ନାବାଳିକା ଦୁଷ୍କର୍ମ ହତ୍ୟା ମାମଲା: ନିମ୍ନ ଅଦାଲତଙ୍କ ଫାଶୀ ଦଣ୍ଡାଦେଶକୁ ପୁନର୍ବିଚାର ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ (ସରୋଜ ଦାଶ): ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ । ଏହି ମାମଲାରେ ସୁନ୍ଦରଗଡ଼ ସେସନ୍ସ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ମାମଲାର ପୁନର୍ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରରେ ତ୍ରୁଟି ରହିଥିବାରୁ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଆସାମୀକୁ ସାମୟିକ ଆଶ୍ବସ୍ତି ମିଳିଛି । ଗତ ୨୦୧୬ରେ ଘଟିଥିଲା ଏହି ଘଟଣା । ଜଣେ ମା’ କୋଳରୁ ଚାରି ବର୍ଷର ଶିଶୁକୁ ଛଡ଼ାଇ ନେଇ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ବୀଭତ୍ସ ଘଟଣାରେ ନିମ୍ନ ଅଦାଲତ, ଅଭିଯୁକ୍ତ ସଞ୍ଜୀବ କେର୍କେଟାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଦଣ୍ଡକୁ ଅନୁମୋଦନ କରିବା ପାଇଁ ରାଜ୍ୟ ସରକାର ହାଇକୋର୍ଟକୁ ଆସିଥିଲେ । ସେହିପରି ନିମ୍ନ ଅଦାଲତଙ୍କ ଆଦେଶକୁ ଚାଲେଞ୍ଜ କରି ଆସାମୀ ସଞ୍ଜୀବ କେର୍କେଟା ମଧ୍ୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଉଭୟ ପକ୍ଷକୁ ଶୁଣିବା ପରେ ହାଇକୋର୍ଟ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ । ସୁନ୍ଦରଗଡ଼ ଥାନା ଅଧୀନରେ ଏକ ଗାଁରେ ଚାରି ବର୍ଷର ଝିଅ ମା’ କୋଳରେ ଶୋଇଥିଲାବେଳେ ଆସାମୀ ସଞ୍ଜୀବ ଝିଅଟିକୁ ଛଡ଼ାଇ ନେଇ କେଉଁଆଡ଼େ ଚାଲି ଯାଇଥିଲା । ୨୦୧୬ ମସିହା ଅକ୍ଟୋବର, ୨୧ ତାରିଖ ଦିନ ରାତି ୧୦ଟା ସମୟରେ ଏହି ଘଟଣା ଘଟିଥିଲା । ଶିଶୁଟିକୁ ନପାଇ ପରିବାର ଲୋକେ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ । ୨୫ ତାରିଖରେ ଗାଁ ପାଖ ଏକ ଅଧାଗଢ଼ା ଘରୁ ଶିଶୁଟିର ମୃତଦେହ ମିଳିଥିଲା । ପୋଲିସ୍ ସେହି ସ୍ଥାନରୁ ଆସାମୀର ପର୍ସ ଏବଂ ଆଧାର କାର୍ଡ ପାଇଥିଲା । ଏହି ଘଟଣାରେ ପୋଲିସ୍ ଅଭିଯୁକ୍ତ ସଞ୍ଜୀବକୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣି ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ହୋଇଥିଲା । ପୋକ୍ସୋ ଅଦାଲତ ୨୦୨୩ ମସିହା ଅକ୍ଟୋବର ୧୯ ତାରିଖରେ ମାମଲାରେ ରାୟ ପ୍ରକାଶ କରି ଅଭିଯୁକ୍ତ ସଞ୍ଜୀବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏହି ମାମଲାର ପୁନର୍ବିଚାର କରିବାକୁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇଛନ୍ତି ।