ଜୟ ଦୂର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା ରାମଚଣ୍ଡୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଅର୍କକ୍ଷେତ୍ର କୋଣାର୍କର ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ମା ରାମଚଣ୍ଡୀ ଅନ୍ୟତମ। ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ପୀଠରେ ଚାଲିଛି ଦେବୀଙ୍କ ଷୋଳପୂଜା। ଶୁକ୍ରବାର ମାରାମଚଣ୍ଡୀଙ୍କ ଜୟ ଦୂର୍ଗା ବେଶ ଅନୁଷ୍ଠିତ ହୋଇଥିଲା । ମାଙ୍କ ଅବସ୍ଥିତି ଓ ମହାତ୍ମ ସମ୍ପର୍କରେ ସାରଳା ମହାଭାରତ, ମାଦଳା ପାଞ୍ଜି ଓ ପ୍ରାଚ୍ୟ ମାହାତ୍ମ୍ୟରେ ଉଲ୍ଲେଖ ରହିଛି। ମାଙ୍କ ମୁଖ୍ୟ ଭୋଗ ହେଉଛି ଅନ୍ନ, ମାଛ ବେସର, ମାଛ ପୋଡା, ଏଣ୍ଡୁରି ପିଠା ଏବଂ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ। ଷୋଳପୂଜା ଅବସରରେ ଷୋଳଦିନରେ ମାଙ୍କ ପ୍ରସିଦ୍ଧ ବେଶ ହେଉଛି ଶୀତଳା, ନବପତ୍ରିକା, ମହିଷାମର୍ଦିନୀ, ସିଂହାବାହିନୀ, ଓ ଜଗଦ୍ଧାତ୍ରୀ ବେଶ। ମୂଳଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀତି ଅନୁଯାୟୀ ସ୍ୱତନ୍ତ୍ର ଭୋଗ କରାଯାଏ । ପ୍ରତିଦିନ ଦୁଇବେଳା ଚଣ୍ଡୀପାଠ କରାଯାଏ। ସକାଳ ୫ଟାରେ ମଙ୍ଗଳ ଆଳତି,୭ଟାରେ ସାହାଣମେଳା, ୧୦ଟାରେ ଚଣ୍ଡୀପାଠ,ଦିନ ଗୋଟାଏରେ ଅନ୍ନଭୋଗ, ମାଛପୋଡ଼ା,ମାଛବେସର, ଡାଲମା, ପିଠା ଭୋଗ ହୋଇଥାଏ । ୨ଟାରେ ପହଡ଼ ପରେ ବଡ ସିଂହାର ଭୋଗ,୩ଟାରେ ଦର୍ଶନ, ୬ଟାରେ ସନ୍ଧ୍ୟା ଆଳତି,୭ଟାରେ ବଲ୍ଳଭ ଭୋଗ,ସାଢେ ୭ଟାରେ ଚଣ୍ଡୀପାଠ, ରାତି ୧୦ଟାରେ ଅନ୍ନ ଡାଲମା, କାକରା, ଦହିପଣା ଏବଂ ମହାପ୍ରସାଦ ସମର୍ପଣ ପରେ ରାତି ୧୨ଟାରେ ପହଡ଼ ପଡ଼ିଥାଏ। ମାଙ୍କ ଏହି ବେଶ ଦର୍ଶନ କଲେ ଅଶେଷ କୃପା ଲାଭ ମିଳିଥାଏ ବୋଲି ପୂଜକ ପ୍ରକାଶ ଚନ୍ଦ୍ର ପଣ୍ଡା କହିଛନ୍ତି।


