କୁମ୍ଭୀର ସଂରକ୍ଷଣ ଓ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ସମ୍ବଧିତ ବୈଠକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ସ୍ଥିତ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଘୋଡାହାଡ ଡ଼୍ୟାମ ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଏବଂ ଡ଼୍ୟାମ ରେ ରହୁଥିବା କୁମ୍ଭୀର ଙ୍କ ସୁରକ୍ଷାକୁ ନେଇ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବନାଞ୍ଚଳ ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିଲେ । ସେହିପରି ବ୍ଲକ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ନିଖିଳ ମହାରଣା , ବନପାଳ ସନ୍ତୋଷ କୁମାର ବିଷୋୟୀରତ୍ନ , ଦିଗପହଣ୍ଡି ଏନଏସି ନଗରପାଳ ପ୍ରଫୁଲ୍ଲ ପଣ୍ଡା , ପୂର୍ବତନ ସମବାୟ ସଂଘ ଜିଲା ସଭାପତି ସନାତନ ସଂଗ୍ରାମ ସିଂ ଙ୍କ ସମେତ ୩୫ ଜଣ ମତ୍ସ୍ୟଜୀବୀ ଉପସ୍ଥିତ ଥିଲେ । ଗତ ପ୍ରାୟ ୨ବର୍ଷ ହେଲା ଆବଶ୍ୟକ ବର୍ଷା ଅଭାବରୁ ଘୋଡାହାଡ ଡ୍ଯାମରେ ଯେଉଁ ପରିମାଣରେ ପାଣି ରହିବା କଥା ବର୍ତ୍ତମାନ ସେହି ପରିମାଣରେ ପାଣିର ଅଭାବ ରହିଛି । ଏପରିକି ଡ୍ଯାମରେ ରହୁଥିବା କୁମ୍ଭୀର ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ପ୍ରାୟ ୨ବର୍ଷ ପୂର୍ବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗ ପକ୍ଷରୁ ଡ୍ଯାମରୁ ମାଛ ଧରିବାକୁ ମତ୍ସ୍ୟଜୀବୀ ତଥା ମାଁ ବାଙ୍କେଶ୍ବରୀ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ସଦସ୍ୟ ମାନଙ୍କୁ ବାରଣ କରାଯାଇଥିଲା । ଯାହାଫଳରେ ମତ୍ସ୍ୟଜୀବୀ ମାନେ ନିଜର କୌଳିକ ବୃତ୍ତି ହରାଇବା ସହ ସେମାନଙ୍କ ଜୀବନ ଜୀବିକାକୁ ନେଇ ଚିନ୍ତିତ ରହୁଥିଲେ । ତେବେ ଚଳିତ ବର୍ଷ ଘୋଡାହାଡ ଡ୍ଯାମ ଅଞ୍ଚଳରେ ଭଲ ବର୍ଷା ଫଳରେ ଡ୍ଯାମରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ଯାହାକୁ ନେଇ ସ୍ଥାନୀୟ ବିଧାୟକ , ବନବିଭାଗ ଏବଂ ମତ୍ସ୍ୟ ସଂପ୍ରସାରଣ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ମତ୍ସ୍ୟଜୀବୀ ମାନଙ୍କୁ ଡ଼୍ୟାମ ରୁ ମାଛ ଧରିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ମତ୍ସ୍ୟଜୀବୀ ମାନେ ଜାଲ ପକାଉଥିବା ସମୟରେ ଯେପରି କୁମ୍ଭୀର ମାନଙ୍କ କ୍ଷତି ନହେବ ସେନେଇ ବିଶେଷ ଧ୍ୟାନ ଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ମତ୍ସ୍ୟଜୀବୀ ସଂଘର ବହୁ ସଂଖ୍ୟକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


