମାଆ ପ୍ରସନ୍ନ ହୋଇ ଏହାର ପ୍ରତିକାର କରିବାର ପନ୍ଥା କହି ଦେଇଥାନ୍ତି । ଏପରିକି ଦୁର୍ଭିକ୍ଷ ସମୟରେ ମାଆଙ୍କ ପୀଠରେ ଯଜ୍ଞ କରାଯାଇ ତାର ସୁଫଳ ମଧ୍ୟ ପାଇଥିବାର ଗ୍ରାମବାସୀମାନେ କହିଛନ୍ତି । ଆଦ୍ୟରୁ ମାଆ ଗଛ ମୂଳେ ପୂଜା ପାଉଥିବା ବେଳେ ୧୯୯୨ ମସିହାରେ ମାଆଙ୍କ ପୀଠରେ ଏକ ମନ୍ଦିର ନିର୍ମାଣ କରାଯାଇଛି । ଏହା ଏକ ପୁରାତନ ଶକ୍ତି ପୀଠ ହୋଇଥିବାରୁ ଏହାର ବିକାଶ ପାଇଁ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀମାନେ ଦାବୀ କରିଛନ୍ତି । ଏଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ପାଟୁଆ ନାଚ ସହିତ ଅପେରା ସୋ’ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ମଧୁପୁର, କରଞ୍ଜପଡା, ଭାରତୀମଠ, ବଉଳସାହି ଆଦି ଗ୍ରାମବାସୀ ମାନଙ୍କ ସହଯୋଗରେ ଏହି ମେଳା ଅନୁଷ୍ଠିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ