ଦୁଇ ଦିନିଆ ଦେଶୀ ବିହନ ଓ ଖାଦ୍ୟ ମହୋତ୍ସବ ଉଦଘାଟିତ

କୋରାପୁଟ (ହେମନ୍ତ ପାଣଗ୍ରାହୀ) : ସ୍ଥାନୀୟ ନିଶାଣୀମୁଣ୍ଡା ପଡ଼ିଆ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଦେଶୀ ବିହନ ଓ ଖାଦ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି।ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଦେଶୀ ବିହନ ପ୍ରାୟତଃ ଲୁପ୍ତ ହେବାକୁ ଯାଉଛି ।ଏହାର ସଂରକ୍ଷଣ କରୁଥିବା ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ହେଇଥିବା ଏହି ଉତ୍ସବ ପ୍ରଶଂସିତ ବୋଲି ସେ କହିଛନ୍ତି। ଜୈବିକ ପଦ୍ଧତିରେ ମାଣ୍ଡିଆ ଓ କଳାଜିରା ଚାଷ ହେଉଛି ।ଯାହାକୁ ଉତ୍ତମ ଖାଦ୍ୟ ଭାବେ ସାରା ବିଶ୍ୱରେ ଆଦୃତ ହୋଇସାରିଛି।ଏହା ଯୁବକ ମାନଙ୍କର ଜୀବନଜୀବିକାର ମାଧ୍ୟମ ରହିଛି।ତେଣୁ ଯୁବକ ମାନେ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବାକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଆହ୍ବାନ ଦେଇଛନ୍ତି।ଧାନ ପ୍ରଥମେ କୋରାପୁଟରୁ ଆରମ୍ଭ ହୋଇଥିଲା ।କୋରାପୁଟ ବାସୀଙ୍କ ଏଥିରେ ବହୁତ ଅବଦାନ ରହିଛି।ରାଜ୍ୟରେ ଯେପରି ମାଣ୍ଡିଆ ଦିବସ ପାଳନ କରାଯାଉଛି ସେହିପରି ଭାବରେ ଧାନ ଦିବସ ପାଳନ କରିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତ ପ୍ରକାଶ କରିଛନ୍ତି।କୋରାପୁଟ ବିଧାୟକ ରଘୁରାମ ମାଛ,କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଶରତ କୁମାର ପଳିତା ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ନବରଙ୍ଗପୁର ଜିଲ୍ଲାର ଶଙ୍କର ପ୍ରସାଦ ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ରାଧାମୋହନ ପ୍ରକୃତି ସେବା ସମ୍ମାନରେ ମୁଖ୍ୟ ଅତିଥି ଶ୍ରୀ ଗଣ୍ଡଙ୍କ ଦ୍ବାରା ଉପଢ଼ୌକନ ଓ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।କୋରାପୁଟ ଜିଲ୍ଲାର ପରିମା ମୁଦୁଲିଙ୍କୁ ପଦ୍ମଶ୍ରୀ କମଳା ପୂଜାରୀ ବିହନ ମା ପୁରସ୍କାରରେ ଜୟପୁର ବିଧାୟକ ଶ୍ରୀ ବାହିନୀପତିଙ୍କ ଦ୍ବାରା ଉପଢ଼ୌକନ ଓ ୫ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଅଣ ସରକାରୀ ଅନଷ୍ଠାନର ସମ୍ପାଦକ ପ୍ରଭାକର ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଲୁନା ପଣ୍ଡା ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ପ୍ରତିଷ୍ଠାନର ସଦସ୍ୟ ଗୌତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନୀ ଉତ୍ସବ ପରେ କ୍ଷୁଦ୍ର ଉଦ୍ୟୋଗ ମାଧ୍ୟମରେ ମହିଳା ସଶକ୍ତିକରଣ ଏବଂ ଜଳବାୟୁ ପ୍ରତିରୋଧକ ବିହନ ପ୍ରଣାଳୀକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଆସନ୍ତାକାଲି ଦେଶୀ ବିହନ ଓ ଖାଦ୍ୟ ମହୋତ୍ସବ ଉଦଯାପିତ ହେବ ବୋଲି ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ