ଜଙ୍ଗଲରେ ଲୁକ୍କାୟିତ ଥିବା 40 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଅଡବା ଥାନା ପରିସରର ଟାଙ୍ଗିଲି ଗ୍ରାମ ନିକଟସ୍ଥ ଦୁର୍ଗମ ଜଙ୍ଗଲରେ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଚ୍ଛିତ ଥୂଲା ବିପୁଳ ପରିମାଣର ଗଂଜେଇକୁ ପୋଲିସ ଜବତ କରିଛି । ଜବତ କରାଯାଇଥିବା ଗଞ୍ଜେଇର ମୂଲ୍ୟ 40 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି. ଗଜପତି ପୋଲିସ କୌଣସି ସୂତ୍ରରୁ ଖବର୍ ପାଇ ଏହି ଜିଲ୍ଲାର ଅଡବା ଥାନା ଅଞ୍ଚଳରେ ଥିବା ଟାଙ୍ଗିଲି ଗାଁ ନିକଟସ୍ଥ ଜଙ୍ଗଲରେ ଚଢାଉ କରିଥିଲେ. ସେଠାରେ ଚୋରା ମାଫିଆମାନଙ୍କ ଦ୍ୱାରା ବେଆଇନ ଗଞ୍ଜେଇ ଚୋରାଚାଲାଣ ପାଇଁ ବିପୁଳ ପରିମାଣର ଗଂଜେଇ ଗଚ୍ଛିତ କରି ରଖୁଥିବା ଦେଖା ଯାଇଥିଲା I ପୋଲିସ ସେସବୁକୁ ଜବତ କରି ଓଜନ କରାଯିବାରେ ୩ କୁଇଣ୍ଟାଲ୍ ୬୦ କେଜି ଗଞ୍ଜେଇ ରହିଥିବା ଜଣା ପଡିଥିଲା. ଆର ଉଦୟଗିରି ଏସଡିପିଓ ରାକେଶ ସାହୁଙ୍କ ତତ୍ତ୍ୱାବଧାନରେ ଅଡବା ଥାନା ପୋଲିସ ଏହି ଚଢ଼ାଉ କରିଥିଲେ. ଜଙ୍ଗଲ ମଧ୍ୟରୁ ୧୫ ଗୋଟି ବସ୍ତାରେ ଗଞ୍ଜେଇକୁ ଭର୍ତ୍ତି କରାଯାଇ ଅତ୍ୟନ୍ତ ଲୁକ୍କାୟିତ ଭାବେ ରଖା ଯାଇଥିଲା. ପୋଲିସ ଚଢାଉ ପାଇଁ ଆସୁଥିବା ଜାଣିପାରି ଚୋରାଚାଲାଣକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ପ୍ରକାଶ କରି କହିଛନ୍ତି ଗଞ୍ଜେଇକୁ ଗଛିତ ରଖିଥିବା ଚୋରା ମାଫିଆମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଅଡବା ଥାନାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି.


