ବୈଠକ ଆଲୋଚନା ହେଉନି ଚାଷୀଙ୍କ ସମସ୍ୟା: କମିଟିର ସଭ୍ୟ ମାନଙ୍କୁ ଅଣଦେଖା ଅଭିଯୋଗ
ବନ୍ତ(ଚାନ୍ଦିନୀ ମହାନ୍ତି) : କାଗଜ କଲମରେ ଚାଲିଛି ଜଳ ସେଚନ ବିଭାଗର ପାଣି ପଞ୍ଚାୟତ କମିଟି । ମାସିକ ବୈଠକ ଡକା ଯାଉନାହିଁ କି ଚାଷୀ ମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯାଉନାହିଁ । କମିଟିର ସଭ୍ୟ ମାନଙ୍କୁ ଅଣ ଦେଖା କରାଯାଉଛି । କମିଟିର କର୍ମକର୍ତ୍ତା ମାନେ ମନମୁଖୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ଶାଳପଡା ଜଳସେଚନ ବିଭାଗ ତଥା ଶାଳନିଆ ସବ ଡିଭିଜନ ଅଧିନ ବନ୍ତ ସେକ୍ସନ ଅଫିସ ଅଧିନରେ ଥିବା କେତେକ ପାଣି ପଞ୍ଚାୟତ କମିଟିରୁ । ପ୍ରକାଶ ଯେ, ରାଜ୍ୟ ସରକାର ଚାଷ ଜମିକୁ ଜଳସେଚିତ କରିବା ପାଇଁ କେନାଲର ବ୍ୟବସ୍ଥା କରିଛନ୍ତି । ସେହିପରି ଏହାର ରକ୍ଷଣାବେକ୍ଷଣ ପାଇଁ ପାଣି ପଞ୍ଚାୟତ କମିଟି ଗଠନର ବ୍ୟବସ୍ଥା କରିଛନ୍ତି । ଫଳରେ ପ୍ରତ୍ୟେକ ଶାଖା କେନାଲ, ମାଇନର ଓ ଡିଷ୍ଟ୍ରିବ୍ୟୁଟର କେନାଲରେ ପାଣି ପଞ୍ଚାୟତ କମିଟି ଗଠନ ହୋଇଛି । ପ୍ରତି ୩ରୁ ୫ ବର୍ଷ ମଧ୍ୟରେ ଥରେ ଏହି କମିଟି ଗଠନ କରାଯାଉଛି । ନିର୍ବାଚନୀ ପ୍ରକ୍ରିୟାରେ ଏହି କମିଟି ଗଠନ ହେବାର ନିୟମ ଥିବା ବେଳେ ଏହାକୁ ମନମୁଖୀ ଭାବେ ଚୟନ ପ୍ରକ୍ର୍ରିୟାରେ ଗଠନ କରାଯାଉଛି । ଦୀର୍ଘ ୨୨ ବର୍ଷ ଧରି ଜଣେ ଜଣେ ବ୍ୟକ୍ତି କମିଟିର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ପଦବୀକୁ ଜାବୁଡି ଧରି ବସି ରହିଛନ୍ତି । ନିର୍ବାଚନ କେବଳ ପ୍ରହସନ ପାଲଟିଛି । ସେହିପରି ପ୍ରତ୍ୟେକ ପାଣି ପଞ୍ଚାୟତ କମିଟିରେ ମାସରେ କିମ୍ବା ୨ ମାସରେ ଥରେ ବୈଠକ ହେବାକୁ ନିୟମ ଥିବା ବେଳେ ତାହା କରାଯାଉନାହିଁ । ଫଳରେ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ହୋଇପାରୁନାହିଁ । ସେହିପରି ପ୍ରତିବର୍ଷ କେନାଲ ମରାମତି ଓ ନୂତନ କାଡା ନିର୍ମାଣ ପାଇଁ ଆସୁଥିବା ସରକାରୀ ଅର୍ଥକୁ ହରିଲୁଟ କରାଯାଉଛି । ଯାହାର ଟେର କମିଟିର ସଭ୍ୟ ମାନେ ପାଉନାହାନ୍ତି । ପ୍ରତିବର୍ଷ କେନାଲର କଣ୍ଟାବୁଦା ସଫେଇ ପାଇଁ ଆସୁଥିବା ଅର୍ଥର ହିସାବ ଦିଆଯାଉନାହିଁ । କମିଟିର ସଭାପତି ଓ ସମ୍ପାଦକ ଏବଂ ବିଭାଗୀୟ ଅଧିକାରୀଙ୍କ ମିଳିତ ସଲାସୁତରାରେ ସରକାରୀ ଅର୍ଥକୁ ହରିଲୁଟ କରାଯାଉଛି । ପ୍ରତି ମାସ କିମ୍ବା ୨ ମାସରେ ଥରେ ବୈଠକ କରି କେତେ ସରକାରୀ ଅନୁଦାନ ଆସିଛି ଏବଂ କି କି କାର୍ଯ୍ୟ ହୋଇଛି ସେସମ୍ପର୍କରେ ସୂଚନା ଦେବା ପାଇଁ କମିଟିର ସଭ୍ୟ ମାନେ ଦାବୀ କରିଆସୁଥିଲେ ମଧ୍ୟ ତାହାକୁ କର୍ମକର୍ତ୍ତା ମାନେ ଏଡାଇ ଚାଲିଛନ୍ତି । ଅପରପକ୍ଷେ ପ୍ରତ୍ୟେକ ପାଣି ପଞ୍ଚାୟତରେ ପ୍ରତିବର୍ଷ କୌଣସି ଅଡିଟ୍ ହେଉନଥିବାରୁ କମିଟିର କର୍ମକର୍ତ୍ତ ମାନଙ୍କ ଅନିୟମିତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ବହୁ ପାଣି ପଞ୍ଚାୟତର ସଭ୍ୟସଭ୍ୟା ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।