ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ
ବୁଗୁଡ଼ା (ଅନୀଲ କୁମାର ମହାରଣା):ପାର୍ବଣ ଋତୁରେ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ରହିଥିବାବେଳେ ବୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଜୋରଦାର କରାଯାଇଛି। ଏହି କ୍ରମରେ ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ପେଟ୍ରୋଲିଂ ସମୟରେ ଗୋଲିଆ ବାଘୁଆ ନାଳ ବ୍ରିଜ ନିକଟରେ ବିକ୍ରିପାଇଁ ଗ୍ରାହକ ଅପେକ୍ଷାରେ ଥିବା ଜଣେ ବ୍ୟକ୍ତି ଠାରୁ ୧୦୦ ଗ୍ରାମ ଧଳା ଜହର ଜବତ କରିବା ସହ ଗୋଟିଏ ହୋଣ୍ଡା ସାଇନ ବାଇକକୁ ମଧ୍ୟ ଜବତ କରି ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମର ଅରୁଣ ପଲେଇ। ପାର୍ବଣ ସମୟରେ ନିଶାଦ୍ରବ୍ୟର ଅବୈଧ କାରବାର ରୋକିବା ଓ ଏହାର ଚୋରା ଚାଲାଣ ଉପରେ ନଜର ରଖିବା ପାଇଁ ଅବକାରୀ ବିଭାଗର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।ତେବେ ଜବତ ନିଶାଦ୍ରବ୍ୟର ଉତ୍ସ, ଏହା କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏହି କାରବାରରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତର ଅଗ୍ରଗତି ସମ୍ପର୍କରେ ଅଧିକ ତଥ୍ୟ ମିଳିବା ବାକି ରହିଛି।ଏ ନେଇ ଅବକାରୀ ଥାନାରେ ୧୦୮/୨୬ ରେ ଏକ ମାମଲା ରୁଜୁ କରି ଗିରଫ ଯୁବକ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।ପାର୍ବଣରେ ନିଶା କାରବାର ରୋକିବା ପାଇଁ ଅବକାରୀ ବିଭାଗର ଏହି ଚଢ଼ାଉ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


